ଏହି ଦୁଇଟି ଦେଶରେ ଆୟୋଜନ ହୋଇପାରେ ଆଇପିଏଲ୍-୨୦୨୨ । କରୋନା କାରଣରୁ ଏବେଠୁ ପ୍ଲାନ୍ ପ୍ରସ୍ତୁତ କରୁଛି ବିସିସିଆଇ

141

କନକ ବ୍ୟୁରୋ: କୋଭିଡ୍-୧୯ ଏବେ ପୁଣିଥରେ ଆଇପିଏଲ ଉପରେ କଳାବାଦଲ ଭଳି ଘୋଟେଇ ହୋଇ ରହିଛି । ଗୋଟିଏ ପଟେ ସଂକ୍ରମଣ ଦେଶରେ ପିକ୍ ଛୁଉଁଥିବାବେଳେ, ଏଭଳି ସ୍ଥିତିରେ ଭାରତରେ ଆଇପିଏଲ୍ ଆୟୋଜନ ହେବ କି ନାହିଁ ତାହା ଏବେ ବି ସମସ୍ତଙ୍କ ପାଇଁ ବଡ ପ୍ରଶ୍ନ । ହେଲେ ଏହାରି ଭିତରେ ବିସିସିଆଇ ଆଇପିଏଲ୍ ଆୟୋଜନ ପାଇଁ ବିକଳ୍ପ ସ୍ଥାନର ସନ୍ଧାନରେ ଲାଗିପଡିଛି ।

ଜାତୀୟ ଗଣମାଧ୍ୟମର ଏକ ରିପୋର୍ଟ ମୁତାବକ, ଯଦି ଏଥର ଭାରତରେ ଆଇପିଏଲ୍ ଆୟୋଜନ ସମ୍ଭବ ନ ହୁଏ, ତେବେ ଏହାକୁ ଶ୍ରୀଲଙ୍କା କିମ୍ବା ଦକ୍ଷିଣ ଆଫ୍ରିକାରେ ଆୟୋଜନ କରାଯାଇପାରେ । ତେବେ ଏହା ପଛରେ ଦୁଇ ତିନୋଟି ପ୍ରମୁଖ ବିଷୟକୁ କାରଣ ବୋଲି କୁହାଯାଉଛି ।

କାହିଁକି ଶ୍ରୀଲଙ୍କା କିମ୍ବା ଦକ୍ଷିଣ ଆଫ୍ରିକାରେ ହୋଇପାରେ ଆଇପିଏଲ୍?

ଭାରତରେ ଏବେ ସଂକ୍ରମଣ ଯେଉଁଭଳି ଭାବେ ବ୍ୟାପୁଛି, ଏପରି ସ୍ଥିତିରେ ଦେଶର ବିଭିନ୍ନ ରାଜ୍ୟରେ ଆଇପିଏଲ୍ ମ୍ୟାଚ୍ ଆୟୋଜନ ସମ୍ଭବପର ନୁହେଁ । ଅନ୍ୟପଟେ ବିସିସିଆଇ କେବଳ ମହାରାଷ୍ଟ୍ରରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଥିଲା । ହେଲେ ଗତ କିଛି ଦିନ ହେବା ସେଠାରୁ ମଧ୍ୟ ଅନେକ ସଂକ୍ରମିତ ଚିହ୍ନଟ ହୋଇସାରିଲେଣି । ତେଣୁ ମହାରାଷ୍ଟ୍ରରେ ଏତେ ବଡ ଏବଂ ବ୍ୟୟବହୁଳ ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ବିସିସିଆଇ ପଛଘୁଞ୍ଚା ଦେଉଛି ।

ତେବେ ଗତଥର ଭଳି ବିସିସିଆଇ ୟୁଏଇରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ ମଧ୍ୟ କରିପାରିବ । ହେଲେ କେବଳ ଗୋଟିଏ ସ୍ଥାନ ଉପରେ ଭରସା ନକରି, ବିସିସିଆଇ ଏବେ ଏକାଧିକ ବିକଳ୍ପ ଖୋଜିବାରେ ବ୍ୟସ୍ତ ଅଛି । ତେଣୁ କୁହାଯାଉଛି ସମ୍ଭବତଃ ଶ୍ରୀଲଙ୍କା କିମ୍ବା ଦକ୍ଷିଣ ଆଫ୍ରିକାରେ ଆଇପିଏଲ୍ ଟୁର୍ଣ୍ଣାମେଣ୍ଟ ଖେଳାଯାଇପାରେ । ଶ୍ରୀଲଙ୍କାରେ ଆଇପିଏଲ୍ ଆୟୋଜନ କରିବାର ଏକ ଭଲ କଥା ହେଉଛି, ଏହା ଭାରତଠାରୁ ବହୁତ କମ୍ ଦୂରରେ ଥିବା ସହିତ ଖେଳାଳିଙ୍କର ଯିବା ଆସିବାରେ କୌଣସି ବଡ ଅସୁବିଧା ହେବନାହିଁ । ତା ସହିତ ଅନେକ ଫ୍ରାଞ୍ଚାଇଜ୍ ମଧ୍ୟ ଶ୍ରୀଲଙ୍କାରେ ମ୍ୟାଚ୍ ଖେଳିବାକୁ କିଛି ବି ଆପତ୍ତି ଜଣାଇନାହାଁନ୍ତି । ସେହିପରି ବର୍ତ୍ତମାନ ଭାରତ-ଦକ୍ଷିଣ ଆଫ୍ରିକା ସିରିଜକୁ କ୍ରିକେଟ୍ ସାଉଥ୍ ଆଫ୍ରିକା ଯେଉଁଭଳି ଭାବେ ଆୟୋଜନ କରିଛି, ଏହାକୁ ଦେଖିବା ପରେ ବିସିସିିଆଇ ଦକ୍ଷିଣ ଆଫ୍ରିକାରେ ମଧ୍ୟ ନିଜର ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବାକୁ ଯୋଜନା ପ୍ରସ୍ତୁତ କରୁଥିବା ରିପୋର୍ଟ ପ୍ରକାଶ ପାଇଛି ।

ଏହାପୂର୍ବରୁ ମଧ୍ୟ ଆଇପିଏଲକୁ ଅନେକ ଥର ବିଦେଶରେ ଆୟୋଜନ କରାଯାଇସାରିଛି । ବିଶେଷକରି ୟୁଏଇ ସହିତ ଦକ୍ଷିଣ ଆଫ୍ରିକାରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜନ କରାଯାଇସରିଛି । ତେଣୁ ଏଥର ଯଦି କିଛି ବି ଅସୁବିଧା ସୃଷ୍ଟି ହୁଏ, ତେବେ ବିଦେଶରେ ଏହାକୁ ଆୟୋଜନ କରିହେବ ବୋଲି ବିସିସିଆଇ ପ୍ଲାନ୍ ପ୍ରସ୍ତୁତ କରିଛି ।