ଓଡ଼ିଆ ହକି ଖେଳାଳି ନିଜ ମାଟିରେ ପାଦ ଦେବା ପରେ ଦେଖିବାକୁ ମିଳିଲା ଭାବପ୍ରବଣତାର ଦୃଶ୍ୟ । ଶିକ୍ଷକଙ୍କୁ ଦେଖି କାନ୍ଦି ପକାଇଲେ ଅମିତ ରୋହିଦାସ । ଏପଟେ ନମିତା ଟପ୍ପୋଙ୍କୁ ସୁରକ୍ଷା ଦେଲେ ପୁଲିସ ଭଉଣୀ ପ୍ରମିତା ଟପ୍ପୋ ।

283

କନକ ବ୍ୟୁରୋ: ଯେତେବେଳେ ଅଲିମ୍ପିକ୍ସରେ ଜବରଦସ୍ତ ପ୍ରଦର୍ଶନ କରି ହକି ଦଳର ଦୁଇ ଓଡିଆ ଖେଳାଳି ଭୁବନେଶ୍ୱରରେ ପହିଁଚିଥିଲେ, ସେତେେବେଳେ ଯେମିତି ଉତ୍ସବର ମାହୋଲ ସୃଷ୍ଟି ହୋଇଥିଲା । ଖେଳାଳିମାନଙ୍କୁ ସ୍ୱାଗତ କରିବା ସହ ବିମାନବନ୍ଦରରୁ ହୋଟେଲ ପର୍ଯ୍ୟନ୍ତ କଡା ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା ।  ଲଢ଼ୁଆ ପ୍ରଦର୍ଶନ କରି ଦେଶ ପାଇଁ ନୂଆ ଅଧ୍ୟାୟ ସୃଷ୍ଟି କରିଥିବାରୁ ଦୁଇ ଜଣଙ୍କୁ ନିଆରା ଢ଼ଙ୍ଗରେ ସ୍ୱାଗତ କରାଯାଇଥିଲା । ତେବେ ଏହି ସମୟରେ ଦେଖିବାକୁ ମିଳିଥିଲା ଏକ ନିଆରା ଦୃଶ୍ୟ ।

ଦେଶ ପାଇଁ ଗୌରବ ଆଣି ଫେରିଥିବା ଗୋଟିଏ ଭଉଣୀର ସୁରକ୍ଷା ଦାୟିତ୍ୱ ଆଉ ଜଣେ ଭଉଣୀ ଉପରେ ନ୍ୟସ୍ତ ଥାଏ । ଟୋକିଓ ଅଲିମ୍ପିକ୍ସରେ ଲଢ଼ୁଆ ପ୍ରଦର୍ଶନ କରି ଓଡିଶା ଫେରିବା ପରେ ନମିତା ଟପ୍ପୋଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ତାଙ୍କ ଭଉଣୀ ପ୍ରମିତା ଟପ୍ପୋ । ଦୁଇ ଭଉଣୀ ହୁଏତ ସ୍ୱପ୍ନରେ କେବେ ବି ଭାବି ନଥିବେ ଏଭଳି ମୁହୂର୍ତ୍ତ ଆସିବ । ଯେତେବେଳେ ଜଣେ ଆଉ ଜଣଙ୍କୁ ସୁରକ୍ଷା ଦେଉଥିବେ । ହେଲେ ସୌଭାଗ୍ୟବଶତଃ ନମିତାଙ୍କ ସୁରକ୍ଷା ଦାୟିତ୍ୱରେ ଥିଲେ ତାଙ୍କ ଭଉଣୀ ପ୍ରମିତା ଟପ୍ପୋ ।

ସେହିପରି ଜଣେ ଗୁରୁ ପାଇଁ ଏହାଠାରୁ ବଳି ବଡ ସଫଳତା ଆଉ କଣ ବା ହୋଇପାରେ । ଯେତେବେଳେ ଜଣେ ଶିଷ୍ୟକୁ ନିଜ ହାତରେ ବିଜୟର ପଦକ ପିନ୍ଧାଉଥିବ ଆଉ ସ୍ୱାଗତ ଜଣାଉଥିବ । ଛଳ ଛଳ ଆଖିରେ ଶୁଭେଛା ଜଣାଉଥିବ ଆଉ ଶିଷ୍ୟ ବି ଭାବବିହ୍ୱଳ ହୋଇପଡୁଥିବ । ଅଲିମ୍ପିକ୍ସରୁ ଫେରିଥିବା ଓଡିଆ ଖେଳାଳି ଅମିତ୍ ରୋହିଦାସଙ୍କୁ କଳିଙ୍ଗଷ୍ଟାଡିୟମରେ ସମ୍ବର୍ଦ୍ଧନା ଦିଆଯିବା ଅବସରରେ ପ୍ରିୟ ଶିଶ୍ୟକୁ ଭେଟିବା ପାଇଁ ଷ୍ଟାଡିୟମରେ ପହଁଚି ଯାଇଥିଲେ ଅମିତଙ୍କ ପୂର୍ବତନ କ୍ରୀଡା ଶିକ୍ଷକ ଅଭୟ ପଟ୍ଟନାୟକ । ଗେଟ୍ ପାଖରେ କିଛି ସମୟ ଅପେକ୍ଷା କରିବା ପରେ ତାଙ୍କ ଭିତରକୁ ନିଆଯାଇଥିଲା । ସାଥିରେ ଆଣିଥିବା ଏକ ଗୋଲାପ ଫୁଲ ଅମିତ୍ଙ୍କୁ ଦେଇ ଶୁଭେଛା ଜଣାଇଥିଲେ । ତେବେ ଆପଣ ଜାଣି ଆଶ୍ଚଯ୍ୟ ହେବେ, ରାଉରକେଲା ପାନପୋଷ ଷ୍ଟାଡିୟମରେ ଅମିତଙ୍କୁ ଟ୍ରେନିଂ ଦେଉଥିଲେ ଅଭୟ ।

ଟୋକିଓରୁ ଫେରିଥିବା ଏହି ଖେଳାଳି ଏବେ ଅନ୍ୟମାନଙ୍କ ପାଇଁ ପ୍ରେରଣାର ଉତ୍ସ ହୋଇଛନ୍ତି ଆଉ ସେପଟେ ସ୍ୱାଗତ କରିବା ପାଇଁ ଅପେକ୍ଷା କରିଛି ସେମାନଙ୍କ ଗାଁ ମାଟି ।