ଆଗକୁ ଆସୁଛି ଡଙ୍ଗାଭସା ପର୍ବ ପଞ୍ଜକ, ଜାଣନ୍ତୁ ଡଙ୍ଗା କାରିଗରଙ୍କ ଗାଁ ଚନ୍ଦ୍ରାଦେଇପୁର ବାବଦରେ

299

କନକ ବ୍ୟୁରୋ : କାର୍ତିକ ପୂର୍ଣ୍ଣିମାକୁ ମୁଖ୍ୟତଃ ଲୋକମାନେ ଡଙ୍ଗାଭସା ପୂର୍ଣ୍ଣିମା ଭାବେ ଜାଣନ୍ତି । ଏହି ପୂର୍ଣ୍ଣିମା ଆସିଲେ ଲୋକଙ୍କର ଖୋଜାପଡ଼େ ଡଙ୍ଗା । ଓଡ଼ିଆ ଜାତିର ସଂସ୍କୃତି ଓ ପରମ୍ପରାର ପ୍ରତୀକ ଏହି ଡଙ୍ଗାଭସା ପୂଣ୍ଣିମା । କିଏ କିଏ କଦଳୀ ବାସଙ୍ଗରେ ଡଙ୍ଗା ଭସାଇଥାଆନ୍ତି ତ ପୁଣି କିଏ ସୋଲ ଓ କାଗଜରେ ଡଙ୍ଗା ଭସାଉଥିବାର ଦେଖିବାକୁ ମିଳିଥାଏ । ତେବେ କାର୍ତିକ ପୂର୍ଣ୍ଣିମା ଆସିଲେ ଚଳଚଂଚଳ ହୋଇଥାଏ କଟକ ସାଲେପୁର ଅଂଚଳର ଚନ୍ଦ୍ରାଦେଇପୁର ଗାଁ । ଏହି ଗାଁ କାରିଗର ମାନେ ଡଙ୍ଗା ତିଆରି କରି କିଛି ରୋଜଗାର କରିଥାଆନ୍ତି । ଛୋଟ ଠାରୁ ବଡ ପର୍ଯ୍ୟନ୍ତ ଗାଁର ସମସ୍ତେ ଡଙ୍ଗା ତିଆରିରେ ବ୍ୟସ୍ତ ଥାଆନ୍ତି । ପାଖାପାଖି ୫୦ରୁ ୬୦ ପ୍ରକାରର ଡଙ୍ଗା ତିଆରି କରି ବଜାରରେ ବିକ୍ରି କରନ୍ତି । ଏହାର ମୂଲ୍ୟ ୧୦ ଟଙ୍କାରୁ ଆରମ୍ଭ ହୋଇ ୧୨ଶହ ଟଙ୍କା ପର୍ଯ୍ୟନ୍ତ ରହିଛି ।

କାର୍ତିକ ମାସର ୩ରୁ ୪ ମାସ ଆଗରୁ ଡଙ୍ଗା ତିଆରିରେ ଲାଗିପଡ଼ିନ୍ତି ଏହି ଗାଁର କାରିଗର । ବିଭିନ୍ନ ପ୍ରକାରର ଡଙ୍ଗା, କାରିଗର ମାନେ ପ୍ରସ୍ତୁତ କରି ରଖିଥାଆନ୍ତି । ଡଙ୍ଗା ତିଆରି ପାଇଁ ବିଭିନ୍ନ ପ୍ରକାରର ସାମଗ୍ରୀ ସେମାନେ କଟକରୁ ଆଣିଥାଆନ୍ତି । କଂଚାମାଲ ସଂଗ୍ରହ କରି ସେଥିରେ ମନ୍ଦିର, ବତକ, ହଂସ ଓ ଯୁଦ୍ଧ ଜାହାଜ ଆକୃତିର ଡ଼ଙ୍ଗା ତିଆରି କରନ୍ତି । କାରିଗରଙ୍କ ହାତ ତିଆରି ଡଙ୍ଗା ପାଇଁ ଏହି ଗାଁରେ ବ୍ୟବସାୟୀ ମାନେ ମଧ୍ୟ ଭିଡ଼ ଜମାଇଥାଆନ୍ତି । ଏହା ସହ ସ୍ଥାନୀୟ ସାଲେପୁର ବଜାର ସହ କଟକ ଓ ଆଖପାଖ ଅଂଚଳରେ ଏହି ଡଙ୍ଗାକୁ ବିକ୍ରି କରନ୍ତି କାରିଗର ।

ବିଶ୍ୱାସ ରହିଛି ଆଗ କାଳରେ ସାଧବ ମାନେ ସାତ ସମୁଦ୍ର ପାର ହୋଇ ବୋଇତ ନେଇ ବଣିଜ କରିବାକୁ ଯାଉଥିଲେ । ଆଉ ସେହି ପୁରୁଣା ସ୍ମୃତିକୁ ମନେରଖିବା ପାଇଁ ବୋଇତ ବନ୍ଦାଣ ଉତ୍ସବ କରାଯାଇଥାଏ । ଆଉ ଏକ ଲୋକ କଥା ଅନୁସାରେ କାର୍ତିକ ସାସରେ ଡଙ୍ଗା ଭସାଇବା ଦ୍ୱାରା କୋଟି ଜନ୍ମର ପୁଣ୍ୟ ମିଳିଥାଏ ।