ଆଉ କେଇ ଘଣ୍ଟାର ଅପେକ୍ଷା : ଅପରାହ୍ନରେ ଚନ୍ଦ୍ରଯାନ-୩ ପ୍ରେରଣ କରିବ ଭାରତ; ପୁରୀରେ ସୁଦର୍ଶନ ପଟ୍ଟନାୟକଙ୍କ ବାଲୁକାକଳା

385

କନକ ବ୍ୟୁରୋ : ଆଜି ଚନ୍ଦ୍ରକୁ ଯିବ ଚନ୍ଦ୍ରଯାନ-୩ । ଏଥିପାଇଁ ସମସ୍ତ ପ୍ରକାର ପ୍ରସ୍ତୁତି ଶେଷ ହୋଇଛି । ଆଜି ଅପରାହ୍ନ ୨ଟା ୩୫ରେ ଶ୍ରୀହରିକୋଟାରୁ ଉତକ୍ଷେପଣ କରାଯିବ ଚନ୍ଦ୍ରଯାନ-୩ । ଏଲଭିଏମ-୩ ରକେଟ୍ ଦ୍ୱାରା ମହାକାଶକୁ ପ୍ରେରଣ କରାଯିବ । କୋଟି କୋଟି ଭାରତୀୟଙ୍କ ନଜର ଏହା ଉପରେ ରହିଛି । ୨୦୧୯ ସେପ୍ଟେ୍ମ୍ବର ମାସରେ ଚନ୍ଦ୍ରଯାନ-୨ ପ୍ରେରଣ କରାଯାଇଥିଲା ।

ସବୁକିଛି ଠିକ୍ ଚାଲିଥିବା ବେଳେ ଚନ୍ଦ୍ରପୃଷ୍ଠକୁ ଛୁଇଁବାକୁ ମାତ୍ର ୪୦୦ ମିଟର ଥିବା ବେଳେ ଲ୍ୟାଣ୍ଡର ସହ ଇସ୍ରୋର ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା । ବେଗ ନିୟନ୍ତ୍ରଣ ହୋଇ ପାରିନଥିଲା । ଗତିପଥରେ ପରିବର୍ତନ ଓ ଦ୍ରୁତ ଗତି ଯୋଗୁଁ କ୍ରାସ ଲ୍ୟାଣ୍ଡିଂ କରିଥିଲା ଲ୍ୟାଣ୍ଡର । ଏହା ସହ ଭାରତର ଚନ୍ଦ୍ର ବିଜୟ ସ୍ୱପ୍ନ ମଧ୍ୟ ଚୁରମାର ହୋଇ ଯାଇଥିଲା । କିନ୍ତୁ ଭାରତ ପଛକୁ ନହଟି ଆରମ୍ଭ କରିଥିଲା ମିସନ ଚନ୍ଦ୍ରଯାନ-୩ । ଆଉ ଯଦି ଏଥର ଯଦି ଚନ୍ଦ୍ର ଅଭିଯାନ ସଫଳ ହେବ, ତାହେଲେ ଇତିହାସ ରଚିବ ଭାରତ ।

ଚନ୍ଦ୍ରଯାନ-୩ ପାଇଁ ଇସ୍ରୋର ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରା ଇସ୍ରୋ ଟିମକୁ ଶୁଭେଛା ଦେବା ସହ ମହାପ୍ରଭୁଙ୍କ ପାଖରେ ଏହି ଚନ୍ଦ୍ରଯାନ-୩ର ସଫଳତା କାମନା କରିଛନ୍ତି । ପୁରୀ ବେଳାଭୂମିରେ ସୁଦର୍ଶନ ଏକ ବାଲୁକାକଳା ମାଧ୍ୟମରେ ପୁରା ଟିମକୁ ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି ।

ଏହି ବାଲୁକାକଳାଟିରେ ସୁଦର୍ଶନ ୫୦୦ ଟି ଷ୍ଟିଲ ପାତ୍ର ବ୍ୟବହାର କରିଛନ୍ତି । ଏଥିସହିତ ୧୫ ଟନ ବାଲି ବ୍ୟବହାର କରି ବାଲୁକା କଳାଟିକୁ ପ୍ରସ୍ତୁତ କରିଛନ୍ତି ସୁଦର୍ଶନ । ଚନ୍ଦ୍ରୟାନ-୩ର ସଫଳତା ଉପରେ ସମଗ୍ର ଦେଶର ନଜର ରହିଛି । ତେଣୁ ପୁରୀ ବେଳାଭୂମିରେ ଆକର୍ଷଣୀୟ ଢଙ୍ଗରେ ପ୍ରସ୍ତୁତ ଏହି ରଙ୍ଗୀନ ବାଲୁକାକଳାଟିକୁ ଦେଶ ବିଦେଶରୁ ଆସିଥିବା ପର୍ଯ୍ୟଟକମାନେ ପସନ୍ଦ କରିଛନ୍ତି ।