ରାହୁଲଙ୍କୁ ପୁଣି କଂଗ୍ରେସ ଅଧ୍ୟକ୍ଷ କରିବାକୁ ଜୋର ଧରିଲା ଦାବି । ଦିଲ୍ଲୀ ପରେ ଛତିଶଗଡରେ ପାରିତ ହେଲା ପ୍ରସ୍ତାବ ।

71

କନକ ବ୍ୟୁରୋ: ରାହୁଲଙ୍କୁ ପୁଣି କଂଗ୍ରେସ କମାଣ ଧରାଇବାକୁ ଜୋର ଧରିଲା ଦାବି । ଦିଲ୍ଲୀ ପରେ ଏବେ ଛତିଶଗଡ କଂଗ୍ରେସ ପକ୍ଷରୁ ମଧ୍ୟ ଏନେଇ ଏକ ପ୍ରସ୍ତାବ ପାରିତ ହୋଇଛି । ଶନିବାର ଛତିଶଗଡ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ରାହୁଲଙ୍କୁ ପୁଣି କଂଗ୍ରେସ ଅଧ୍ୟକ୍ଷ ପଦ ଦେବାକୁ ପ୍ରସ୍ତାବ ପାରିତ ହୋଇଛି ।

ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କୁ ଉପସ୍ଥିତିରେ ଏହି ପ୍ରସ୍ତାବ ପାରିତ ହୋଇଛି । ଯେଉଁଥିରେ ରାହୁଲ ଗାନ୍ଧୀଙ୍କୁ ପୁଣିଥରେ କଂଗ୍ରେସ ମଙ୍ଗ ସମ୍ଭାଳିବାକୁ ଦାବି କରାଯାଇଛି । ଏହାକୁ ଛତିଶଗଡ ପ୍ରଭାରୀ ପି ଏଲ ପୁନିଆ ଏବଂ ପ୍ରଦେଶ ଅଧ୍ୟକ୍ଷ ମୋହନ ମରକାମ ମଧ୍ୟ ସମର୍ଥନ ଜଣାଇଥିଲେ । କଂଗ୍ରେସ ଦଳରେ ଏବେ କିଏ ନେତୃତ୍ୱ ସମ୍ଭାଳିବ ସେନେଇ ଟଣାଓଟରା ଚାଲିଛି । କେତେକ ନେତା ରାହୁଲଙ୍କୁ ପୁଣି ଅଧ୍ୟକ୍ଷ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏନେଇ ଗତ କିଛି ଦିନ ତଳେ ଦିଲ୍ଲୀ କଂଗ୍ରେସ ପକ୍ଷରୁ ମଧ୍ୟ ଏକ ପ୍ରସ୍ତାବ ପାରିତ ହୋଇଥିଲା । ଏବେ ଛତିଶଗଡ କଂଗ୍ରେସ ପକ୍ଷରୁ ମଧ୍ୟ ଏହି ପ୍ରସ୍ତାବ ପାରିତ ହୋଇଛି ।