ଦିଲ୍ଲୀରେ ବଢ଼ୁଛି କରୋନା ସଂକ୍ରମଣ: ଆସିବ କି କରୋନାର ଚତୁର୍ଥ ଲହର?

121

କନକ ବ୍ୟୁରୋ: କରୋନା ସଂକ୍ରମଣ ହ୍ରାସ ପାଇବା ପରେ ଜୀବନ ଯାତ୍ରା ସ୍ୱାଭାବିକ ହେଉଥିବା ବେଳେ କିଛି ଦିନ ହେବ ଦିଲ୍ଲୀରେ ବଢ଼ୁଛି ସଂକ୍ରମଣ । ଗୋଟିଏ ସପ୍ତାହ ତଳେ ଟେଷ୍ଟ ପଜିଟିଭିଟି ରେଟ୍ ୧ ପ୍ରତିଶତରୁ କମ୍ ରହିଥିଲା । ଏବେ ସଂକ୍ରମଣ ହାର ବୃଦ୍ଧି ପାଇ ୩.୯୫ ପ୍ରତିଶତ ରେ ପହଁଚିଛି । ୫୩ ଜଣ ଡାକ୍ତରଖାନାରେ ଭର୍ତି ହୋଇଛନ୍ତି, ସେମାନଙ୍କ ମଧ୍ୟରେ ୧୪ ଜଣ ଛୋଟପିଲା । ସ୍କୁଲ ପାଇଁ ଗାଇଡଲାଇନ ଜାରି କରାଯାଇଛି, ହେଲେ ସ୍କୁଲ ବନ୍ଦ କରିବା ସପକ୍ଷରେ ନାହାନ୍ତି ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ।

ଦିଲ୍ଲୀ ଉପକଣ୍ଠ ଗାଜିଆବାଦ ଓ ଗୌତମ ବୁଦ୍ଧ ନଗରରେ କରୋନା ସଂକ୍ରମଣ ବୃଦ୍ଧି ପାଇବା ପରେ ଏନସିଆର ଜିଲ୍ଲାଗୁଡିକରେ ଆଲର୍ଟ ଜାରି କରିଛନ୍ତି ୟୁପି ସରକାର । କରୋନା ପରିଚାଳନା ନେଇ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ବୈଠକ ବସିଛି । ସମଗ୍ର ଏନ୍ସିଆର୍ ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦିଆଯିବା ସହ ବୁଷ୍ଟର ଡୋଜ୍ ଟିକାକରଣକୁ ତ୍ୱରାନ୍ୱିତ କରିବାକୁ କୁହାଯାଇଛି । ପିଲାଙ୍କ ଟିକା ଉପରେ ମଧ୍ୟ ଗୁରୁତ୍ୱ ଆରୋପ କରିଛନ୍ତି ଯୋଗୀ ସରକାର ।

ସେପଟେ ଚୀନରେ ସଂକ୍ରମଣ ବଢ଼ିଚାଲିଛି । ତେବେ ଡାକ୍ତରଙ୍କ କହିବା କଥା ଚୀନରେ ଯେଉଁ ନୂଆ ଷ୍ଟ୍ରେନ୍ ଦେଖିବାକୁ ମିଳୁଛି, ତାହା ପ୍ରାୟ ଓମିକ୍ରନ ଭଳି । ତେଣୁ ଏହାକୁ ନେଇ ଚିନ୍ତା କରିବାର ବିଶେଷ କାରଣ ନାହିଁ ବୋଲି କହିଛନ୍ତି ଡାକ୍ତର ।