ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ କାନପୁରରେ ଧାର୍ମିକ ହିଂସା, ପୋଲିସକର୍ମୀଙ୍କ ସମେତ ୬ ଆହତ

99

କନକ ବ୍ୟୁରୋ : କିଛିଦିନର ବିରତି ପରେ ପୁଣି ଉତ୍ତର ପ୍ରଦେଶରେ ଦେଖିବାକୁ ମିଳିଛି ଧାର୍ମିକ ହିଂସା । ଶୁକ୍ରବାର ଦିନ କାନପୁରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇ ୬ ଜଣ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ମୁତାବକ କାନପୁର ପ୍ୟାରେଡ ଗ୍ରାଉଣ୍ଡ ଠାରେ କିଛି ଲୋକ ବିଜେପି ପ୍ରବକ୍ତା ନୁପୂର ଶର୍ମାଙ୍କ ବୟାନକୁ ବିରୋଧ କରି ଦୋକାନ ବଜାର ବନ୍ଦ କରୁଥିଲେ । ଏହାକୁ ନେଇ ସେଠାରେ ଝଗଡା ଦେଖିବାକୁ ମିଳିଥିଲା । ଲୋକମାନେ ସ୍ଥାନୀୟ ପୋଲିସକୁ ସୂଚନା ଦେବା ପରେ ପୋଲିସ ଘଟଣା ସ୍ଥଳରେ ପହଂଚି ସେମାନଙ୍କୁ ରୋକିବାକୁ ଚେଷ୍ଟା କରୁଥିବା ବେଳେ ହିଂସା ଉଗ୍ରରୂପ ନେଇଥିଲା ।

ପାଖାପାଖି ୩ ହଜାର ଲୋକ ରାସ୍ତା ଉପରକୁ ଆସି ପରସ୍ପର ଉପରକୁ ଟେକାପଥର ମାଡ କରିଥିଲେ । ଏହି କାରଣରୁ ସର୍ବନିମ୍ନ ୬ ଜଣ ଲୋକ ଆହତ ହୋଇଛନ୍ତି । ସେମାନଙ୍କୁ ମେଡିକାଲ ପଠାଯାଇଛି । କହିରଖୁ କି ଜୁମ୍ମାରେ ନମାଜ ପଢିବାକୁ ପ୍ୟାରେଡ ଗ୍ରାଉଣ୍ଡରେ ଶହ ଶହ ମୁସଲମାନ ସଂପ୍ରଦାୟର ଲୋକ ଏକାଠଡି ହୋଇଥିଲେ । ହେଲେ ଏକ ସାମାଜିକ ସଂଗଠନ ତରଫରୁ ପ୍ୟାରେଡ ଗ୍ରାଉଣ୍ଡକୁ ବନ୍ଦ ରଖିବାକୁ ଡାକରା ଦେଇଥିଲା । ଆଜି ଶୁକ୍ରବାର ଓ ନମାଜ ପଢାଯିବାକୁ ଥିବା ବେଳେ ଏକ ନିର୍ଦ୍ଦିଷ୍ଟ ମୁସଲିମ ଇଲାକା ବନ୍ଦ ରଖିବାକୁ ନେଇ ମୁସଲମାନ ସଂପ୍ରଦାୟ ଅସନ୍ତୋଷ ଥିଲା । ଏହାସହ ବିଜେପି ପ୍ରବକ୍ତା ନୁପୂର ଶର୍ମା ଏକ ଟିଭି ଡିବେଟରେ ପେଗାମ୍ବର ମହମ୍ମଦଙ୍କ ବିରୋଧରେ ଦେଇଥିବା ଟିପ୍ପଣୀ ଉପରେ ବି ମୁସଲମାନ ସଂପ୍ରଦାୟ ଅସନ୍ତୋଷ ଥିଲା । ଏସବୁ ଅସନ୍ତୋଷ ସେମାନଙ୍କ ଭିତରେ କୁହୁଳୁଥିବା ବେଳେ ଆଜି ଏହାର ଉଗ୍ରପୂପ ନେଇଛି ।

ଏସବୁକୁ ଦେଖି ପୋଲିସ ତରଫରୁ ପ୍ୟାରେଡ ଗ୍ରାଉଣ୍ଡକୁ ଘେରାବନ୍ଦୀ କରିଛି । ଏହାସହ କିଛି ସନ୍ଦିଗ୍ଧଙ୍କୁ ପୋଲିସ ଗିରଫ କରି ଥାନାକୁ ନେଇ ପଚରା ଉଚରା କରୁଛି । କାନପୁରରେ ଏଭଳି ହିଂସା ଚାଲିଥିବା ବେଳେ କୁହାଯାଇଛି କି କାନପୁରର ମାତ୍ର ୭୦ କିଲୋମିଟର ଦୂରରେ ପ୍ରଧାମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବୈଠକ କରୁଛନ୍ତି ।