ପ୍ରିୟଙ୍କାଙ୍କ ଟିମରେ କିଏ ଏହି ବୀରଙ୍ଗନା ? ଯାହାଙ୍କୁ ନେଇ ୟୁପି ନିର୍ବାଚନ ଲଢିବାକୁ ଅଣ୍ଟା ଭିଡିଛି କଂଗ୍ରେସ

167

କନକ ବ୍ୟୁରୋ : ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ସମସ୍ତ ରାଜନୈତିକ ଦଳମାନେ ପ୍ରାର୍ଥୀଙ୍କ ନାମ ଉପରେ ମନ୍ଥନ ଚଳାଇଛନ୍ତି । କେଉଁଠି ମେଣ୍ଟରେ ଆସନ ବୁଝାମଣାକୁ ନେଇ ଆଲୋଚନା ହେଉଛି ତ କେଉଁଠି ନିଜ ଦଳର ଅସନ୍ତୁଷ୍ଟ ନେତାଙ୍କ ମନାଇବାକୁ ପ୍ରୟାସ କରୁଛନ୍ତି ଦଳର ନେତୃ୍ତ୍ୱମାନେ । ଏହାରି ମଧ୍ୟରେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି । ପ୍ରିୟଙ୍କା ଗାନ୍ଧୀ ଉତ୍ତର ପ୍ରଦେଶ ନିର୍ବାଚନ ରାଲିରେ ଘୋଷଣା କରିଥିଲେ କି କଂଗ୍ରେସ ୪୦ ପ୍ରତିଶତ ଟିକେଟ ମହିଳାଙ୍କୁ ଦେବ । ଆଜି ପ୍ରିୟଙ୍କା ଗାନ୍ଧୀ ଘୋଷଣା କରିଥିବା ୧୨୫ ଜଣ ପ୍ରାର୍ଥୀ ତାଲିକାରେ ୫୦ ଜଣ ମହିଳା ରହିଛନ୍ତି ।

ଏହି ତାଲିକାରେ ବଡ ନାମକୁ ଯଦି ଆଲୋଚନା କରାଯିବ ତେବେ ସେମାନଙ୍କ ମଧ୍ୟରେ ରହିଛନ୍ତି ସଲମାନ ଖୁର୍ସିଦଙ୍କ ପତ୍ନୀ ଲୁଇସ୍ ଖୁର୍ସିଦ, ଉନାଓ ଗଣଦୁଷ୍କର୍ମ ମାମଲାରେ ପୀଡିତାଙ୍କ ମା ଆଶା ସିଂ ଓ ଏନଆରସି-ସିଏଏ ବିରୋଧୀ ଆନ୍ଦୋଳନରେ ପ୍ରମୁଖ ଚେହେରା ସଦଫ ଜାଫର । ଏହା ବ୍ୟତୀତ ପୁନମ ପାଣ୍ଡେଙ୍କୁ ବି ଟିକେଟ ମିଳିଛି , ଯିଏ କି ଜଣେ ଆଶା କର୍ମୀ ।

ଆଶା ସିଂ : କଂଗ୍ରେସ ତରଫରୁ ଜାରି କରାଯାଇଥିବା ପ୍ରଥମ ଟିକେଟ ଲିଷ୍ଟରେ ଆଶା ସିଂଙ୍କ ନାମ ସାମିଲ ହୋଇଛି । ଉନାଓରେ ନିଜ ଝିଅ ସହ ଦୁଷ୍କର୍ମ ହେବା ପରେ ସେ କ୍ଷମତାରେ ଥିବା ବିଜେପି ବିଧାୟକଙ୍କ ବିରୋଧରେ ଲଢିଥିଲେ । ଏହି ମାମଲାରେ ବି ତାଙ୍କ ସ୍ୱାମୀଙ୍କୁ ହତ୍ୟା କରାଯାଇଥିବା କଥା କୁହାଯାଉଛି ।
ପୁନମ୍ ପାଣ୍ଡେ : କରୋନା ସମୟରେ ଉତ୍ତର ପ୍ରଦେଶରେ ଆଶାକର୍ମୀମାନେ ହିଁ ପ୍ରମୁଖ ଭୂମିକା ନିର୍ବାହ କରିଥିଷଲ । ସେମାନେ ନିଜ ଜୀବନକୁ ବାଜିରେ ଲଗାଇ ଲୋକଙ୍କ ସେବାରେ ଲାଗିଥିଲେ । ଏନେଇ ଆଶାକର୍ମୀମାନେ ଯେତେବେଳେ ସେମାନଙ୍କ ସହାୟତା ରାଶି ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଆଗରେ ବିକ୍ଷୋଭ କରିଥିଲେ ସେତେବେଳେ ୟୁପି ପୋଲିସ ସେମାନଙ୍କୁ ନିର୍ମମ ଭାବେ ମାଡ ମାରିଥିଲା । ଏହି ଆନ୍ଦୋଳନ ପରେ ପୁନମ୍ ପାଣ୍ଡେ ଏକ ଚର୍ଚ୍ଚିତ ଚେହେରା ହୋଇଯାଇଥିଲେ ।

ସଦଫ ଜଫର : ନାଗରିକତା ସଂଶୋଧନ ଆଇନ ବିରୋଧରେ ଉତ୍ତର ପ୍ରଦେଶ ରାଜଧାନୀ ଲକ୍ଷ୍ନୌଠାରେ ବିରୋଧ ପ୍ରଦର୍ଶନ କରୁଥିବା ବେଳେ ଗିରଫ ହୋଇଥିବା ସଦଫ ଜଫର ପେଶାରେ ଜଣେ ଅଭିନେତ୍ରୀ । ସଦଫ ପ୍ରଥମେ ତାଙ୍କ ସ୍ୱାମୀଙ୍କ ଠାରୁ ନିର୍ଜ୍ୟାତିତ ହୋଇ ନିଜ ପିଲାସହ ଏକାଠି ରହୁଥିଲେ । ଏହାପରେ ନାଗରିକତା ସଂଶୋଧନ ଆଇନ ବିରୋଧରେ ପ୍ରଦର୍ଶନ କରି ଜେଲ ଗଲେ । ସେ ବିଶେଷ ଭାବେ ଜଣେ ସାମାଜିକ କର୍ମୀ ସହ ଜଣେ କଂଗ୍ରେସ ସମର୍ଥକ ଭାବେ ପରିଚିତ ।

ଅର୍ଚ୍ଚନା ଗୌତମ : ଅର୍ଚ୍ଚନା ଗୌତମ ଜଣେ ବଲିଉଡ ଅଭିନେତ୍ରୀ । ସେ ଗ୍ରେଟ ଗ୍ରାଣ୍ଡ ମସ୍ତି ଓ ହସୀନରା ପାର୍କର ଭଳି ବଲିଉଡ ସିନେମାରେ ଅଭିନୟ କରିସାରିଛନ୍ତି । ଏହାସହ ସେ ଅନେକ ସାଉଥ ସିନେମାରେ ବି ଅଭିନୟ କରିଛନ୍ତି । ତାଙ୍କୁ କଂଗ୍ରେସ ପକ୍ଷରୁ ବିଧାୟକ ଭାବେ ନିର୍ବାଚନ ଲଢିବାକୁ ସୁଯୋଗ ଦିଆଯାଇଛି ।