ହେତୁବାଦୀଙ୍କୁ ସେବାୟତଙ୍କ ଖୋଲା ଚେତାବନୀ: ବିଜ୍ଞାନ ନାଁରେ ଭ୍ରମ ସୃଷ୍ଟି କଲେ ପ୍ରତିବାଦକୁ ଓହ୍ଲାଇବ ଓଡ଼ିଶା ମନ୍ଦିର ସେବାୟତ ସଂଘ

921

କନକ ବ୍ୟୁରୋ: ସୂର୍ଯ୍ୟପରାଗ ସମୟରେ ପରମ୍ପରାକୁ ଚାଲେଞ୍ଜ କରି ହେତୁବାଦୀମାନେ ଚିକେନ ବିରିୟାନି ଖାଇବା ବିବାଦଟି ଥାନାରୁ କୋର୍ଟ କଚେରି ଯାଏଁ ଯାଇଛି । ଆସନ୍ତା ୮ତାରିଖରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ହେତୁବାଦୀଙ୍କୁ ଆଗୁଆ ଚେତାବନୀ ଦେଇଛନ୍ତି ଓଡିଶା ମନ୍ଦିର ସେବାୟତ ସଂଘ । ଚନ୍ଦ୍ରଗହଣ ଦିନ ହେତୁବାଦୀଙ୍କ ସାମୂହିକ ଭୋଜନକୁ ବିରୋଧ କରିବା ପାଇଁ ସଂଘ ସାଧାରଣ ଜନତାଙ୍କୁ ଅପିଲ କରିଛି । ସଂଘର କର୍ମକର୍ତ୍ତା କହିଛନ୍ତି

ମନ୍ଦିର ସେବାୟତ ସଂଘର ଯୁକ୍ତି
ହେତୁବାଦୀମାନେ ବିଜ୍ଞାନ ନାଁରେ ଭ୍ରମ ସୃଷ୍ଟି କରୁଛନ୍ତି
ଏହାଦ୍ୱାରା ସନାତନ ସଂସ୍କୃତି ଉପରେ ପ୍ରଭାବ ପଡୁଛି
ଲୋକଙ୍କୁ ହଇରାଣ କରିବାକୁ ହେତୁବାଦୀମାନେ ଏପରି ଯୋଜନା କରିଛନ୍ତି

ତେଣୁ ଭୁବନେଶ୍ୱର ରାମନ୍ଦିରରେ ଏକଜୁଟ ହୋଇ ହେତୁବାଦୀଙ୍କ ସାମୂହିକ ଭୋଜନକୁ ବିରୋଧ କରିବା ପାଇଁ ଆହ୍ୱାନ କରିଛି ଓଡିଶା ମନ୍ଦିର ସେବାୟତ ସଂଘ । ଆଉ ଏହି ଡାକରାକୁ ଅନ୍ୟ ହିନ୍ଦୁ ସଂଗଠନ ମଧ୍ୟ ସମର୍ଥନ ଦେଇଛନ୍ତି । କହିଛନ୍ତି ହେତୁବାଦୀ ନମାନିଲେ ଆଗକୁ ବଡ ଆନ୍ଦୋଳନ ହେବ ।

ସେପଟେ ହେତୁବାଦୀଙ୍କ କହିବା କଥା ସେମାନେ କୌଣସି ଧର୍ମକୁ ଆଘାତ ଦେଉ ନାହାନ୍ତି । ଗ୍ରହଣ ଓ ପରାଗ ଏକ ମହାଜାଗତିକ ସଂଯୋଗ । ଗ୍ରହଣକୁ ନେଇ ଲୋକଙ୍କ ମନରେ ଥିବା ଅନ୍ଧବିଶ୍ୱାସ ଦୂର କରିବାକୁ ଚେଷ୍ଟା କରାଯାଉଛି । ଶାନ୍ତିପୂର୍ଣ୍ଣ ଭାବେ ସାମୁହିକ ଭୋଜନ ପାଇଁ ବ୍ୟବସ୍ଥା କରାଯାଇଛି ।

ଆସନ୍ତା ୮ ତାରିଖରେ ଚଳିତବର୍ଷର ଶେଷ ଚନ୍ଦ୍ର ଗ୍ରହଣ ପଡୁଛି । ଏହାକୁ ନେଇ ଭୋର ୫ଟା ୫୪ ମିନିଟରୁ ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି । ଆସନ୍ତା ମଙ୍ଗଳବାର ଅପରାହ୍ନ ୨ଟା ୩୮ ମିନିଟରେ ଗ୍ରହଣ ସ୍ପର୍ଶ କରିବ ଓ ସନ୍ଧ୍ୟା ୬ଟା ୧୮ମିନିଟରେ ଗ୍ରହଣ ସର୍ବମୋକ୍ଷ ହେବ । ଏହାକୁ ନେଇ ଶ୍ରୀମନ୍ଦିରରେ ମଧ୍ୟ ନୀତିକାନ୍ତି ପରିବର୍ତନ କରାଯାଇଛି । ଚନ୍ଦ୍ରଗ୍ରହଣରେ ଗୋଟିଏ ପଟେ ହେତୁବାଦୀ ଶାନ୍ତିପୂର୍ଣ୍ଣ ଭାବେ ସାମୂହିକ ଭୋଜନ ପାଇଁ ବ୍ୟବସ୍ଥା କରିଛନ୍ତି । ଅନ୍ୟପଟେ ମନ୍ଦିର ସେବାୟତ ସଂଘ ସାମୂହିକ ଭୋଜନକୁ ବିରୋଧ କରିବାକୁ ସଜବାଜ ହେଉଛନ୍ତି ।