ଦିଲ୍ଲୀ ଏମସିଡି ନିର୍ବାଚନ ଲଢିବା ନେଇ ମତ ବଦଳାଇଲା ବିଜେପି, ଲଢିବ ମେୟର ଓ ଡେପୁଟି ମେୟର ନିର୍ବାଚନ

108

କନକ ବ୍ୟୁରୋ : ଜାନୁଆରୀ ୬ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଛି ଦିଲ୍ଲୀ ଏମସିଡି ନିର୍ବାଚନ । ଏହି ନିର୍ବାଚନରେ ଭାଗ ନେବାକୁ ପ୍ରଥମେ ବିଜେପି ମନା କରିଥିବା ବେଳେ ଏବେ ମତ ପରିବର୍ତ୍ତନ କରିଛି । କେବଳ ମତ ପରିବର୍ତ୍ତନ କରିନାହିଁ ମେୟର ପାଇଁ ଦାବିଦାର ଥିବା ଆମ୍ ଆଦମୀ ପାର୍ଟି ପ୍ରଥମରୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ଏବେ ବିଜେପି ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି । ବିଜେପି ମେୟର ପଦପାଇଁ ରେଖା ଗୁପ୍ତାଙ୍କୁ ପ୍ରାର୍ଥୀ କରିଛି । ଏହାସହ କମଲ ବାଗଡୀଙ୍କୁ ଡେପୁଟି ମେୟର ପଦପାଇଁ ମୈଦାନକୁ ଉହ୍ଲାଇଛି ।

ଏହା ପୂର୍ବରୁ ଦିଲ୍ଲୀ ବିଜେପିର ନେତା ଆଦେଶ ଗୁପ୍ତା ଏକ ଜାତୀୟ ଗଣମାଧ୍ୟମକୁ ସୂଚନା ଦେଇ କହିଥିଲେ କି ଆମ୍ ଆଦମୀ ପାର୍ଟି ପାଖରେ ବହୁମତ ଥିବାରୁ ବିଜେପି ଏହି ନିର୍ବାଚନ ଲଢିବ ନାହିଁ । ବିଜେପି ଦିଲ୍ଲୀ ଏମସିଡିରେ ଏକ ମଜବୁତ ବିରୋଧୀଦଳର ଭୂମିକା ନିର୍ବାହ କରିବ ।

ସୂଚନା ଥାଉକି ଦିଲ୍ଲୀ ଏମସିଡି ନିର୍ବାଚନରେ ୧୫ ବର୍ଷ ପରେ ବିଜେପିକୁ ପରାଜିତ ହେବାକୁ ପଡିଥିଲା । ମୋଟ ୨୫୦ ଆସନ ବିଶିଷ୍ଠ ଦିଲ୍ଲୀ ଏମସିଡି ନିର୍ବାଚନରେ ଆମ୍ ଆଦମୀ ପାର୍ଟିକୁ ୧୩୪ ଟି ଆସନ ମିଳିଥିବା ବେଳେ ବିଜେପି ୧୦୪ଟି ଆସନରେ ବିଜୟୀ ହୋଇଥିଲା ।