ଚୀନରେ କରୋନା ସ୍ଥିତି ସଂଗୀନ । ଗୋଟିଏ ସପ୍ତାହରେ ଗଲାଣି ୧୩ହଜାର ଜୀବନ

149

କନକ ବ୍ୟୁରୋ : ଚୀନରେ କରୋନା ସ୍ଥିତି ଭୟଙ୍କର ରୂପ ନେବାରେ ଲାଗିଛି । କରୋନା ସଂକ୍ରମଣରେ ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବଢି ଚାଲିଛି । ପ୍ରତି ସପ୍ତାହରେ ହଜାର ହଜାର ଲୋକଙ୍କ ଜୀବନ ଯାଉଛି । କିନ୍ତୁ ଏହି ତଥ୍ୟକୁ ଲୁଚାଇ ଆସୁଥିବା ବେଳେ ଚୀନରେ କରୋନା ସ୍ଥିତି ନେଇ ବଡ ଖୁଲାସା ହୋଇଛି ।
ମିଳିଥିବା ସୂଚନା ଅନୁସାରେ, ଚୀନରେ ଏବେ ସୁଦ୍ଧା ୮୦ ପ୍ରତିଶତ ଲୋକ କରୋନାରେ ସଂକ୍ରମିତ ହୋଇସାରିଲେଣି । କେବଳ ଏତିକି ନୁହେଁ ଗତ ଏକ ସପ୍ତାହରେ ୧୩ହଜାର ଲୋକଙ୍କ ମୃତ୍ୟୁ ହୋଇଥିବା ସୂଚନାରୁ ଜଣାପଡିଛି । ଯାହା ବର୍ତ୍ତମାନ ଚିନ୍ତାର ବିସୟ ପାଲଟିଯାଇଛି ।

ଗତ ଡିସେମ୍ବର ମାସ ପ୍ରଥମ ସପ୍ତାହରେ କରୋନାକୁ ନେଇ ଲାଗୁ ହୋଇଥିବା ଜିରୋ କୋଭିଡ୍ ପଲିସିକୁ ହଟାଯାଇଥିଲା । କାହିଁକି ନା ଚୀନରେ କୋଭିଡ୍ ପଲିସିକୁ ନେଇ ବିରୋଧ ତେଜିବାରେ ଲାଗିଥିଲା । ଯାହାକୁ ନେଇ ଚୀନ୍ ସରକାର କୋଭିଡ ପଲିସି ହଟାଇବାକୁ ନିଷ୍ପତ୍ତି ନେଇଥିଲେ । ଏହା ପରେ ଚୀନରେ କରୋନା ସ୍ଥିତି ଭୟଙ୍କର ରୂପ ଧାରଣ କରିଛି ।

ଚୀନର ନ୍ୟାସନାଲ ହେଲ୍ଥ କମିଶନ ମେଡିକାଲ ଅଫେୟାର ଡିପାର୍ଟମେଣ୍ଟର ଡାଇଲେକ୍ଟର ଖୁଲାସା କରି କହିଛନ୍ତି ଗତ ଡିସେମ୍ବର ୮ତାରିଖରୁ ଚଳିତ ମାସ ୧୨ତାରିଖ ଭିତରେ ୫୯,୯୩୮ ଲୋକଙ୍କ କରୋନାରେ ମୃତ୍ୟୁ ହୋଇଛି । ମାତ୍ର ଗୋଟିଏ ମାସ ମଧ୍ୟରେ ପାଖାପାଖି ୬୦ହଜାର ଲୋକଙ୍କ ମୃତ୍ୟୁ ହୋଇଛି । ଏହି ତଥ୍ୟ ସାମ୍ନାକୁ ଆସିବା ପରେ ଅନୁମାନ କରାଯାଇପାରୁଛି ଚୀନରେ କରୋନା ସ୍ଥିତି କେତେ ଭୟଙ୍କର ହୋଇପଡିଛି ।