ଅନାଇଛି ପୋଲିସ, ମୂଲ୍ୟବାନ ମୂର୍ତି ନେଇ ଚମ୍ପଟ ମାରିଲା ଚୋର: ପ୍ରାଚୀନ ମନ୍ଦିରରୁ ୧୫ଟି ମୂର୍ତି ସହ ମୁକୁଟ, ଖଡୁ ଲୁଟ୍

84

କନକ ବ୍ୟୁରୋ: ଦୁର୍ବୃତ ଲୁଟିନେଲେ ମୂର୍ତି, ଜଳକା ହୋଇଗଲା ପୁଲିସ । ପୁଲିସ ଉପସ୍ଥିତି ସତ୍ୱେ ପ୍ରାଚୀନ ମନ୍ଦିରରୁ ଚୋରି ହୋଇଗଲା ମୂଲ୍ୟବାନ ମୂର୍ତ୍ତି । ଘଟଣା ଘଟିଛି ପିପିଲି ବ୍ଲକ ନୂଆଶାସନ ଗାଁର ଲକ୍ଷୀନୃସିଂହ ମନ୍ଦିରରେ । ମନ୍ଦିରଟି ତୃତୀୟ ନରସିଂହ ଦେବଙ୍କ ସମୟରେ ନିର୍ମାଣ କରାଯାଇଥିଲା । ଏଠାରେ ବହୁତ ମୂଲ୍ୟବାନ ମୂର୍ତି ରହିଥିଲା । ମନ୍ଦିରକୁ ଦୁଇ ପୁଲିସ କର୍ମଚାରୀ ବି ଜଗିଥିଲେ । ତା ସତ୍ୱେ ପୁଲିସକୁ ଚକମା ଦେଇ ମନ୍ଦିରରୁ ଚୋରି କରିଛନ୍ତି ଦୁର୍ବୃତ ।

ମନ୍ଦିରରୁ ୧୫ ଶେଷଦେବ, ବାସୁଦେବ, ଚନ୍ଦ୍ରଶେଖର, ଦୁର୍ଗାମାଧବଙ୍କ ସମେତ ୧୫ଟି ମୂର୍ତି ସହିତ ଠାକୁରଙ୍କ ମୁକୁଟ ଖଡୁ ଓ ଦାନବାକ୍ସରୁ ଚୋରି ହୋଇଛି । ଗତକାଲି ରାତିରେ ମନ୍ଦିରର ନୀତିକାନ୍ତ ସାରି ପୂଜକ ରାତି ୧୦ଟାରେ ପହଡ ପକାଇଥିଲେ । ଆଜି ସକାଳେ ପୂଜକ ଦେଖିଲାବେଳେକୁ ମନ୍ଦିରର କବାଟ ଭଙ୍ଗାଯିବା ସହ ମନ୍ଦିର ଖୋଲା ପଡିଥିଲା । ସିଂହାସନରେ ନୃସିଂହଙ୍କ ମୂର୍ତି ଛଡା ଆଉ କିଛି ନଥିଲା । ପୁଲିସ ଘଟଣାସ୍ଥଳରେ ପଂହଚି ତଦନ୍ତ ଆରମ୍ଭ କରିଛି । ପ୍ରଶ୍ନ ଉଠୁଛି, ପୁଲିସ ଉପସ୍ଥିତି ସତ୍ୱେ ମୂର୍ତି ଚୋରି ହେଲା କିଭଳି ।