ବ୍ୟାଙ୍କ ଘରୋଇକରଣ ବିରୋଧ କରି କର୍ମଚାରୀଙ୍କ ଆନ୍ଦୋଳନ । ବନ୍ଦ ରହିଲା ବ୍ୟାଙ୍କ କାରବାର ଓ କ୍ଲିୟରିଂ ।

230

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ଘରୋଇ କରଣ ନିଷ୍ପତ୍ତିକୁ ବିରୋଧକରି ଆନ୍ଦୋଳନକୁ ଓହ୍ଲାଇଛି ୟୁନାଇଟେଡ୍ ଫୋରମ୍ ଅଫ୍ ବ୍ୟାଙ୍କ ୟୁନିଅନ୍ । ଏହାକୁ ସମର୍ଥନ କରିଛନ୍ତି ୯ଟି ବ୍ୟାଙ୍କ କର୍ମଚାରୀ ଓ ଅଧିକାରୀ ସଂଘ । ମାର୍ଚ୍ଚ ୧୫ ଓ ୧୬ ଦୁଇ ଦିନ ପାଇଁ ବ୍ୟାଙ୍କ କର୍ମଚାରୀ ଧର୍ମଘଟ ଘୋଷଣା କରିଥିବାରୁ ବନ୍ଦ ରହିଛି ବ୍ୟାଙ୍କରେ କାରବାର । ଫଳରେ ବ୍ୟାଙ୍କ ଶାଖାରେ ହେଉଥିବା କାରବାର, କ୍ଲିୟରିଂ ଆଦି ଗୁରୁତର ଭାବେ ପ୍ରଭାବିତ ହୋଇଛି । ସର୍ବଭାରତୀୟ ସ୍ତରରେ ଧର୍ମଘଟରେ ପ୍ରାୟ ୧୦ ଲକ୍ଷ କର୍ମଚାରୀ ସାମିଲ ହୋଇଛନ୍ତି ।

ଏହି ଧର୍ମଘଟ ଯୋଗୁଁ ଅନ୍ଲାଇନ ଓ ଡିଜିଟାଲ ବ୍ୟାଙ୍କିଙ୍ଗ୍ରେ କୌଣସି ଅସୁବିଧା ହେବ ନାହିଁ ବୋଲି କୁହାଯାଉଛି । ଅନ୍ୟପଟେ ବ୍ୟାଙ୍କଗୁଡିକ ଏଟିଏମରେ ପର୍ଯ୍ୟାପ୍ତ ଟଙ୍କା ରଖିଥିବାରୁ ଏଟିଏମ୍ ରୁ ଟଙ୍କା ଉଠାଣ ମଧ୍ୟ ପ୍ରଭାବିତ ହେବାର ଆଶଙ୍କା କମ୍ । କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ରେ ୧.୭୫ ଲକ୍ଷ କୋଟି ଟଙ୍କା ଯୋଗାଡ କରିବା ପାଇଁ ବ୍ୟାଙ୍କର ଘରୋଇ କରଣ ପାଇଁ ଘୋଷଣା କରିଥିଲେ । ଏହାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଛନ୍ତି ବ୍ୟାଙ୍କ କର୍ମଚାରୀ ।

ଶନିବାର ଓ ରବିବାର ଦୁଇ ଦିନ ବନ୍ଦ ରହିବା ପରେ ଏହି ଦୁଇ ଦିନ ଧର୍ମଘଟ ଯୋଗୁଁ ବନ୍ଦ ରହୁଛି ବ୍ୟାଙ୍କ । ଫଳରେ ଦୀର୍ଘ ୪ ଦିନ ପରେ ଆସନ୍ତା ବୁଧବାର ଦିନ ଖୋଲିବ ବ୍ୟାଙ୍କ । ସେପଟେ ଆସନ୍ତା ୧୭ ଓ ୧୮ ତାରିଖରେ ବୀମା ସଂସ୍ଥାଗୁଡିକ ମଧ୍ୟ ଆନ୍ଦୋଳନ କରିବା ପାଇଁ କରିଛନ୍ତି ଘୋଷଣା ।