ମହମ୍ମଦ ମୋକିମ ଓ ଚିରଞ୍ଜୀବ ବିଶ୍ୱାଳଙ୍କୁ କାରଣ ଦର୍ଶାଅ ନୋଟିସ : ଉତ୍ତର ରଖିବାକୁ ୨ ନେତାଙ୍କୁ ନିର୍ଦ୍ଦେଶ

349

କନକ ବ୍ୟୁରୋ : କଂଗ୍ରେସର ଦୁଇ ବିରଷ୍ଠ ନେତାଙ୍କୁ କାରଣ ଦର୍ଶାଅ ନୋଟିସ୍ । ଏଆଇସିସି ପକ୍ଷରୁ ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବ ବିଶ୍ୱାଳ ଏବଂ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କୁ ନୋଟିସ୍ ହୋଇଛି । ‘ଜାନକୀ-ବସନ୍ତଙ୍କ ଯୋଡି: କଂଗ୍ରେସର ସୁବର୍ଣ୍ଣ ଯୁଗ’ ଶୀର୍ଷକରେ ଆୟୋଜିତ କାର୍ଯ୍ୟକ୍ରମରେ ଏହି ଦୁଇ ନେତାଙ୍କ ବୟାନକୁ ନେଇ ବିବାଦ ହୋଇଥିଲା । ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ଟାର୍ଗେଟ କରି ଚିରଞ୍ଜିବ ବିଶ୍ୱାଳ କହିଥିଲେ, ଯିଏ ପିସିସି ସଭାପତି ହେବ ସେ ଆଉ କାହାକୁ ପଚାରିବେନି ।

୨୦୨୪ ନିର୍ବାଚନ ବେଳକୁ ୧୪୭ ବିଧାନସଭା ଆସନରେ ବିଧାୟକ ପ୍ରାର୍ଥୀ ମିଳିବେ କି ନାହିଁ ସନ୍ଦେହ । ୯ ରୁ ୯୦ ବିଧାୟକ ହେବ ଦେଖାଯାଉନାହିଁ । ଏଠି ମାଳ ମାଳ ମୁଖ୍ୟମନ୍ତ୍ରୀ ଆଶାୟୀ ବୋଲି କହିଥିଲେ ଚିରଞ୍ଜିବ । ସେହିପରି ସମାନ ଢ଼ଙ୍ଗରେ କଂଗ୍ରେସ ଦଳ ଓ ନେତାଙ୍କୁ ନେଇ ପ୍ରଶ୍ନ ଉଠାଇଥିଲେ ମହମ୍ମଦ ମୋକିମ୍ । ସେ କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ଜାନକୀ ପଟ୍ଟନାୟକ ଓ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ବସନ୍ତ ବିଶ୍ୱାଳଙ୍କ ଆଦର୍ଶରୁ କିଛି ଶିଖିବା କଥା । କାନକୁହା କଥାରେ ବିଶ୍ୱାସ ନକରି, କାହାକୁ ଉପେକ୍ଷା ନକରି, ସାଥୀରେ ନେଇ ଆଗକୁ ବଢ଼ିଲେ ଦଳ ଉଠି ପାରିବ ।