ମୋବାଇଲ କମ୍ପାନୀ ଭିଭୋକୁ ନେଇ ଭାରତ-ଚୀନ ବିବାଦ । ଭିଭୋର ୩ ଅଫିସରଙ୍କୁ ଇଡି ଗିରଫ କରିବା ପରେ ପ୍ରତିକ୍ରିୟ। ରଖିଲା ଚୀନ

425

କନକ ବ୍ୟୁରୋ : ଚୀନର ମୋବାଇଲ କମ୍ପାନୀ ଭିଭୋର ୩ ଅଫିସରଙ୍କୁ ଗିରଫ କରିବା ପରେ ଚିହିଁକି ଉଠିଛି ଚୀନ । ଗିରଫ ହୋଇଥିବା କର୍ମଚାରୀଙ୍କୁ ରାଷ୍ଟ୍ରଦୂତ ତରଫରୁ ସମସ୍ତ ସହାୟତା ଯୋଗାଇଦେବ ବୋଲି କହିଛି ଚୀନ । ଚୀନ ବୈଦେଶିକ ମନ୍ତ୍ରଣାଳୟ କହିଛି, ମାମଲାକୁ ଅତି ନିକଟରେ ତଜର୍ମା କରାଯିବା ସହ କର୍ମଚାରୀଙ୍କୁ ସହାୟତା ଯୋଗାଇ ଦିଆଯାଇଛି । ବ୍ୟବସାୟ ପାଇଁ ଉଭୟ ଦେଶ ସହମତିରେ କାରବାର କରିବା ଉଚିତ୍ ବୋଲି କହିଛି ଚୀନ । ବେଆଇନ ଅର୍ଥ ହେରଫେର ଅଭିଯୋଗରେ ଭିଭୋ କମ୍ପାନୀରେ ତିନି ଜଣ ଅଫିସରଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ଗିରଫ କରି ପଚରାଉଚରା କରୁଛି । ଅଧିକ ପଚରାଉଚରା ପାଇଁ ମଙ୍ଗଳବାର ସେମାନଙ୍କୁ ଦୁଇ ଦିନିଆ ରିମାଣ୍ଡରେ ନେବାକୁ ଅନୁମତି ଦେଇଛନ୍ତି ଦିଲ୍ଲୀ କୋର୍ଟ । ସେମାନଙ୍କ ମଧ୍ୟରେ ଭିଭୋ ଇଣ୍ଡିଆର ଅସ୍ଥାୟୀ ସିଇଓ, ସିଏଫଓ ଏବଂ କନସଲଟାଂଟ୍ ଅଛନ୍ତି । ଚଳିତ ମାସରେ ଭିଭୋ ବିରୋଧରେ ଚାର୍ଜସିଟ୍ ଦାଖଲ କରିଥିଲା ଇଡି । ସେଥିରେ କମ୍ପାନୀ ୨୦୧୪ରୁ ୨୦୨୧ ମଧ୍ୟରେ କୋଟି କୋଟି ଟଙ୍କାର ଦୁର୍ନୀତି କରିଥିବା କୁହାଯାଇଛି ।