ଏପର୍ଯ୍ୟନ୍ତ ୧୫ଟି ଦେଶକୁ କୋଭିଡ୍ ଟିକା ଯୋଗାଇଛି ଭାରତ । ଏବେ ବି ଧାଡିରେ ଅଛନ୍ତି ଆହୁରି ୨୫ ଦେଶ । ସୂଚନା ଦେବେ ବୈଦେଶିକା ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ।

100

କନକ ବ୍ୟୁରୋ: ଭାରତ ଏପର୍ଯ୍ୟନ୍ତ ୧୫ଟି ଦେଶକୁ କୋଭିଡ୍-୧୯ ଟିକା ଯୋଗାଇ ଦେଇଛି । ଆହୁରି ୨୫ଟି ଦେଶ ବିଭିନ୍ନ ସ୍ତରରେ ଭାରତ ପ୍ରସ୍ତୁତ କୋଭିଡ୍ ଟିକା ପାଇଁ ଧାଡିରେ ଅଛନ୍ତି ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ତେବେ ଏହି ଟିକା ପାଇଁ ଲାଗିଥିବା ଧାଡିରେ ତିନି ବର୍ଗର ଦେଶ ଅଛନ୍ତି । ଭାରତରୁ ଟିକା ପାଇବାକୁ ଆଗ୍ରହୀ ତିନି ବର୍ଗ ହେଲେ ଗରିବ, ମୂଲ୍ୟ ସମ୍ବେଦନଶୀଳ ଦେଶ ଓ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ସହିତ ସିଧାସଳଖ କାରବାର କରୁଥିବା ଦେଶ । ଏହି ଘଟଣା ଆଜି ଭାରତକୁ ବିଶ୍ୱ ମାନଚିତ୍ରରେ ସ୍ଥାନିତ କରିଛି ବୋଲି କେନ୍ଦ୍ର ମନ୍ତ୍ରୀ ଜୟଶଙ୍କର କହିଛନ୍ତି ।

ସେ କହିଛନ୍ତି, ଭାରତ ପକ୍ଷରୁ କେତେକ ଗରିବ ଦେଶକୁ ଅନୁଦାନ ଭିତ୍ତିରେ ଏହି ଟିକା ଯୋଗାଇ ଦିଆଯାଉଥିବା ବେଳେ କେତେକ ଦେଶ ଏହି ଟିକା ପ୍ରସ୍ତୁତକାରୀଙ୍କ ଠାରୁ ଭାରତ ସରକାରଙ୍କ ପକ୍ଷରୁ ଧାର୍ଯ୍ୟମୂଲ୍ୟ ସହିତ ଚାହୁଁଛନ୍ତି । ଆଉ କେତେକ ଦେଶ ଭାରତୀୟ ଟିକା ଉତ୍ପାଦନକାରୀ କମ୍ପାନୀ ସହିତ ସିଧାସଳଖ ଚୁକ୍ତି କରିଛନ୍ତି ଏବଂ ବ୍ୟବସାୟିକ ଭିତରେ ବୁଝାମଣା କରିଛନ୍ତି ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ । ଦେଶରେ ବର୍ତମାନ ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ ଇଣ୍ଡିଆର କୋଭିସିଲ୍ଡ ଓ ଭାରତ ବାୟୋଟେକର କୋଭାକ୍ସିନ୍ ଟିକା ଦୁଇଟି ଆଗଧାଡିର କରୋନା ଯୋଦ୍ଧାଙ୍କୁ ଦିଆଯାଉଛି ।