ଲାଞ୍ଚ ନେଉଛି ସାଇବର ଥାନା! ପୋଲ ଖୋଲିଲେ ସ୍ମାର୍ଟସିଟିର ଝିଅ

368

କନକ ବ୍ୟୁରୋ: ଭୁବନେଶ୍ୱର ସାଇବର ଥାନା ବିରୋଧରେ ସାଙ୍ଘାତିକ ଅଭିଯୋଗ । କୌଣସି ଅପରାଧ ନକରି କିଭଳି ବାରମ୍ବାର ସାଇବର ଥାନାକୁ ଦୌଡିବାକୁ ପଡୁଛି ଏବଂ ଲାଞ୍ଚ ଦେବା ପରେ ବି ମାନସିକ ନିର୍ଯାତନା ଦିଆଯାଉଛି ସେନେଇ କନକ ନ୍ୟୁଜ କ୍ୟାମେରାରେ କହିଛନ୍ତି ଜଣେ ଯୁବତୀ । ଗତ ୫ ମାସରେ ୬୦ଥର ସାଇବର ଥାନାର ଚକ୍କର କାଟିବା ପରେ ଶେଷରେ ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି । କହିଛନ୍ତି ଏକ ମିଛ ମାମଲାରେ ତାଙ୍କୁ ଟ୍ରାପ କରିବାକୁ ଚେଷ୍ଟା କରାଯାଉଛି । ଆଉ ଏଥିପାଇଁ ଏକାଧିକ ଥର ଲାଞ୍ଚ ଆକାରରେ ତାଙ୍କଠାରୁ ଟଙ୍କା ଲୁଟିଛନ୍ତି ଭୁବନେଶ୍ୱର ସାଇବର ଥାନାର ଆଇଆଇସି ରଶ୍ମିତା ଜେନା ।

ଭୁବନେଶ୍ୱର ସାଇବର ଥାନାର ଆଇଆଇସି ରଶ୍ମିତା ଜେନା । ଯୁବତୀଙ୍କ ଅଭିଯୋଗ ଅନୁସାରେ ଜଣେ ମହିଳା ହୋଇ ଏହି ଅଧିକାରୀ ଜଣଙ୍କ ଜଣେ ନିରୀହ ଯୁବତୀଙ୍କଠାରୁ ପଇସା ଲୁଟର ରିତିମତ ଷଡଯନ୍ତ୍ର ଚଳାଇଛନ୍ତି ।

ନଜର ପକାନ୍ତୁ ପୁରା ଘଟଣାକ୍ରମ ଉପରେ ।
– ଜଣେ ଯୁବତୀଙ୍କ ଅଶ୍ଲୀଳ ଫଟୋ ଓ ଭିଡିଓ ଭାଇରାଲ ମାମଲାରେ ଏହି ଯୁବତୀଙ୍କୁ ଉଠାଇ ଆଣିଥିଲା ସାଇବର ଥାନା ପୋଲିସ
– ହୋଇଥିବା ମାମଲା ବାବଦରେ ତାଙ୍କୁ ପଚରା ଉଚରା କରିବା ପରେ କେବଳ ନୋଟିସ କରି ଛାଡି ଦେଇଥିଲା
– ଯୁବତୀ ଜଣଙ୍କ ଭୟଭୀତ ହୋଇ ଜଣେ ଓକିଲଙ୍କ ଜରିଆରେ କୋର୍ଟରୁ ଆଗୁଆ ଜାମିନ ଆଣିଥିଲେ
– ଏଥିପାଇଁ ସେ ଓକିଲଙ୍କୁ ୨ ଲକ୍ଷ ୬୦ ହଜାର ଟଙ୍କା ଦେଇଥିଲେ, ହେଲେ ବେଲଟି ନକଲି ଥିବା ଜଣାପଡିଲା
– ଏହି ମାମଲାରେ ମଧ୍ୟ ସଂପୃକ୍ତ ଯୁବତୀଙ୍କୁ କୋର୍ଟ ଚାଲାଣ କରିବାକୁ ଧମକ ଦେଇଥିଲେ ସାଇବର ଥାନା ଆଇଆଇସି
– ମାମଲା ରଫାଦଫା କରିବାକୁ ପରେ ଆଉଜଣେ ଓକିଲଙ୍କ ଜରିଆରେ ୪୦ ହଜାର ଟଙ୍କା ଲାଂଚ ଦାବି କରିଥିଲେ ଆଇଆଇସି

ଓକିଲଙ୍କ ଜରିଆରେ ୪୦ ହଜାର ଟଙ୍କା ଲାଞ୍ଚ ନେବାପରେ ବି ଆଇଆଇସି ରଶ୍ମିତା ଜେନା ଫାଙ୍କି ଦେଇଥିବା କହିଛନ୍ତି ଯୁବତୀ ଜଣକ । ପୁଣି ମାମଲାରୁ ପିଛା ଛଡାଇବା ପାଇଁ ସେ ଆଉ ୨୫ ହଜାର ଟଙ୍କା ଲାଞ୍ଚ ଦେଇଥିବା କଥା କହିଛନ୍ତି । ତଥାପି ତାଙ୍କର ଦୁଇଟି ଫୋନ ମଧ୍ୟରୁ ଏକ ଆଇଫୋନକୁ ଆଇଆଇସି ରଶ୍ମିତା ଜେନା ରଖିଦେଇଥିବା ସେ ଅଭିଯୋଗ କରିଛନ୍ତି ।

ରାଜ୍ୟରେ ଦିନକୁ ଦିନ ସାଇବର ଲୁଟ ଅଭିଯୋଗ ବଢିଚାଲିଥିବାବେଳେ, ନ୍ୟାୟ ପାଇଁ ଅପେକ୍ଷା କରି ରହିଛନ୍ତି ଅନେକ ଅଭିଯୋଗକାରୀ । ଆଉ ଏହାରି ଭିତରେ ଏକ ମିଛ ମାମଲାରେ ଫସାଇ ଜଣେ ଯୁବତୀଙ୍କୁ ଖୋଦ ଆଇଆଇସି ଲୁଟିଚାଲିବା ଭଲି ଅଭିଯୋଗ ପୁରା ବିଭାଗ ଉପରେ ବଡ ପ୍ରଶ୍ନଚିହ୍ନ ଲଗାଇ ଦେଇଛି । ଅଭିଯୋଗ ସତ ହୋଇଥିଲେ କେତେ ସାଙ୍ଘାତିକ ତାର ଗୁରୁତ୍ୱକୁ ବୁଝି ବଡବଡିଆ ଅଧିକାରୀ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ଆଶା କରାଯାଉଛି ।