କଳିଙ୍ଗ ଷ୍ଟାଡିୟମରେ ଓଡ଼ିଶା ହକି ତାରକାଙ୍କୁ ଭବ୍ୟ ସମ୍ବର୍ଦ୍ଧନା । ପୁରୁଷ ହକି ଦଳର ୨ ଓଡ଼ିଆ ଖେଳାଳିଙ୍କୁ ଅଢେଇ କୋଟି ସହ ଡିଏସପି ଚାକିରି । ଦୁଇ ମହିଳା ଖେଳାଳିଙ୍କୁ ୫୦ ଲକ୍ଷ ଲେଖାଁଏ ପୁରସ୍କାର ।

103

କନକ ବ୍ୟୁରୋ: ଟୋକିଓରେ ଦମଦାର ପ୍ରଦର୍ଶନ କରି ରାଜ୍ୟ ପାଇଁ ଗୌରବ ଆଣିଥିବା ୪ ଓଡ଼ିଆ ହକି ଖେଳାଳିଙ୍କୁ ସମ୍ମାନିତ କରିଛି ଓଡ଼ିଶା । ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ସେମାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବା ସହ ପୁରସ୍କାର ରାଶି ପ୍ରଦାନ କରାଯାଇଛି । ବ୍ରୋଞ୍ଜ ବିଜେତା ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଅଢ଼େଇ କୋଟି ଟଙ୍କା ଲେଖାଁଏ ଦିଆଯାଇଥିବା ବେଳେ ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ ମିଳିଛି ୫୦ ଲକ୍ଷ ଟଙ୍କା ଲେଖାଁଏ ପୁରସ୍କାର ରାଶି ।

ଟୋକିଓରେ ଦେଶର ଟେକ ରଖି ଗତକାଲି ଓଡ଼ିଶା ଫେରିଛନ୍ତି ରାଜ୍ୟର ହକି ତାରକା । ଆଉ ଆଜି ସେମାନଙ୍କୁ କଳିଙ୍ଗ ଷ୍ଟାଡିୟମରେ ସସ୍ୱର୍ଦ୍ଧିତ କରାଯାଇଛି । ଅଲିମ୍ପିକ୍ସରେ ବ୍ରୋଞ୍ଜ ବିଜେତା ପୁରୁଷ ହକିର ଦଳର ସଦସ୍ୟ ବୀରେନ୍ଦ୍ର ଲାକ୍ରା ଓ ଅମିତ ରୋହିଦାସଙ୍କୁ ଅଢ଼େଇ କୋଟି ଟଙ୍କା ଲେଖାଁଏ ପୁରସ୍କାର ରାଶି ଦେଇଛନ୍ତି ରାଜ୍ୟ ସରକାର । କେବଳ ସେତିକି ନୁହେଁ ଦୁହିଁଙ୍କୁ ଦିଆଯାଇଛି ଡିଏସପି ଚାକିରି । ଅଲିମ୍ପିକ୍ସରେ ପଦକ ଜିତିବାରେ ଏହି ଦୁଇ ଜଣ ହେଉଛନ୍ତି ପ୍ରଥମ ଓଡ଼ିଆ ଖେଳାଳି ।

ସେହିପରି ଅଲିମ୍ପିକ୍ସରେ ଦମଦାର ପ୍ରଦର୍ଶନ କରିଥିବା ଭାରତୀୟ ମହିଳା ହକି ଦଳର ଦୁଇ ଓଡ଼ିଆ ଖେଳାଳି ଦୀପଗ୍ରେସ ଏକ୍କା ଓ ନମିତା ଟପ୍ପୋଙ୍କୁ ସମ୍ମାନିତ କରିଛି ଓଡ଼ିଶା । ପଦକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ ବି ଦେଶବାସୀଙ୍କ ହୃଦୟ ଜିତି ନେଇଥିଲେ ମହିଳା ଦଳ । ରାଜ୍ୟର ଗୌରବ ପାଲଟିଥିବା ଦୁଇ ଖେଳାଳିଙ୍କୁ ୫୦ଲକ୍ଷ ଲେଖାଏଁ ପୁରସ୍କାର ଦିଆଯାଇଛି ।