ସର୍ଜିକାଲ ଷ୍ଟ୍ରାଇକ ଉପରେ ପ୍ରଶ୍ନ ଉଠାଇ ପୁଣି ବିବାଦରେ କଂଗ୍ରେସ ନେତା । କେନ୍ଦ୍ର ସରକାରଙ୍କୁ ଭିଡିଓ ଦାବି କରି ମାଗିଲେ ପ୍ରମାଣ ।

113

କନକ ବ୍ୟୁରୋ: ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପୁଣି ପ୍ରଶ୍ନ ଉଠାଇଛନ୍ତି କଂଗ୍ରେସର ବରିଷ୍ଠ ନେତା ରାସିଦ ଅଲବୀ । କିଛି ଦିନ ପୂର୍ବରୁ ଦିଗବିଜୟ ସିଂଙ୍କ ବୟାନକୁ ନେଇ ବିବାଦ ଥମିନଥିବାବେଳେ ଏବେ ରାସିଦ କେନ୍ଦ୍ର ସରକାରଙ୍କଠୁ ସର୍ଜିକାଲ ଷ୍ଟ୍ରାଇକର ଭିଡିଓ ଦାବି କରି ପ୍ରମାଣ ମାଗିଛନ୍ତି । ସେପଟେ ବିଜେପି କହିଛି ସେନା ଓ ଦେଶର ଅପମାନ କରିବାରେ କଂଗ୍ରେସ ଅଭ୍ୟସ୍ତ, ତୁରନ୍ତ ମାଗୁ କ୍ଷମା ।

  • କଂଗ୍ରେସ ନେତା ଉଠାଇଲେ ପ୍ରଶ୍ନ
  • ସର୍ଜିକାଲ ଷ୍ଟ୍ରାଇକର ମାଗିଲେ ପ୍ରମାଣ
  • ରାସିଦ ଅଲବୀଙ୍କ ଦାବି, ସରକାର ଦେଖାନ୍ତୁ ଭିଡିଓ
  • ବିଜେପିର ନିନ୍ଦା, କହିଲା ସେନାର ଅପମାନ କରୁଛି କଂଗ୍ରେସ

ସର୍ଜିକାଲ ଷ୍ଟ୍ରାଇକୁ ନେଇ ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ କିଛି ଦିନ ପୂର୍ବରୁ ଦେଇଥିଲେ ବିବାଦୀୟ ବୟାନ । ପୁରଣା ବିବାଦ ଥମିନଥିବା ବେଳେ ଏବେ ମୁଣ୍ଡ ଟେକିଛି ନୂଆ ସମସ୍ୟା । ସର୍ଜିକାଲ ଷ୍ଟ୍ରାଇକକୁ ନେଇ ପ୍ରଶ୍ନ ଉଠାଇବା ସହ ପ୍ରମାଣ ମାଗିଛନ୍ତି ଦଳର ବରିଷ୍ଠ ନେତା ରାସିଦ ଅଲବୀ । ଦିଗବିଜୟଙ୍କ ସ୍ୱରରେ ସ୍ୱର ମିଳାଇ ଏବେ ରସିଦ ଅଲବୀ କେନ୍ଦ୍ର ସରକାରଙ୍କ ଉପରେ ପ୍ରଶ୍ନବାଣ କରିଛନ୍ତି । ସର୍ଜିକାଲ ଷ୍ଟାଇକର ପ୍ରମାଣ ମାଗିଛନ୍ତି ରାସିଦ ଅଲବୀ । ସର୍ବସମ୍ମୁଖରେ ସର୍ଜିକାଲ ଷ୍ଟ୍ରାଇକର ଭିଡିଓ ଆଣିବା ପାଇଁ ସେ ଦାବି କରିଛନ୍ତି ।

ଦିଗବିଜୟଙ୍କ ବୟାନକୁ ନେଇ ବିବାଦ ବଢୁଥିବା ଦେଖି କଂଗ୍ରେସ ମଧ୍ୟ ସଫା ସଫା ଶଦ୍ଧରେ ପ୍ରତିକ୍ରିୟା ରଖିଥିଲା । କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ ଦିଗବିଜୟଙ୍କ ବୟାନ ତାଙ୍କର ବ୍ୟକ୍ତିଗତ ବୟାନ, ଏହା ଦଳର ବୟାନ ନୁହେଁ । ସେନାଠୁ କୌଣସି ପ୍ରମାଣ ଚାହେଁନି କଂଗ୍ରେସ । ସର୍ଜିକାଲ ଷ୍ଟ୍ରାଇକୁ ନେଇ କଂଗ୍ରେସ ନେତା ବାରମ୍ବାର ପ୍ରଶ୍ନ ଉଠାଉଥିବାବେଳେ ବିଜେପି ବାରମ୍ବାର ଦଳକୁ ସମାଲୋଚନା କରୁଛି ।

ଘଟଣାକୁ ନେଇ ପ୍ରତିରକ୍ଷା ବିଶେଷଜ୍ଞଙ୍କ ମତ ମଧ୍ୟ ପ୍ରକାଶ ପାଇଛି । ଭାରତୀୟ ସେନା ଉପରେ କଂଗ୍ରେସର ଏଭଳି ବୟାନ ନିନ୍ଦନୀୟ । ଦେଶର ସୁରକ୍ଷାକୁ ଦୃଷ୍ଟିରେ ରଖି ସର୍ଜିକାଲ ଷ୍ଟ୍ରାଇକ ଭିଡିଓ ସାର୍ବଜନୀନ କରାଯାଇପାରିବନି କହିଛନ୍ତି ପ୍ରତିରକ୍ଷା ବିଶେଷଜ୍ଞ । କଂଗ୍ରେସ ନେତାଙ୍କ ଏଭଳି ବୟାନ ଦଳ ପାଇଁ ଆଗକୁ ବଡ ସମସ୍ୟା ଆଣିବା ନେଇ ସେ ଆଶଙ୍କା ପ୍ରକାଶ କରିଛନ୍ତି ।

ତେବେ ଏବେ ପ୍ରଶ୍ନ ଉଠୁଛି ସେନା ଉପରେ ପ୍ରଶ୍ନ ଉଠାଇବାକୁ ନେଇ ଦଳର ହାଇକମାଣ୍ଡ ପଛଘୁଞ୍ଚା ଦେଉଛନ୍ତି କିମ୍ବା ଦୂରେଇ ରହୁଛନ୍ତି । ତେବେ ଦଳୀୟ ନେତା ଏଭଳି ବୟାନ ବାରମ୍ବାର କଣ ପାଇଁ ରଖୁଛନ୍ତି ? ଏହା କଂଗ୍ରେସ ଦୁର୍ବଳ ଏକତାକୁ ଦର୍ଶାଉଛି ନା ନେତାମାନେ ହାଇକମାଣ୍ଡଙ୍କ ତାଗିଦକୁ ନଜର ଅନ୍ଦାଜ କରୁଛନ୍ତି?