ଦିଲ୍ଲୀରେ ଅଜବ ଚିତ୍ର: ସଂକ୍ରମଣ ଏଡାଇବାକୁ ବସ ଓ ମେଟ୍ରୋରେ ୫୦ ପ୍ରତିଶତ ଯାତ୍ରୀ ବସିବାକୁ ଅନୁମତି 

152

କନକ ବ୍ୟୁରୋ: ଓମିକ୍ରନ ଭୂତାଣୁ ଭୟ ପାଇଁ ଦିଲ୍ଲୀ ସରକାର କଟକଣା ଲଗାଇଛନ୍ତି । ଆଉ ଇଏ ହେଉଛି ନିୟମ ଲାଗୁ ହେବା ପରର ଚିତ୍ର । ଯୁଆଡେ ଅନାଇବେ ଲୋକଙ୍କ ଗହଳି । ଚାରିଆଡେ ଜନ ସମୁଦ୍ର । ମେଟ୍ରୋ ଓ ବସ ଷ୍ଟାଣ୍ଡର ଏହି ଚିତ୍ର ଆଗାମୀ ଦିନରେ ଭୂତାଣୁର ଭିଡକୁ ବଢାଇବ ବୋଲି ଇସାରା ଦେଲାଣି । ନୂଆ ନିୟମ ଲାଗୁ ହେବାରୁ ୫୦ ପ୍ରତିଶତ କ୍ଷମତାରେ ଚାଲିଛି ମେଟ୍ରୋ ଏବଂ ବସ । ତେଣୁ ଅନେକ ଯାତ୍ରୀ ନଯାଇପାରି ବସ ଷ୍ଟାଣ୍ଡ ଏବଂ ମେଟ୍ରୋ ବାହାରେ ଘଂଟା ଘଂଟା ଧରି ଯାତ୍ରୀମାନେ ନିଜ ନିଜ ଗନ୍ତବ୍ୟ ସ୍ଥଳକୁ ଯିବାକୁ ଅପେକ୍ଷା କରିଛନ୍ତି । କିଏ ସକାଳଠୁ ଆସି ଅପରାହ୍ନ ଯାଏ ଅପେକ୍ଷା କରିଛି ତ ଆଉ କିଏ ଟିକେଟ୍ ପାଇଁ ଲମ୍ବା ଧାଡିରେ ଛିଡା ହୋଇଛି ।

ଦେଶରେ ଏଯାବତ ୭୮୧ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ ହେଲେଣି । ଯେଉଁଥିରୁ ଦିଲ୍ଲୀରୁ କେବଳ ୨୩୮ ଜଣ ରହିଛନ୍ତି । ଏହାପରେ ମହାରାଷ୍ଟ୍ରରୁ ୧୬୭ ରହିଛନ୍ତି । କିନ୍ତୁ ନିୟମ ଲାଗୁହେବା ପରେ ଯେଉଁ ଚିତ୍ର ରାଜଧାନୀରେ ଦେଖାଦେଇଛି ତାହା ଦିଲ୍ଲୀ ସରକାରଙ୍କ ଅବ୍ୟବସ୍ଥାର ଚରମ ନିଦର୍ଶନକୁ ଦର୍ଶାଇଛି । ନିୟମ କରିବା ପୂର୍ବରୁ କୌଣସି ଆନୁସଙ୍ଗିକ ବ୍ୟବସ୍ଥା କରିନଥିବା ଅଭିଯୋଗ ହୋଇଛି । ଆଉ ପ୍ରଶ୍ନ ଉଠୁଛି ଯେଉଁ ଉଦ୍ଦେଶ୍ୟରେ ଏହି ଅଂକୁଶ ଲଗାଯାଇଛି, ତାହା ଫଳପ୍ରଦ ହୋଇପାରିବ ତ? ଏହା ଦ୍ୱାରା ସଂକ୍ରମଣ କମିବ ନା ଆହୁରି ବଢିବ? ଅନ୍ୟପଟେ ବିମାନ ବନ୍ଦରରେ ମଧ୍ୟ ଟେଷ୍ଟିଂ ବ୍ୟବସ୍ଥା କଡାକଡି କରିଛନ୍ତି ଦିଲ୍ଲୀ ସରକାର । ସାମାନ୍ୟ ଲକ୍ଷଣ ଥିବା ଯାତ୍ରୀଙ୍କୁ ମଧ୍ୟ ଆଇସୋଲେସନରେ ରଖିବାକୁ ନିୟମ କରିଛନ୍ତି ଦିଲ୍ଲୀ ସରକାର ।

ସରକାରୀ ବସ୍ ହେଉ କି ବେସରକାରୀ ବସ୍ ସବୁୁଥିରେ ସମାନ ସ୍ଥିତି । ସାମାଜିକ କଟକଣା ସହ ବସ୍ରେ ଯିବା ପାଇଁ ନିର୍ଦ୍ଦେଶ ଥିଲେ ମଧ୍ୟ ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ଏପରି ସ୍ଥିତିରେ ଦିଲ୍ଲୀରେ କରୋନାକୁ କିପରି ରୋକାଯାଇ ପାରିବ, ତାହା ବଡ଼ ପ୍ରଶ୍ନ ।

ଓମିକ୍ରନ ଭୂତାଣୁ ଭୟ ପାଇଁ ଦିଲ୍ଲୀ ସରକାରଙ୍କ କଟକଣା

ନୂଆ ନିୟମ ଲାଗୁ ପରେ ୫୦% କ୍ଷମତାରେ ଚାଲିଛି ମେଟ୍ରୋ ଏବଂ ବସ 

ଘଂଟା ଘଂଟା ଧରି ଅପେକ୍ଷା କରୁଛନ୍ତି ଯାତ୍ରୀ

ଦେଶରେ ଏଯାବତ ୭୮୧ ଜଣ ଓମିକ୍ରନ ସଂକ୍ରମିତ ଚିହ୍ନଟ 

କେବଳ ଦିଲ୍ଲୀରୁ ଚିହ୍ନଟ ହୋଇଛନ୍ତି ୨୩୮ ଜଣ 

ମହାରାଷ୍ଟ୍ରରୁ ୧୬୭ ଓମିକ୍ରନ ସଂକ୍ରମିତ ଚିହ୍ନଟ 

ଯେଉଁ ଉଦ୍ଦେଶ୍ୟରେ ଅଂକୁଶ ଲଗାଯାଇଛି, ତାହା ଫଳପ୍ରଦ ହୋଇପାରିବ ତ? 

ଏହା ଦ୍ୱାରା ସଂକ୍ରମଣ କମିବ ନା ଆହୁରି ବଢିବ?