ରାହୁଲ ଗାନ୍ଧୀଙ୍କୁ ରାମଙ୍କ ଅବତାର କହି ଅଡୁଆରେ କଂଗ୍ରେସ ନେତା ସଲମାନ ଖୁର୍ସିଦ, ଜାଣନ୍ତୁ କଣ ପ୍ରତିକ୍ରିୟା ରଖିଲା ବିଜେପି

219

କନକ ବ୍ୟୁରୋ : ଭାରତ ଯୋଡ ଯାତ୍ରାଠାରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ବେଶ୍ ଚର୍ଚ୍ଚାରେ ଅଛନ୍ତି । ସେପ୍ଟେମ୍ବର ମାସରୁ ଆରମ୍ଭ ହୋଇଥିବା ଭାରତ ଯୋଡ ଯାତ୍ରାରେ ହଜାର ହଜାର ସମର୍ଥକ ଯୋଡି ହେଉଥିବା ବେଳେ ଅଭିନେତା, ଲେଖକ ଓ ସାମାଜିକ କର୍ମୀମାନଙ୍କୁ ମଧ୍ୟ ଏହି ଯାତ୍ରାରେ ଦେଖିବାକୁ ମିଳିଛି । ଭାରତ ଯୋଡ ଯାତ୍ରାର ସଫଳତା ଦେଖିବା ପରେ କଂଗ୍ରେସ ନେତାମାନେ ଉତଫୁଲିତ ହୋଇପଡିଛନ୍ତି । ଏହି କ୍ରମରେ ବରିଷ୍ଠ କଂଗ୍ରେସ ନେତା ସଲମାନ ଖୁର୍ସିଦ ଏଭଳି ଏକ ବୟାନ ଦେଇଛନ୍ତି କି ଯାହାକୁ ନେଇ ବିବାଦ ଦେଖା ଦେଇଛି । ସଲମାନ ଖୁର୍ସିଦ ରାହୁଲ ଗାନ୍ଧୀଙ୍କୁ ଭଗବାନ ରାମଙ୍କ ସହ ତୁଳନା କରିବା ସହ କଂଗ୍ରେସ ନେତାମାନଙ୍କୁ ଭରତ ସହ ତୁଳନା କରିଛନ୍ତି ।

ନ୍ୟୁଜ୍ ଏଜେନ୍ସି ଏଏନଆଇ ମୁତାବକ ସଲମାନ ଖୁର୍ସିଦ କହିଛନ୍ତି କି ଭଗବାନ ରାମଙ୍କ କଠଉ ବହୁତ ଦୂର ପର୍ଯ୍ୟନ୍ତ ଯାଇଥାଏ । କେବେ କେବେ ଭଗବାନ ରାମ ଯେଉଁଠି ପହଂଚିପାରନ୍ତି ନାହିଁ ସେଠାରେ ରାମଙ୍କର କଠଉ ଧରି ଭରତ ପହଂଚିଯାଏ ବୋଲି ଖୁର୍ସିଦ କହିଛନ୍ତି । ସେ ଆହୁରି କହିଛନ୍ତି କି ଏବେ ଆମେ କଠଉ ଧରି ଉତ୍ତରପ୍ରଦେଶରେ ପହଂଚିଛି ଏହାପରେ ରାମ ଆସିବେ ବୋଲି ସେ କହିଛନ୍ତି । ଖୁର୍ସିଦ କହିଛନ୍ତି କି ରାହୁଲ ଗାନ୍ଧୀ ଜଣେ ଯୋଗୀଙ୍କ ତପସ୍ୟା ଭଳି ମିଶନ ଉପରେ ଫୋକସ କରିଛନ୍ତି । ଏହାସହ ସେ ରାହୁଲ ଗାନ୍ଧୀଙ୍କୁ ଜଣେ ସୁପର ହ୍ୟୁମାନ ସହ ତୁଳନା କରିଛନ୍ତି   ।
ସଲମାନ ଖୁର୍ସିଦଙ୍କ ଏଭଳି ବୟାନକୁ ନେଇ ବିଜେପି ଆକ୍ସନ ମୋଡକୁ ଆସିଛି । ବିଜେପି ପ୍ରବକ୍ତା ଶାହଜାଦ ପୁନାୱାଲା କହିଛନ୍ତି କି ଖୁର୍ସିଦଙ୍କ ବୟାନ ହିନ୍ଦୁମାନଙ୍କ ଆସ୍ଥା ଉପରେ ଅପମାନ । ସେ ତାଙ୍କ ଟ୍ୱିଟରରେ ଲେଖିଛନ୍ତି ଯେ ଯେଉଁଦଳ ରାମଙ୍କର ଅସ୍ତିତ୍ୱକୁ ଅସ୍ୱୀକାର କରି ରାମ ମନ୍ଦିର ନିର୍ମାଣରେ ବାଧା ସୃଷ୍ଟି କରୁଛନ୍ତି ସେହିମାନେ ଏବେ ହିନ୍ଦୁମାନଙ୍କ ଆସ୍ଥାକୁ ଅପମାନ କରୁଛନ୍ତି ।