କାୟା ମେଲାଉଛି କରୋନା । ଦିନକରେ ଦେଶରେ ୨୬ ହଜାର ୨୯୧ ନୂଆ ଆକ୍ରାନ୍ତ ଚିହ୍ନଟ । ଗତ ୮୫ ଦିନ ଭିତରେ ସର୍ବାଧିକ ଦୈନିକ ସଂକ୍ରମଣ ।

75

କନକ ବ୍ୟୁରୋ: ଦିନକ ମଧ୍ୟରେ ଦେଶରେ ୨୬ ହଜାର ୨୯୧ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହା ସହ ୧୧୮ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଦେଶରେ ବିଶେଷ କରି ମହାରାଷ୍ଟ୍ର, କେରଳ, ପଂଜାବ, ଗୁଜରାଟ, ତାମିଲନାଡୁ ଓ ମଧ୍ୟପ୍ରଦେଶରେ ସ୍ଥିତି ଧିରେ ଧିରେ ଜଟିଳ ହେବାରେ ଲାଗଛି । ନୂଆ ସଂକ୍ରମିତ ମାମଲାର ୮୭. ୭୩ ପ୍ରତିଶତ କେବଳ ଏହି ୭ଟି ରାଜ୍ୟରେ ରହିଥିବା ସ୍ୱାସ୍ଥ୍ୟ ମନ୍ତ୍ରାଳୟ ସୂଚନା ଦେଇଛି । ଗତ ୨୪ ଘଂଟା ଭିତରେ ଯେତିକି ମାମଲା ଆସିଛି, ତାହା ୮୫ ଦିନ ମଧ୍ୟରେ ସର୍ବାଧିକ । ଗତବର୍ଷ ଡିସେମ୍ବର ୨୦ ତାରିଖ ପରେ ଏହା ହେଉଛି ସବୁଠୁ ଅଧିକ ଦୈନିକ ସଂକ୍ରମଣ । ଚିନ୍ତାର ବିଷୟ ହେଉଛି ଗତ ସପ୍ତାହରେ କରୋନା ସଂକ୍ରମଣ ମାମଲା ପୂର୍ବ ସପ୍ତାହ ତୁଳନାରେ ୩୩ ପ୍ରତିଶତ ବଢିଛି ।

ସାପ୍ତାହିକ କରୋନା ସଂକ୍ରମଣକୁ ବିଚାର କଲେ, ଫେବ୍ରୁଆରୀ ମଧ୍ୟ ଭାଗରୁ ଦେଶରେ କରୋନାର ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଛି । ଫେବୃଆରୀ ୮ରୁ ୧୪ ଗୋଟିଏ ସପ୍ତାହରେ ଦେଶରେ ୭୭ ହଜାର ୨୮୪ କରୋନା ସଂକ୍ରମଣ ଚିହ୍ନଟ ହୋଇଥିଲା । ଏହା ଗତବର୍ଷ ସେପ୍ଟେମ୍ବର ପରେ ଥିଲା ସର୍ବନିମ୍ନ । ହେଲେ ଏହାପରଠାରୁ କ୍ରମାଗତ ଭାବେ ବଢିଚାଲିଛି କରୋନା ସଂକ୍ରମଣ ।

ବିଶେଷ କରି ମାର୍ଚ୍ଚ ଆରମ୍ଭରୁ ଦ୍ରୁତ ବେଗରେ ବଢୁଛି ସଂକ୍ରମଣ ମାମଲା । ମାର୍ଚ୍ଚ ପ୍ରଥମ ସପ୍ତାହ ଅର୍ଥାତ ୧ରୁ ୭ ତାରିଖ ମଧ୍ୟରେ ଦେଶରେ ୧ ଲକ୍ଷ ୧୭ ହଜାର ୧୯୮ଟି ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଥିଲା । ଯାହା ଗତ ୬ ସପ୍ତାହରେ ଥିଲା ସର୍ବାଧିକ । ସେହିପରି ମାର୍ଚ୍ଚ ୮ରୁ ୧୪ ତାରିଖ ଗୋଟିଏ ସପ୍ତାହରେ ଦେଶରେ ୧ ଲକ୍ଷ ୫୫ ହଜାର ୯୦୯ଟି ନୂଆ କରୋନା ସଂକ୍ରମଣ ଚିହ୍ନଟ ହୋଇଛି । ଏହା ମଧ୍ୟ ଗତ ୧୨ ସପ୍ତାହରେ ସର୍ବାଧିକ ।

ଚଳିତବର୍ଷ ଆରମ୍ଭରୁ ଅର୍ଥାତ ଜାନୁଆରୀ ପ୍ରଥମ ସପ୍ତାହରେ କରୋନା ଜନିତ ମୃତ୍ୟୁ ୧ ହଜାରରୁ ଅଧିକ ରହିଥିଲା । ହେଲେ ଫେବୃଆରୀ ବେଳକୁ ଏହା ଅଧା ହୋଇଯାଇଥିଲା । ଫେବୃଆରୀ ପ୍ରଥମ ସପ୍ତାହ ଅର୍ଥାତ ୧ରୁ ୭ ଫେବୃଆରୀ ଗୋଟିଏ ସପ୍ତାହରେ ୬୮୦ ଜଣଙ୍କର କରୋନାରେ ମୃତ୍ୟୁ ରେକର୍ଡ କରାଯାଇଥିଲା । ସେହିପରି ପରବର୍ତୀ ସପ୍ତାହରେ ଏହା ଥିଲା ୬୫୦ । ଫେବୃଆରୀ ତୃତୀୟ ସପ୍ତାହରେ ମଧ୍ୟ ୬୬୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ଫେବୃଆରୀ ୨୨ରୁ ୨୮ ମଧ୍ୟରେ ଏହି ସଂଖ୍ୟା ସାମାନ୍ୟ ବଢିବା ଆରମ୍ଭ କଲା । ଏହି ସସ୍ତାହରେ ସାରା ଦେଶରେ ମୋଟ୍ ୭୭୬ ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିଲା । ମାର୍ଚ୍ଚ ଆରମ୍ଭରୁ କରୋନା ମୃତ୍ୟୁ ସାମାନ୍ୟ କମି ପୁଣି ଦ୍ୱିତୀୟ ସପ୍ତାହ ବେଳକୁ ଏଥିରେ ଉନ୍ନତି ହୋଇଛି । ଅର୍ଥାତ ମାର୍ଚ୍ଚ ୮ରୁ ୧୪ ଗୋଟିଏ ସପ୍ତାହରେ ସାରାଦେଶରେ ୮୮୭ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ରର ନାଗପୁରରେ ସୋମବାରଠାରୁ ଆରମ୍ଭ ହୋଇଛି ତାଲାବନ୍ଦ । କଡା କଟକଣା ଭିତରେ ମାର୍ଚ୍ଚ ୨୧ ତାରିଖ ପର୍ଯ୍ୟନ୍ତ ଏହି ତାଲାବନ୍ଦ ଜାରି ରହିବ । ସେପଟେ ମଧ୍ୟ ପ୍ରଦେଶରେ ମଧ୍ୟ ସଂକ୍ରମଣ ଲଗାତାର ବଢୁଥିବାରୁ ନାଇଟ୍ କର୍ଫ୍ୟୁ ଲାଗୁ କରିବା ନେଇ ଚିନ୍ତା କରୁଛନ୍ତି ସରକାର ।