ବିହାର ବିଧାନସଭାର ଫ୍ଲୋର ଟେଷ୍ଟ ପୂର୍ବରୁ ଆରଜେଡି ନେତାଙ୍କ ଘରେ ସିବିଆଇ ରେଡ୍ । 

600

କନକ ବ୍ୟୁରୋ : ବିହାରର ୨୪ଟି ସ୍ଥାନରେ ଆଜି ସିବିଆଇ ରେଡ୍ କରିଛି । ରେଲୱେରେ ନିଯୁକ୍ତି ବଦଳରେ ଜମି କାରବାର ମାମଲାରେ ସିବିଆଇ ଏହି ରେଡ୍ କରିଥିବା ଜାଣିବାକୁ ମିଳିଛି । ସିବିଆଇ ଯେଉଁ ସବୁ ସ୍ଥାନରେ ରେଡ କରିଛି ସେମାନଙ୍କ ମଧ୍ୟରେ ଆରଜେଡି ନେତାଙ୍କ ଘର ରହିଛି । ତେବେ ଆରଜେଡି ନେତାଙ୍କ ଘରେ ଏଭଳି ସମୟରେ ରେଡ କରାଯାଇଛି ଯେତେବେଳେ ଆଜି ବିହାର ବିଧାନସଭାରେ ଫ୍ଲୋର ଟେଷ୍ଟ ହେବାକୁ ଯାଉଛି । ତେବେ ଏଭଳି ଘଟଣାକୁ ନେଇ ଆରଜେଡି ବିଜେପି ଉପରେ ବର୍ଷିଛି । ଆରଜେଡି ଏମଏଲସି ସୁନୀଲ ସିଂଙ୍କ କହିବା ଅନୁଯାୟୀ, ଜାଣିଶୁଣି ଏଭଳି କରାଯାଉଛି । ଏଭଳି କରିବା ଦ୍ୱାରା କାଳେ ବିଧାୟକ ମାନେ କାଳେ ଡରିକି ବିଜେପି ପକ୍ଷକୁ ଚାଲିଆସିବେ । କିନ୍ତୁ ଏଭଳି ହେବ ନାହିଁ ।  କେବଳ ସିବିଆଇ ନୁହେଁ ଇଡି ମଧ୍ୟ ବେଶ ସକ୍ରିୟ ହୋଇଛି । ଝାଡଖଣ୍ଡ, ତାମିଲନାଡୁ, ବିହାର ଓ ଦିଲ୍ଲୀର ୧୭ ସ୍ଥାନରେ ଚଢାଉ କରିଛି ଇଡି ।

ଲାଲୁ ପ୍ରସାଦ ଯାଦବ ରେଳମନ୍ତ୍ରୀ ଥିବା ସମୟରେ ନିଯୁକ୍ତି ବଦଳରେ ଜମି ଦୁର୍ନୀତି ମାମଲା ସାମ୍ନାକୁ ଆସିଥିଲା । ସିବିଆଇ ଏହି ମାମଲାରେ ପୂର୍ବରୁ ଲାଲୁ ଯାଦବ, ରାବ୍ରି ଦେବୀ, ମୀସା ଯାଦବ, ହେମା ଯାଦବ  ଏବଂ କିଛି ଏଭଳି ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ଯେଉଁମାନଙ୍କୁ ଜମି ବଦଳରେ ନିଯୁକ୍ତି ଦିଆଯାଇଥିଲା । ଯେଉଁ ମାମଲାକୁ ନେଇ ସିବିଆଇ ପୂର୍ବରୁ ଲାଲୁ ଯାଦବଙ୍କ ସହ ଜଡିତ ୧୭ଟି ଠିକଣାରେ ଚଢାଉ କରିଥିଲା । ଆଉ ଏହି ଘଟଣାରେ ଲାଲୁ ଯାଦବଙ୍କ ପୂର୍ବତନ ଓଏସଡି ଭୋଳା ଯାଦବଙ୍କୁ ଗିରଫ କରାଯାଇଥିଲା ।

ଏସବୁ ଭିତରେ ବିହାର ବିଧାନସଭାରେ ଆଜି ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବ ମହାମେଂଟ ସରକାର । ଏଥିପାଇଁ ବିଧାନସଭାରେ ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ଡକା ଯାଇଛି । ଆଜି ଗୃହରେ ବହୁମତ ସାବ୍ୟସ୍ତ କରିବେ ନୀତିଶ ସରକାର । ଏହା ମହାମେଂଟ ତଥା ନୀତିଶ- ତେଜସ୍ୱୀ ସରକାରଙ୍କ ଅସଲ ପରୀକ୍ଷା ବୋଲି କୁହାଯାଉଛି । ବିହାରର ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ସରକାର ଗଠନ ପାଇଁ ୧୨୨ ଜଣ ବିଧାୟକଙ୍କ ସମର୍ଥନ ଆବଶ୍ୟକ । କିନ୍ତୁ ମହାମେଂଟ ସରକାର ପାଖରେ ୧୬୪ ବିଧାୟକଙ୍କ ସମର୍ଥନ ରହିଛି । ତେଣୁ  ସହଜରେ ବହୁମତ ସାବ୍ୟସ୍ତ କରିପାରିବେ ନୀତିଶ କୁମାର । ଏନଡିଏ ସହ ମେଂଟ ଭାଙ୍ଗିବା ପରେ ନୀତିଶ କୁମାର ଆରଜେଡି ସହ ମେଂଟ କରି ସରକାର ଗଠନ କରିଛନ୍ତି । ତେବେ ଶକ୍ତି ପରୀକ୍ଷଣ ପୂର୍ବରୁ ବିହାର ବିଧାନସଭାର ବାଚସ୍ପତି ବିଜୟ ସିହ୍ନା ଇସ୍ତଫା ଦେବାକୁ ମନା କରିଛନ୍ତି । ତେଣୁ ବିଧାନସଭାରେ ଆଜି ପ୍ରବଳ ହଟ୍ଟଗୋଳ ହେବା ସମ୍ଭାବନା ରହିଛି । ଏପରିକି ଆରଜେଡି ପକ୍ଷରୁ ବାଚସ୍ପତିଙ୍କ ବିରୋଧରେ ଆରଜେଡି ଦେଇଥିବା ଅବିଶ୍ୱାସ ପ୍ରସ୍ତାବକୁ ସେ ବେଆଇନ ଦର୍ଶାଇ ଖାରଜ କରିଦେଇଛନ୍ତି ।

ଅବିଶ୍ୱାସ ପ୍ରସ୍ତାବ ଆସିବା ପରେ ମଧ୍ୟ ପଦରେ ରହିବାକୁ ହେଲେ ବାଚସ୍ପତି ବିଜୟ ସିହ୍ନାଙ୍କୁ ବହୁମତ ଆବଶ୍ୟକ, ହେଲେ ବିଜେପି ପାଖରେ ୭୭ ଜଣ ବିଧାୟକ ଅଛନ୍ତି । ବିଧାନସଭାର ପରିବର୍ତିତ ପରିସ୍ଥିତି ଓ ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବାକୁ ବାଚସ୍ପତି ବିଜୟ ସିହ୍ନାଙ୍କୁ ଅପିଲ କରିଛି ଆରଜେଡି । ତେଣୁ ଆଜି ଗୃହରେ ପ୍ରବଳ ହଟ୍ଟଗୋଳ ହେବା  ସମ୍ଭାବନା ରହିଛି ।