ପେଟ୍ରୋଲ ଉପରୁ ୨୫ ଟଙ୍କା କମାଇଲେ ଝାଡଖଣ୍ଡ ସରକାର: ତେଲ ଦର ବୃଦ୍ଧି ବେଳେ ସୋରେନ୍ ସରକାରଙ୍କ ମାଷ୍ଟରଷ୍ଟ୍ରୋକ 

162

କନକ ବ୍ୟୁରୋ: ଗୋଟିଏ ଜନମଙ୍ଗଳ ରାଷ୍ଟ୍ରର ସରକାର ବିପିଏଲ ପରିବାରକୁ ଚାଉଳ, ଚିନି, କିରୋସିନ ଦିଅନ୍ତି  । କିନ୍ତୁ ଏବେ ବିପିଏଲ ପରିବାରକୁ ମାସକୁ ରିହାତିରେ ପେଟ୍ରୋଲ ଦେବାରେ ହେମନ୍ତ ସୋରେନ ସରକାର ପ୍ରଥମ ପଦକ୍ଷେପ ନେଇଛନ୍ତି ।

ମାସକୁ ୧୦ ଲିଟର ପେଟ୍ରୋଲରେ ୨୫୦ ଟଙ୍କାର ରିହାତି ଦେଇ ରାଜନୀତିରେ ମାଷ୍ଟରଷ୍ଟ୍ରୋକ ମାରିଛନ୍ତି ସୋରେନ୍ ସରକାର । ଯାହା ଝାଡଖଣ୍ଡବାସୀଙ୍କ ପାଇଁ ବଡ ଆଶ୍ୱସ୍ତି ପାଲଟିଛି । ଆଗକୁ ନିର୍ବାଚନ ନଥିଲେ ବି ଝାଡଖଣ୍ଡ ସରକାରଙ୍କ ଏହି ଘୋଷଣା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । କେବଳ ଦୁଇ ଚକିଆ ବିପିଏଲ୍ କାର୍ଡଧାରୀ ଚାଳକଙ୍କୁ ମାସକୁ ମିଳିବ ୧୦ ଲିଟର ପେଟ୍ରୋଲ । ଡିବିଟି ଜରିଆରେ ମିଳିବ ରିହାତି ଟଙ୍କା । ମୋଟ୍ ଉପରେ ୨୫୦ ଟଂକାରେ ମାସିକ ରିହାତି ପାଇବେ ଗ୍ରାହକ । ତେଣୁ ପେଟ୍ରୋଲ ପମ୍ପରେ ବଜାର ମୂଲ୍ୟ ଅନୁସାରେ ଗ୍ରାହକଙ୍କୁ ଟଂକା ଗଣିବାକୁ ହେବ । ଜାନୁଆରୀ ୨୬ରୁ ଲାଗୁ ହେବ ଏହି ନିୟମ ।

ଝାଡଖଣ୍ଡରେ ଗରିବ ଏବଂ ଆଦିବାସୀଙ୍କ ସଂଖ୍ୟା ଅନ୍ୟ ରାଜ୍ୟ ତୁଳନାରେ ଅଧିକ । ଏପରି ସ୍ଥିତିରେ ରାଜ୍ୟବାସୀଙ୍କ ପାଇଁ ଏହା ବଡ ଆଶ୍ୱସ୍ତିକର । ରାଜ୍ୟରେ ଥିବା ୧୫ ଲକ୍ଷରୁ ଅଧିକ ବିପିଏଲ୍ ହିତାଧିକାରୀ ଏହାଦ୍ୱାରା ଉପକତୃ ହେବେ । କିନ୍ତୁ ପ୍ରଶ୍ନ ଉଠୁଛି, ଯଦି ସରକାର ଏବେ ୨୫ ଟଙ୍କା ରିହାତି ଦେଲେ ତାହେଲେ ପେଟ୍ରୋଲ ଦର ଆହୁରି କେତେ ଟଙ୍କା କମାଇ ପାରିବ ଗୋଟିଏ ସରକାର?

ତେଲରେ ଭ୍ୟାଟ କମାଇବା କଥା କହିଲେ ସରକାର ରାଜସ୍ୱ କ୍ଷତି କଥା କୁହନ୍ତି, ସେତେବେଳେ ସୋରେନ ସରକାରଙ୍କ ଏହି ଘୋଷଣା ଅନ୍ୟ ରାଜ୍ୟ ପାଇଁ ଆହ୍ୱାନ ବଢାଇବ । ରାଜନୀତିରେ ପେଟ୍ରୋଲ, ଡିଜେଲ ଦରର ମହତ୍ୱ ସମସ୍ତେ ବେଶ ଭଲ ଭାବେ ଜାଣିଛନ୍ତି ।

ଉପ – ନିର୍ବାଚନରେ ପରାଜୟ ପରେ ପେଟ୍ରୋଲ ଓ ଡିଜେଲ ଉପରୁ ଏକସାଇଜ ଡ୍ୟୁଟି କମାଇବାକୁ କେନ୍ଦ୍ର ସରକାର ବାଧ୍ୟ ହୋଇଥିଲେ । ଆଉ ଆଗକୁ ଥିବା ୫ ରାଜ୍ୟର ନିର୍ବାଚନକୁ ଆଖି ଆଗରେ ରଖି ପ୍ରତିଦିନ ତେଲ ଦର ବି ପରିବର୍ତନ କରିବାର ଧାରାରେ ବ୍ରେକ ଲାଗୁଛି । ତେଣୂ ସୋରେନ ସରକାର ନେଇଥିବା ଏହି ପଦକ୍ଷେପକୁ ଆଉ କେହି ଅନୁସରଣ କରିବେ କି?