ସଙ୍କଟରେ ଭାରତ ! ଜଳ ବାୟୁ ପରିବର୍ତ୍ତନ ଯୋଗୁଁ ୨୦୫୦ ସୁଦ୍ଧା ୬୦ କୋଟି ଲୋକେ ହେବେ ପ୍ରଭାବିତ, ଜାଣନ୍ତୁ କାହିଁକି ।

48

ଜଳବାୟୁ ପରିବର୍ତ୍ତନ ଯୋଗୁ ଭାରତର ଜିଡିପି ଉପରେ ବଡଧରଣର ପ୍ରଭାବ ପଡିବ ବୋଲି ବିଶ୍ୱ ବ୍ୟାଙ୍କ ରିପୋର୍ଟ ପ୍ରକାଶ କରିଛି । ଆଗାମୀ ୨୦୫୦ ସୁଦ୍ଧା ଭାରତର ମୋଟ ଘରୋଇ ଉତ୍ପାଦ ଜିଡିପି ୨.୮ ପ୍ରତିଶତ ହ୍ରାସ ପାଇବା ଭଳି ବିଶ୍ୱ ବ୍ୟାଙ୍କ ରିପୋର୍ଟରେ ଦର୍ଶାଯାଇଥିବା ଏବେ ଭାରତବାସୀଙ୍କୁ ଚିନ୍ତାରେ ପକାଇଛି । ଜଳବାୟୁ ପରିବର୍ତ୍ତନରେ ଆସନ୍ତା ୩ ଦଶନ୍ଧିରେ ଦେଶର ତାପାମାତ୍ରା ୧ରୁ ୨ ପ୍ରତିଶତ ବଢ଼ିଯିବ ବୋଲି ପୂର୍ବାନୁମାନ କରାଯାଉଛି । ଯଦି ଏଭଳି ସ୍ଥିତି ଉପୁଜେ ତେବେ ଦେଶର ୬୦ କୋଟି ଲୋକଙ୍କ ଉପରେ ପ୍ରଭାବ ପଡିବ ବୋଲି ରିପୋର୍ଟରେ ପ୍ରକାଶ ପାଇଛି ।

“ସାଉଥ ଏସିଆଜ ହଟସ୍ପଟ୍ସ” ଦ ଇମ୍ପାକ୍ଟ ଅଫ ଟେମ୍ପରେଚର ରିପୋର୍ଟ ଆଧାରରେ ଯଦି ଏହି ବାବଦରେ ପଦକ୍ଷେପ ନିଆ ନଯାଏ ତେବେ ୧.୫ ପ୍ରତିଶତ ତାପମାତ୍ରାରେ ବୃଦ୍ଧି ପାଇବା ନେଇ ମଧ୍ୟ ଉଲ୍ଲେଖ କରାଯାଇଛି । ଯାହାଫଳରେ ଭାରତର ଜିଡିପି ମଧ୍ୟ ଧିରେ ଧିରେ ସଙ୍କୁଚିତ ହୋଇଯିବ ବୋଲି ଜଣାପଡିଛି । ଭାରତର ୬୦ କୋଟି ଲୋକ ଏଭଳି ସ୍ଥାନରେ ରହୁଛନ୍ତି ଯେଉଁଠାରେ ଜଳବାୟୁ ପରିବର୍ତ୍ତନର ବୃହତ ପ୍ରଭାବ ଅନୁଭୂତ ହୋଇଥାଏ । ଏବଂ ୨୦୫୦ ସୁଦ୍ଧା ଛତିଶଗଡ ଓ ମଧ୍ୟପ୍ରଦେଶରେ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଲୋକଙ୍କ ଜୀବନଜୀବିକା ମାନରେ ୯ ପ୍ରତିଶତରୁ ଅଧିକ ହ୍ରାସ ଘଟିବ । ଏହାସହ ରାଜସ୍ଥାନ, ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟ ଅତ୍ୟଧିକ ପ୍ରଭାବିତ ହେବେ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି ।

ଜଳବାୟୁ ହଟସ୍ପଟ୍ସ କ’ଣ ?

ଜଳବାୟୁ ପରିବର୍ତ୍ତନରେ ହଟସ୍ପଟ୍ସର ଅର୍ଥ ହେଉଛି, ଯେଉଁ ସ୍ଥାନ ବା ଅଞ୍ଚଳରେ ନିର୍ଦ୍ଦିଷ୍ଟ ପରିମାଣର ତାପମାତ୍ରାରୁ ଅନ୍ୟ ଏକ ପ୍ୟାଟର୍ନରେ ତାପମାତ୍ରା ଅସମାନ୍ତରାଳ ଭାବେ ପରିବର୍ତ୍ତନ ହୋଇଥାଏ ଏବଂ ଯାହାକି ନକରାତ୍ମକ ପ୍ରଭାବ ପାଇଥାଏ । ଏହା ଲୋକମାନଙ୍କ ଜୀବନଜୀବିକାକୁ ବେଶ ପ୍ରଭାବିତ କରିଥାଏ । ହଟସ୍ପଟ୍ସରେ ପାହାଡି ଅଞ୍ଚଳର ତାପମାତ୍ରା ବୃଦ୍ଧି ଯୋଗୁଁ ଅର୍ନ୍ତଦେଶୀୟ ଅଞ୍ଚଳରେ ଆର୍ଥିକ କ୍ଷେତ୍ରରେ ନକରାତ୍ମକ ପ୍ରଭାବ ପଡିବ । ହଟସ୍ପଟ୍ସ ବଳୟରେ କେନ୍ଦ୍ରୀୟ ଭାରତ ଏବଂ ଉତ୍ତର ଭାରତରେ ବିଶେଷ ପ୍ରଭାବ ପଡିବା ସମ୍ଭାବନା ରହିଛି ।

ଭାରତର ୧୦ଟି ସ୍ଥାନ ମଧ୍ୟରୁ ମହାରାଷ୍ଟ୍ରର ବିଦର୍ଭ ଅଞ୍ଚଳର ୭ଟି ଜିଲ୍ଲା ଏହି ତାଲିକାରେ ଅଛି । ଯଦି ଜଳବାୟୁ ଏପରି ଲଗାତାର ୩ ଦଶନ୍ଧି ଧରି ପରିବର୍ତ୍ତନ ହୁଏ ତେବେ ଭାରତର ଲୋକଙ୍କ ମୁଣ୍ଡପିଛା ବ୍ୟୟ ପରିମାଣ କ୍ରମଶଃ ହ୍ରାସ ପାଇବ । ଯାହାଦ୍ୱାରା ଦାରିଦ୍ର୍ୟହାର ଓ ଆୟ ଅସାଧାରଣ ଭାବେ ନିୟନ୍ତ୍ରଣ ବାହାରକୁ ଚାଲିଯିବ ବୋଲି ବିଶ୍ୱ ବ୍ୟାଙ୍କର ଅର୍ଥନୀତିଜ୍ଞ ମୁଥୁକୁମାର ମଣି ସୁଚନା ଦେଇଛନ୍ତି । ତେବେ ତୁରନ୍ତ ଜଳବାୟୁ ପ୍ରଭାବିତ ହେଉଥିବା ଅଞ୍ଚଳକୁ ଚିହ୍ନଟ କରାଯାଇ ପଦକ୍ଷେପ ନିଆଗଲେ ଭବିଷ୍ୟତରେ ବିପଦ ମୁହାଁ ହେଉଥିବା ଭାରତକୁ ରକ୍ଷା କରାଯାଇ ପାରିବ ବୋଲି ମତ ପ୍ରକାଶ ପାଇଛି ।