ବାତ୍ୟା ତିତଲି ପ୍ରଭାବରେ ତୀବ୍ର ହେବାରେ ଲାଗିଛି ପବନର ବେଗ : ରାଜ୍ୟର ଅନେକ ସ୍ଥାନରେ ଲାଗିରହିଛି ପ୍ରବଳ ବର୍ଷା

75

କନକ ବ୍ୟୁରୋ : ବାତ୍ୟା ତିତଲି ଉପକୂଳ ଛୁଇଁବା ପ୍ରକ୍ରିୟା ଆରମ୍ଭ ହୋଇଥିବା ଜଣାପଡିଛି । ଏହାସହ ଭୟଙ୍କର ବାତ୍ୟା ତିତଲି ଆଉ ମାତ୍ର କିଛି ସମୟ ମଧ୍ୟରେ ସ୍ଥଳଭାଗକୁ ସମ୍ପୂର୍ଣ୍ଣ ଭାବରେ ଛୁଇଁବ ବୋଲି ସୂଚନା ମିଳିଛି । ତେବେ ବର୍ତମାନ ସମୟରେ ବାତ୍ୟା ସ୍ଥଳଭାଗ ଛୁଇଁବା ପୂର୍ବରୁ ପବନର ବେଗ ବଢିଥିବା ଜଣାପଡିଛି । ଗୋପାଳପୁରଠାରେ ପବନର ବେଗ ବଢିବାରେ ଲାଗିଛି । ଏପରିକି ଅନେକ ସ୍ଥାନରେ ଗଛ ଭାଙ୍ଗିବା ସହ ଘର ମଧ୍ୟ ଭାଙ୍ଗିଥିବା ଜଣାପଡିଛି । ଏହି ସମୟରେ ବାତ୍ୟା ଘଣ୍ଟାପ୍ରତି ମାତ୍ର ୨୦ କିମି ବେଗରେ ଗତି କରୁଥିବା ଜଣାପଡିଛି ।

 

କେବଳ ଗୋପାଳପୁର ନୁହେଁ ବରଂ ଗଜପତି, ବ୍ରହ୍ମପୁର, ଖୋର୍ଦ୍ଧା, ଜଗତସିଂହପୁର, ଯାଜପୁର, ଭଦ୍ରକ ଆଦି ସ୍ଥାନରେ ପ୍ରବଳ ବର୍ଷା ଲାଗି ରହିଛି । ବର୍ଷା ସାଙ୍ଗକୁ ପବନର ବେଗ ମଧ୍ୟ ଧିରେ ଧିରେ ବଢୁଥିବା ଦେଖାଯାଇଛି । ଉପକୂଳବର୍ତୀ ଅଚଂଳର କେତେକ ଲୋକମାନଙ୍କୁ ସ୍ଥାନାନ୍ତରଣ କରାଯାଇଥିବା ସମୟରେ ମଧ୍ୟ ଏବେବି ଲୋକମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି । ଏହାସହ ଏହା ସ୍ଥଳଭାଗକୁ ଛୁଇଁବା ସମୟରେ ପବନର ବେଗ ଘଣ୍ଟାପ୍ରତି ୧୬୫ କିମି ବେଗରେ ପବନ ବହିବ ବୋଲି ଜଣାପଡିଛି । ବାତ୍ୟା ସ୍ଥଳଭାଗକୁ ଛୁଇଁବା ସମୟରେ ପବନ ସାଙ୍ଗକୁ ପ୍ରବଳ ବର୍ଷା ହେବ । ବର୍ତମାନ ସମୟରେ ଗୋପାଳପୁରରେ ପବନର ବେଗ ୧୪୫ କିମି ବେଗରେ ବହୁଥିବା ଜଣାପଡିଛି । ପବନରେ ଅନେକ ବିଦ୍ୟୁତ ଖୁଣ୍ଟ ମଧ୍ୟ ଭାଙ୍ଗିଯାଇଛି । ବାତ୍ୟାକୁ ନେଇ ସରକାରୀ ସ୍ତରରେ ମଧ୍ୟ ଅନେକ ପ୍ରସ୍ତୁତି ସରିଛି । ମୁଖ୍ୟମନ୍ତ୍ରୀ ଗତକାଲି ସ୍ଥିତିର ସମୀକ୍ଷା କରିଥିବା ସହ ଯେପରି କୌଣସି ଲୋକଙ୍କର କ୍ଷତି ନହୁଏ ତାହା ଉପରେ ବିଶେଷ ଧ୍ୟାନ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଲୋକମାନଙ୍କ ସୁରକ୍ଷାକୁ ଦେଖି ସ୍ଥାନୀୟ ପ୍ରଶାସନ ପକ୍ଷରୁ ମଧ୍ୟ ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳୀକୁ ଜନସାଧାରଣଙ୍କୁ ନିଆଯିବ ସହ କେତେକ ସ୍ଥାନରେ ରନ୍ଧାଖାଦ୍ୟ ମଧ୍ୟ ଦିଆଯାଇଛି । ତେବେ ଆଉ ମାତ୍ର କିଛି ସମୟ ପରେ ବାତ୍ୟା ସ୍ଥଳଭାଗକୁ ପୂର୍ଣ୍ଣମାତ୍ରାରେ ଛୁଇଁବ ବୋଲି ସୂଚନା ମିଳିଛି ।