ସଂସଦରେ ସମ୍ବିଧାନ ସଂଶୋଧନ ବିଲ୍ ପାସ । ଓବିସି ବର୍ଗଙ୍କୁ ସଂରକ୍ଷଣ ପାଇଁ ବଢ଼ିଲା ରାଜନୈତିକ ଦଳର ତତ୍ପରତା । ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଲେ ବିଜେଡି ସାଂସଦ ।

278

କନକ ବ୍ୟୁରୋ: ଲୋକସଭାରେ ୧୨୭ ତମ ସମ୍ବିଧାନ ସଂଶୋଧନ ବିଲ ପାସ୍ ହେବା ପରେ ଏବେ ରାଜ୍ୟ ପାଇବେ ଓବିସି ତାଲିକା ପ୍ରସ୍ତୁତି କ୍ଷମତା । ଏହାପରେ ସଂରକ୍ଷଣ କୋଟାକୁ ୫୦ ପ୍ରତିଶତରୁ ଅଧିକ କରିବା ଲାଗି ବିଭିନ୍ନ ଦଳ କେନ୍ଦ୍ର ସରକାରଙ୍କ ଉପରେ ଚାପ ପକାଇବା ଆରମ୍ଭ କରିଛନ୍ତି । ଏହି କ୍ରମରେ ଆଜି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତିି ବିଜେଡି ସାଂସଦ ।

ଦିଲ୍ଲୀରେ ଉଭୟ ଲୋକସଭା ଓ ରାଜ୍ୟସଭାର ବିଜେଡି ସାଂସଦ ଗୃହମନ୍ତ୍ରୀଙ୍କୁ ଅମିତ ଶାହଙ୍କୁ ଭେଟି ସ୍ମାରକପତ୍ର ଦେଇଛନ୍ତି । ସେମାନଙ୍କ ଦାବି ହେଲା, ଜାତିଗତ ସଂଖ୍ୟା ଅନୁସାରେ ଲୋକଙ୍କୁ ସଂରକ୍ଷଣ ମିଳିବା ଦରକାର । ବର୍ତ୍ତମାନ ୫୦ ପ୍ରତିଶତ ଭିତରେ ସଂରକ୍ଷଣକୁ ସୀମିତ ରଖିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ରହିଛି । ତେଣୁ ଏହି କଟକଣା ହଟାଇବାକୁ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କ ନିକଟରେ ଆବେଦନ କରନ୍ତୁ ବୋଲି ବିଜେଡି କହିଛି ।

ଲୋକସଭାରେ ଓବିସି ବିଲ୍ ପାସ୍ ହେବା ବେଳେ ଏହାକୁ କୌଣସି ଦଳ ବିରୋଧ କରିନଥିଲେ । ଓବିସି ବର୍ଗ ଦେଶର ମୋଟ ଜନସଂଖ୍ୟାର ଅର୍ଦ୍ଧାଧିକ ଥିବାରୁ ଭୋଟ ହାତେଇବା ଲାଗି ସବୁ ଦଳ ଏହାକୁ ସମର୍ଥନ କରିଥିବା ଏକ ସ୍ୱାଭାବିକ ଅନୁମାନ । ତେବେ ବିଧେୟକ ପାସ ହେବା ପରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକ ଅନ୍ୟ ପଛୁଆ ବର୍ଗ, ଓବିସି ତାଲିକା ପ୍ରସ୍ତୁତ କରିପାରିବେ । ଦେଶର ୬୭୧ ଜାତି ଏଥିରୁ ଲାଭବାନ ହୋଇପାରନ୍ତି, ବିଭିନ୍ନ ସମୁଦାୟକୁ ସାମାଜିକ ଓ ଅର୍ଥନୈତିକ ନ୍ୟାୟ ମିଳିବ ବୋଲି ଯୁକ୍ତି ବାଢୁଛନ୍ତି ରାଜନୈତିକ ଦଳ ।

ପାର୍ଲାମେଣ୍ଟରେ ମଙ୍ଗଳବାର ପାରିତ ହୋଇଥିବା ଆଇନ ଅନୁସାରେ ବର୍ତ୍ତମାନ ରାଜ୍ୟମାନେ ଓବିସି ବର୍ଗକୁ ଚିହ୍ନଟ, ସେମାନଙ୍କ ତାଲିକା ପ୍ରସ୍ତୁତି ଓ ସଂରକ୍ଷଣ ପାଇଁ କ୍ଷମତା ମିଳିବ । ତେଣୁ ଏବେ ସୁପ୍ରିମକୋର୍ଟଙ୍କ କଟକଣା ହଟାଇବା ପାଇଁ କେନ୍ଦ୍ର ଉପରେ ଚାପ ବଢୁଛି ।