କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବଡ ଘୋଷଣା । ଦେଶରେ କରୋନା ଟିକାକରଣ ପରେ ଲାଗୁ ହେବ ସିଏଏ ।

235

କନକ ବ୍ୟୁରୋ: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ବଡ ଘୋଷଣା । ଦେଶରେ କରୋନା ଟିକାକରଣ ଶେଷ ହେବା ପରେ ଲାଗୁ ହେବ ନାଗରିକତା ସଂଶୋଧନ ଆଇନ୍ । ଗୁରୁବାର ପଶ୍ଚିମବଙ୍ଗରେ ଏକ ଜନସଭାକୁ ସମ୍ବୋଧିତ କରି ଶାହା ଏହି ବଡ ଘୋଷଣା କରିଛନ୍ତି । ଏଥିସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ମଧ୍ୟ ଶାହା ଫୁଲ୍ ଦମରେ ଟାର୍ଗେଟ କରିଛନ୍ତି ।

ଅମିତ ଶାହା କହିଛନ୍ତି , ଟିକାକରଣ ପରେ ସିଏଏକୁ ଲାଗୁ କରାଯିବ । ଏହାଦ୍ୱାରା ସଂଖ୍ୟାଲଘୁଙ୍କ ଉପରେ କୌଣସି ପ୍ରଭାବ ପଡିବ ନାହିଁ । ବିରୋଧୀମାନେ ଜାଣିଶୁଣି ସେମାନଙ୍କୁ ଭ୍ରମିତ କରୁଛନ୍ତି ବୋଲି ଶାହା କହିଛନ୍ତି । ଏଥିସହ ସିଏଏ ଆସିବା ପରେ କରୋନା ଚାଲିଆସିଲା । ଯେଉଁ କାରଣରୁ ସରକାର ଏହାକୁ ଲାଗୁ କରିପାରିନଥିଲେ । ଟିକାକରଣ ଶେଷ ହେବା ପରେ ସରକାର ସିଏଏ ଲାଗୁ କରିବେ ।

ଏଥିସହ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରି ଶାହ କହିଛନ୍ତି, ସିଏଏକୁ ଦିଦି ମିଛ ପ୍ରତିଶ୍ରୁତି ବୋଲି କହୁଛନ୍ତି । ହେଲେ ଆମେ ଯାହା କରୁ ତା କରି ଦେଖାଉ । ମମତା ବାନାର୍ଜୀ ବି ଏହାକୁ ବିରୋଧ କରିପାରିବେନି । କାରଣ ଆସନ୍ତା ନିର୍ବାଚନ ପରେ ସେ ଆଉ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ହୋଇନଥିବେ ବୋଲି ଶାହ ଦୃଢୋକ୍ତି ପ୍ରକାଶ କରିଛନ୍ତି ।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ମାତ୍ର କିଛି ମାସ ବାକି ଅଛି । ଏହାପୂର୍ବରୁ ଶାହା ସେଠାରେ ପରିବର୍ତ୍ତନ ଯାତ୍ରା କରିଛନ୍ତି । ପଶ୍ଚିମବଙ୍ଗ ହାତେଇବାକୁ ବିଜେପି ଏଥର ଜୋରଦାର କସରତ କରୁଛି । ଯେଉଁ କାରଣରୁ ମମତାଙ୍କୁ ଟାର୍ଗେଟ କରି ଶାହା ଆଜି ଏହି ବଡ ଘୋଷଣା କରିଛନ୍ତି ।