ନିଲମ୍ବନ ପରେ ଇସ୍ତଫା । ହାଇକମାଣ୍ଡଙ୍କୁ କ୍ଷୋଭ ଜଣାଇ ଦଳ ଛାଡିଲେ ନେତା । ଜାଣନ୍ତୁ ଚିଠିରେ କଣ ଲେଖିଲେ ଯୋଗେଶ

328

କନକ ବ୍ୟୁରୋ: କଂଗ୍ରେସ ଦଳ ଓ ବିଧାୟକ ପଦରୁ ଆଜି ଇସ୍ତଫା ଦେଲେ ଯୋଗେଶ ସିଂ । କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ନିକଟକୁ ଏ ନେଇ ସେ ଇସ୍ତଫା ପତ୍ର ମଧ୍ୟ ପଠାଇଛନ୍ତି । ଏଥିରେ ଶୃଙ୍ଖଳାଗତ କମିଟିର ନିଷ୍ପତି ଉପରେ ଆଶ୍ଚର୍ଯ୍ୟ ପ୍ରକଟ କରିବା ବିନା କାରଣ ଦର୍ଶାଅ ନୋଟିସରେ ଏଭଳି ନିଷ୍ପତି କିଭଳି ନିଆଗଲା ବୋଲି ଯୋଗେଶ ପ୍ରଶ୍ନ କରିଛନ୍ତି ।

ଯୋଗେଶ ଆହୁରି କହିଛନ୍ତି, ଦେଶର ଜଣେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରିବାରେ କେଉଠି ଭୁଲ ରହିଲା । ପୂôର୍ବରୁ ୟୁପିଏ ସରକାର ସମୟରେ ବି ଅନେକ ମନ୍ତ୍ରୀ ଓଡିଶା ଆସି ନବୀନ ପଟ୍ଟନାୟକଙ୍କୁ ପ୍ରଂଶସା କରି ବକ୍ତବ୍ୟ ରଖିଛନ୍ତି । ରାହୁଲଙ୍କ ଗସ୍ତ ସମ୍ପର୍କରେ ଯୋଗଦେବା ନେଇ ଯୋଗେଶ ସଫେଇ ଦେଇଛନ୍ତି ଯେ, ୨୫ ତାରିଖ ସମାବେଶରେ ଯୋଗଦେଇପାରିବେ ନାହିଁ ବୋଲି ସେ କହିସାରିଥିଲେ । ନିଜ ନିର୍ବାଚନମଣ୍ଡଳୀରେ ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଥିବାରୁ ସଭାକୁ ଯାଇପାରିବେ ନାହିଁ ବୋଲି ଜଣାଇଥିଲେ । ଏହା କିଭଳି ଦଳ ବିରୋଧୀ କାମ ହେଲା ବୋଲି ପ୍ରଶ୍ନ କରିଛନ୍ତି ଯୋଗେଶ ସିଂ ।

ଦୀର୍ଘ ୧୭ ବର୍ଷ ହେଲା କଂଗ୍ରେସରେ ରହି କାମ କରିଥିଲି । ବିନା ନୋଟିସରେ ଦଳରୁ ନିଲମ୍ବିତ କରାଯାଇଥିବାରୁ ଦଳରେ ତାଙ୍କର ରହିବାର କୌଣସି ଆବଶ୍ୟକତା ନାହିଁ ବୋଲି ଦର୍ଶାଇ କଂଗ୍ରେସ ଓ ବିଧାୟକ ପଦ ଛାଡିଥିବା କଥା କହିଛନ୍ତି ଯୋଗେଶ । କିଛି ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଂଶସା କରିବା ସହ ରାହୁଲଙ୍କ ସମାବେଶରେ ଯୋଗଦେବେ ନାହିଁ ବୋଲି କହି ଚର୍ଚ୍ଚାକୁ ଆସିଥିଲେ ଯୋଗେଶ ସିଂ । ଏହାପରେ ଗତକାଲି ତାଙ୍କୁ କଂଗ୍ରେସରୁ ସସପେଣ୍ଡ କରାଯାଇଥିଲା ।

ସେପଟେ, ନବ ଦାସ ଓ ଯୋଗେଶ ପ୍ରସଙ୍ଗରେ ନିରଞ୍ଜନ କହିଛନ୍ତି ନେତା ନୁହେଁ ଦଳ ଗୁରୁତ୍ୱପୂର୍ଣ୍ଣ । ତେଣୁ ଏହି ଦୁଇ ଜଣ ଦଳରୁ ଯିବା ପରେ ଏହାର ପ୍ରଭାବ ଦଳ ଉପରେ କିଛି ପ୍ରଭାବ ପଡିବନାହିଁ । ଯୋଗେଶ ସିଂଙ୍କ କ୍ଷେତ୍ରରେ ଶୃଙ୍ଖଳା କମିଟି ନିଷ୍ପତିକୁ ନିରଞ୍ଜନ ଠିକ ନିଷ୍ପତି ବୋଲି ଦର୍ଶାଇଛନ୍ତି । ସେ କହିଛନ୍ତି, ଯୋଗେଶ ବିଜେଡି ସହ ଯୋଗାଯୋଗରେ ଥିବା ସ୍ପଷ୍ଟ ଖବର ଥିଲା । ଝାରୁସୁଗୁଡାରେ ବିକଳ୍ପ ପାଇଁ ବହୁତ ଲୋକ ଅଛନ୍ତି । ୧୫ ତାରିଖରେ ନବରଙ୍କୁ କାରଣ ଦର୍ଶାଅ ନୋଟିସ ଦିଆଯାଇଥିଲା । ୧୬ ତାରିଖ ଏଆଇସିସିରୁ ମତମତା ଆସିବା ପୂର୍ବରୁ ନବଙ୍କୁ ବହିଷ୍କାର କରାଯାଇଛି । ଆବଶ୍ୟକ ପଡିଲେ ସାଙ୍ଗଠନିକ ପୁନଃବିନ୍ୟାସ ହେବ ବୋଲି ବି ସଙ୍କେତ ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ ।

ଅନ୍ୟପଟେ, କଂଗ୍ରେସ ବିଧାୟକ ବିଜେଡିରେ ମିଶିବା ନେଇ ପ୍ରତିକ୍ରିୟା ରଖିଛନ୍ତି ମନ୍ତ୍ରୀ ସୂର୍ଯ୍ୟନାରାୟଣ ପାତ୍ର । ବହୁତ ଲୋକ ବିଜେଡିରେ ମିଶିବା ନେଇ ଆଶାୟୀ ଅଛନ୍ତି । ଏନେଇ କଥାବାର୍ତା ଚାଲିଛି । ଅନେକ ବିଜେପି ଓ କଂଗ୍ରେସ ନେତା ବିଜେଡି ମୁହାଁ ହେଉଥିବା ସୂର୍ଯ୍ୟପାତ୍ର କହିଛନ୍ତି ।