ମେ ୬ରେ ପ୍ରଧାନମନ୍ତ୍ରୀଙ୍କ ଓଡ଼ିଶା ଗସ୍ତ ନେଇ ସୂଚନା ଦେଲା ରାଜ୍ୟ ବିଜେପି: ଦିନ ୧୦ଟାରେ ବ୍ରହ୍ମପୁର ଓ ସାଢ଼େ ୧୨ଟାରେ ନବରଙ୍ଗପୁରରେ କରିବେ ହାଇଭୋଲଟେଜ ପ୍ରଚାର

119

କନକ ବ୍ୟୁରୋ: ମେ’ ୬ ତାରିଖରେ ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଥମ ପର୍ଯ୍ୟାୟ ନିର୍ବାଚନ ପୂର୍ବରୁ ଦକ୍ଷିଣ ଓଡ଼ିଶାରେ ପ୍ରଧାନମନ୍ତ୍ରୀ ମୋଦୀ ହାଇଭୋଲଟେଜ ପ୍ରଚାର କରିବେ । ଗୋଟିଏ ଦିନରେ ଦୁଇଟି ଲୋକସଭା କ୍ଷେତ୍ରରେ ମୋଦୀଙ୍କ କାର୍ଯ୍ୟକ୍ରମ ଅଛି । ବ୍ରହ୍ମପୁର ଓ ନବରଙ୍ଗପୁର ଜନସଭାରେ ସମ୍ଭୋଧନ କରିବେ ମୋଦୀ । ୬ତାରିଖ ଦିନ ସକାଳ ୧୦ଟାରେ ବ୍ରହ୍ମପୁର ଠାରେ ସମାବେଶ କରିବେ । ଅପରାହ୍ନରେ ନବରଙ୍ଗପୁରରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ । ଉଭୟ ସମାବେଶରେ ଉଦବୋଧନ ଦେବେ ପ୍ରଧାନମନ୍ତ୍ରୀ । ଶେଷ ପର୍ଯ୍ୟାୟ ନିର୍ବାଚନ ଭିତରେ ପୁଣି ଓଡ଼ିଶାକୁ ମୋଦୀଙ୍କ ଗସ୍ତ ରହିଛି । ଏନେଇ ସୂଚନା ଦେଇଛନ୍ତି ରାଜ୍ୟଉପସଭାପତି ଗୋଲକ ମହାପାତ୍ର । ନିର୍ବାଚନ ଘୋଷଣା ହେବା ପରେ ଏହା ମୋଦୀଙ୍କ ପ୍ରଥମ କାର୍ଯ୍ୟକ୍ରମ ହୋଇଥିବାରୁ ତାଙ୍କ ଆଭିମ୍ରୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି । ଦୁଇ ଦିନ ତଳେ ଏକ ସାକ୍ଷାତକାରରେ ରାଜ୍ୟ ସରକାରଙ୍କୁ ଶାଣିତ ଆକ୍ରମଣ କରି ବିଜେପି ସରକାର ଗଢିବାକୁ ସୁଯୋଗ ଦେବାକୁ କହିଥିଲେ । ତେଣୁ ନବରଙ୍ଗପୁର ଓ ବ୍ରହ୍ମପୁର ସଭାରେ ସେଭଳି ଶାଣିତ ସ୍ୱର ରହିବ ନା ଆହୁରି ଆକ୍ରମଣାତ୍ମକ ଆଭିମୁଖ୍ୟ ରହିବ ତାଉପରେ ନଜର ରହିଛି । ତେବେ ପରବର୍ତୀ ପର୍ଯ୍ୟାୟରେ ଅମିତ ଶାହ, ଜେପି ନଡ୍ଡା, ରାଜନାଥ ସିଂହ, ସ୍ମୃତି ଇରନୀ ଓ ଯୋଗୀ ଆଦିତ୍ୟନାଥଙ୍କ ପରି ବଡ଼ ଚେହେରା ଓଡ଼ିଶା ଆସିବେ ବୋଲି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।