ସଂକ୍ରମଣ ବଢିଲାଣି, ସତର୍କ ରୁହ । ବାଙ୍ଗାଲୋରରେ ଫେରିଲା ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଟକଣା ।

244

କନକ ବ୍ୟୁରୋ : ପୁଣି ଫେରୁଛି ମାସ୍କ । ଦେଶର ପାଞ୍ଚଟି ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାବେଳେ କର୍ଣ୍ଣାଟକ ସରକାର ବାଙ୍ଗାଲୁରୁରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି । ସେପଟେ ମହାରାଷ୍ଟ୍ର ସରକାର ମଧ୍ୟ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । ଆଗାମୀ ଜୁନ୍ ୧୫ ତାରିଖରୁ ମହାରାଷ୍ଟ୍ରରେ ଅନଲାଇନ୍ ମାଧ୍ୟମରେ ସ୍କୁଲ ପାଠପଢା ହେବ ।

ଦେଶରେ କରୋନା ସଂକ୍ରମଣ ଲଗାତାର ଭାବେ ୪ହଜାର ପାଖାପାଖି ରହୁଛି । ବିଶେଷ କରି ଦେଶର ୫ ରାଜ୍ୟ ତାମିଲନାଡୁ, କେରଳ, ତେଲେଙ୍ଗାନା, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ରରେ ସଂକ୍ରମଣ ବଢ଼ିବାରେ ଲାଗିଛି । ସଂକ୍ରମଣ ବଢ଼ୁଥିବାରୁ ଏହି ପାଂଚ ରାଜ୍ୟକୁ ସତର୍କ କରାଇଛନ୍ତି କେନ୍ଦ୍ର ସରକାର । ବଡ଼ କଥା ହେଉଛି, ମହାରାଷ୍ଟ୍ର ତୁଳନାରେ ମୁମ୍ବାଇରେ ସଂକ୍ରମଣ ହାର ଦୁଇଗୁଣା ଅଧିକ ରହିଛି । ପୂରା ରାଜ୍ୟରେ ପଜିଟିଭ୍ ହାର୍ ୪ ଦଶମିକ ୫ ପ୍ରତିଶତ ରହିଥିବା ବେଳେ କେବଳ ମୁମ୍ବାଇରେ ପଜିଟିଭ୍ ହାର ୮ ଦଶମିକ ୮ ପ୍ରତିଶତ ରହିଛି ।

ମହାରାଷ୍ଟ୍ରରେ ଗତ ମେ ୩୦ ତାରିଖ ଠାରୁ ସଂକ୍ରମଣ ଲଗାତାର ଭାବେ ବଢିଚାଲିଛି । କେରଳରେ ମଧ୍ୟ ଦୈନିକ ସଂକ୍ରମଣ ହାର ୯୦ ପ୍ରତିଶତ ବୃଦ୍ଧି ପାଇଛି । ଯାହାକୁ ଦେଖି କେତେକ କଟକଣାକୁ ପୁଣି ଥରେ କଡାକଡି କରିଛନ୍ତି ସେଠାକାର ସରକାର ।

କର୍ଣ୍ଣାଟକ ସରକାର ପୁଣି ଥରେ ବାଙ୍ଗାଲୋରରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରିଛନ୍ତି । ମୁମ୍ବାଇରେ ଜୁନ୍ ୧୫ରୁ ଅନଲାଇନ୍ କ୍ଲାସ କରିବାକୁ ନିଷ୍ପତି ନେଇଛନ୍ତି ମହାରାଷ୍ଟ୍ର ସରକାର । ଏଥିସହ ଦୈନିକ ଟେଷ୍ଟିଂ ପରିମାଣକୁ ମଧ୍ୟ ବଢ଼ାଇବାକୁ ନିଷ୍ପତି ନେଇଛନ୍ତି ସ୍ଥାନୀୟ ସରକାର ।  ଏଭଳି ସ୍ଥିତିରେ ବିଶେଷଜ୍ଞ କହିଛନ୍ତି,  ଓମିକ୍ରନର ନୂଆ ପ୍ରଜାତି ଯୋଗୁଁ ସଂକ୍ରମଣ ବୃଦ୍ଧି ପାଉଛି । ସଂକ୍ରମଣ ବଢ଼ିପାରେ କିନ୍ତୁ ହସ୍ପିଟାଲାଇଜେସନ ଆଉ ଡେଥ୍ ରେଟ୍ କମ୍ ରହିବ । ଦେଶରେ ସଂକ୍ରମଣ ବଢ଼ୁଥିଲେ ବି ଆଶ୍ୱସ୍ତିର ବିଷୟ ହେଉଛି ମୃତ୍ୟୁ ସଂଖ୍ୟା କମ୍ ରହିଛି । ହସ୍ପିଟାଲରେ ମଧ୍ୟ ରୋଗୀଙ୍କ  ସଂଖ୍ୟା ମଧ୍ୟ କମ ରହିଛି ।