ମିଷ୍ଠାନ ଭଣ୍ଡାର ରୋଜଗାରରୁ ଗୋଷାଳା ଚଳାଇଛନ୍ତି ସହଦେବ ରାଓଳଙ୍କ ପରିବାର, ରଖିଛନ୍ତି ୨ଶହରୁ ଅଧିକ ବୁଲା ଗାଇଗୋରୁ

59

କନକ ବ୍ୟୁରୋ : ଗୋଷାଳା ଦେଇଛି ପରିଚୟ । ବୃଦ୍ଧ ବୟସରେ ମିଷ୍ଠାନ ଭଣ୍ଡାରରୁ ରୋଜଗାର କରି ଗୋଷଳା ଚଳାଇଛନ୍ତି ଖଲ୍ଲିକୋଟ ଲଙ୍ଗଲେଶ୍ୱର ଗାଁର ସହଦେବ ରାଉଳ ଓ ଶୈଳବାଳା । ଗୋଷାଳାରେ ରହିଛନ୍ତି ୨ଶହରୁ ଅଧିକ ବୁଲା ଗାଇଗୋରୁ ଓ ଭିନ୍ନକ୍ଷମ ଗାଇଗୋରୁ । ମିଷ୍ଠାନ୍ନ ଭଣ୍ଡାର ଓ ଗୋଷାଳା ଯୋଗୁଁ ରୋଜଗାରକ୍ଷମ ହୋଇଛନ୍ତି ୩୦ରୁ ମହିଳା ଓ ପୁରୁଷ । ୩୦ ବର୍ଷ ତଳେ ଦୁଇଟି ଗାଇରୁ ଗୋପାଳନ ଆରମ୍ଭ କରିଥିଲେ । ବର୍ତମାନ ଏହା ଗୋଷାଳାରେ ପରିଣତ ହୋଇଛି । ଆଉ ଏହାର ଉଦ୍ଦେଶ୍ୟ ହେଉଛି, ଯେଉଁ ଲୋକମାନେ ଗାଇଗୋରୁକୁ ପାଳିନପାରି ଛାଡି ଦେଉଛନ୍ତି ସେହି ଗାଇ ଗୋରୁଙ୍କୁ ଆଣି ଏଠାରେ ଥଇଥାନ କରିବା । ତା ସହ ସଡକ ଦୁର୍ଘଟଣାରେ ଭିନ୍ନକ୍ଷମ ଗାଇଗୋରୁଙ୍କୁ ଆଣି ସେମାନଙ୍କ ସେବା ଯତ୍ନ କରି ଭଲ ହେଲା ପରେ ପାଳନ କରିବା । ଗାଇଗୋରୁଙ୍କ ପାଇଁ ଗୋଖାଦ୍ୟ, ପାଳ ଓ ବିଭିନ୍ନ ମେଡିସନ ସହ ଚିକିତ୍ସା ପାଇଁ ଜଣେ ଡାକ୍ତରଙ୍କୁ ନିୟୋଜିତ କରାଯାଇଛି ।

କ୍ଷୀର ବିକ୍ରି କରିବା ଉଦ୍ଦେଶ୍ୟରେ ଦୁଇଟି ଗାଇ ରଖିଥିଲେ ଏବଂ ବୁଲି ବୁଲି କ୍ଷୀର ବିକୁଥିଲେ ସହଦେବ । ପ୍ୟାକେଟ କ୍ଷୀର ବିକ୍ରି ହେବା ପରେ ସହଦେବଙ୍କ କ୍ଷୀର ବିକ୍ରି ବନ୍ଦ ହୋଇଯାଇଥିଲା । ତାପରେ ସେ ସ୍ଥିର କରିଥିଲେ ହେଉଥିବା କ୍ଷୀରରେ ସେ ମିଠା ତିଆରି କରି ବିକ୍ରି କରିବେ । ଶ୍ରୀକୃଷ୍ଣ ଭଣ୍ଡାର ନାମରେ ମିଠା ଦୋକାନ କରିବା ସହ ଗୋପାଳନ ପ୍ରତି ମଧ୍ୟ ଦୃଷ୍ଟି ଦେଉଥିଲେ । ଯାହାଫଳରେ ସହଦେବଙ୍କ ଗାଇ ସଂଖ୍ୟା ବୃଦ୍ଧି ପାଇବା ସହ ମିଠା ଦୋକାନର ବେପାର ମଧ୍ୟ ବୃଦ୍ଧି ପାଇଲା । ଆଉ ଧିରେ ଧିରେ ସ୍ୱାମୀ ସ୍ତ୍ରୀ ଚିନ୍ତା କରିଥିଲେ ଗୋଷାଳା କରିବାକୁ । ଘର ପାଖରେ ରହି ରୋଜଗାର କରିବା ସହ ଗୋସେବା କରୁଥିବାରୁ ଖୁସି ବ୍ୟକ୍ତ କରିଛନ୍ତି ସହଦେବଙ୍କ ପାଖରେ କାମ କରୁଥିବା କର୍ମଚାରୀ ।