କାଶ୍ମୀରରେ ଫେରିଲାଣି ୯୦ ଦଶକର ସ୍ଥିତି, କାଶ୍ମୀର ପଣ୍ଡିତଙ୍କୁ ସୁରକ୍ଷା ଦିଅନ୍ତୁ କେନ୍ଦ୍ର ସରକାର । ସହଯୋଗ କରିବାକୁ କେଜ୍ରିୱାଲ ଦେଲେ ସଂକେତ ।

133

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀରକୁ ଏବେ କାଶ୍ମୀର ପଣ୍ଡିତ ଫେରିବା ଆରମ୍ଭ କରିଛନ୍ତି । କିନ୍ତୁ ଆତଙ୍କବାଦୀ ମାନେ କାଶ୍ମୀର ପଣ୍ଡିତ ମାନଙ୍କୁ ଟାର୍ଗେଟ କରିବା ସହ ଭୟ ସୃଷ୍ଟି କରିବାକୁ ଚାହୁଁଛନ୍ତି । ଆଉ ଏସବୁ ଭିତରେ କାଶ୍ମୀର ପଣ୍ଡିତଙ୍କ ସପକ୍ଷରେ ବଡ ବୟାନ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଯେତେଜଣ ବି କାଶ୍ମୀର ପଣ୍ଡିତ ଅଛନ୍ତି ସମସ୍ତଙ୍କୁ ସୁରକ୍ଷା ଦିଆଯାଉ ବୋଲି ଦାବି କରିଛନ୍ତି କେଜ୍ରିୱାଲ ।

ସାମ୍ବାଦିକ ସମ୍ମିଳନୀ କରି କେଜ୍ରିୱାଲ କହିଛନ୍ତି, କାଶ୍ମୀର ପଣ୍ଡିତଙ୍କୁ ରାସ୍ତାରେ ହତ୍ୟା କରାଯାଉଛି । ଆଉ ଏଭଳି ଘଟଣାକୁ ରୋକିବାକୁ ସତେ ଯେପରି କେହି ନାହିଁ । ଯିଏ କେହି ବି କାଶ୍ମୀର ପଣ୍ଡିତଙ୍କ ପାଇଁ ସ୍ୱର ଉଠାଉଛନ୍ତି ସେମାନଙ୍କ ସ୍ୱରକୁ ଚାପି ଦିଆଯାଉଛି । ଚଳିତ ବର୍ଷ ୧୬ ଜଣ କାଶ୍ମୀର ପଣ୍ଡିତଙ୍କୁ ହତ୍ୟା କରାଗଲାଣି । ଲାଗୁଛି ସତେ ଯେମିତି କାଶ୍ମୀରରେ ୯୦ ଦଶକର ପୁନରାବୃତ୍ତି ହେଉଛି । କାଶ୍ମୀର ଲୋକ ସୁଖ ଓ ଶାନ୍ତିରେ ବଞ୍ଚିବାକୁ ଚାହୁଁଛନ୍ତି କିନ୍ତୁ କିଛି ଆତଙ୍କୀ ସଙ୍ଗଠନ ଏଭଳି ଚାହୁଁନାହାନ୍ତି । କାରଣ ଏମାନଙ୍କ ପାଇଁ ହିନ୍ଦୁ-ମୁସଲିମ ଏକତା ସବୁଠୁ ବଡ ବିପଦ ।

କେଜ୍ରିୱାଲ କହିଛନ୍ତି, କାଶ୍ମୀର ପଣ୍ଡିତଙ୍କର ଜନ୍ମଭୂମି ହେଉଛି କାଶ୍ମୀର । ସେମାନେ ସେଠାକୁ ଫେରିବା ସ୍ୱାଭାବିକ । କିନ୍ତୁ ଯେତେବେଳେ କାଶ୍ମୀର ପଣ୍ଡିତ ମାନେ ନିଜ ଜନ୍ମଭୂମିକୁ ଫେରୁଛନ୍ତି ସେତେବେଳେ ଏଭଳି ଆକ୍ରମଣର ଶିକାର ହେବାକୁ ପଡୁଛି । ତେଣୁ ସରକାରଙ୍କର ଦାୟିତ୍ୱ ହେଉଛି କାଶ୍ମୀର ପଣ୍ଡିତଙ୍କୁ ସୁରକ୍ଷା ଦେବା । ଆଉ ଏଥିପାଇଁ ସମସ୍ତ ପ୍ରକାର ସହାୟତା ପାଇଁ ଆମେ ପ୍ରସ୍ତୁତ ।