ହେତୁବାଦୀଙ୍କ ବିରୋଧରେ କ୍ୟାପିଟାଲ ଥାନାରେ ମାମଲା: ଜଗନ୍ନାଥ ସଂସ୍କୃତି ଓ ଧର୍ମୀୟ ଭାବନାକୁ ଆଘାତ କରୁଥିବା ଅଭିଯୋଗ

158

କନକ ବ୍ୟୁରୋ: ପରାଗ ଓ ଗ୍ରହଣରେ ଭୋଜି କରିବା ଘଟଣାକୁ ନେଇ ହେତୁବାଦୀ ଓ ପରଂପରାବାଦୀଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ଘଟଣା ଥାନାରେ ପହଂଚିଛି । ମାରପିଟ ପରେ ପ୍ରଥମେ ହେତୁବାଦୀ ଥାନାରେ ଏତଲା ଦେଇଥିଲେ ଏବେ ନ୍ୟାୟଦାବିରେ ପରଂପରାବାଦୀ ବିଭିନ୍ନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ।

ଗ୍ରହଣ ସମୟରେ ହେତୁବାଦୀ ହାଣ୍ଡିଛାଡକୁ ଅନ୍ଧବିଶ୍ୱାସ କହି ଚିକେନ ବିରିୟାନି ଖାଇବା ବିବାଦ ତେଜିବାରେ ଲାଗିିଛି । ଭୁବନେଶ୍ୱର କ୍ୟାପିଟାଲ ଥାନାରେ ହେତୁବାଦୀଙ୍କ ବିରୋଧରେ ମହିଳା ସମାଜସେବୀ ଏତଲା ଦେଇଛନ୍ତି । ଏତଲାରେ ଉଲ୍ଲେଖ ଅଛି
ସନାତନ ପରଂପରାକୁ ଅନ୍ଧବିଶ୍ୱାସ କହି ଧର୍ମୀୟ ଭାବନାକୁ ଆଘାତ କରାଯାଉଛି
ଜଗନ୍ନାଥ ସଂସ୍କୃତିକୁ ନଷ୍ଟ କରିବାକୁ ହେତୁବାଦୀ ଉଦ୍ୟମ କରୁଛନ୍ତି

ହିନ୍ଦୁ ଧର୍ମକୁ ନେଇ ଦେଉଥିବା ନକରାତ୍ମକ ମନ୍ତବ୍ୟ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରାଯାଇଛି । ସେହିପରି ଖାରବେଳନଗର ଥାନାରେ ହେତୁବାଦୀଙ୍କ ବିରୋଧରେ ଜାତିଆଣ ଆକ୍ଷେପ କରିଥିବା ନେଇ ଅଭିଯୋଗ କରିଛନ୍ତି ପରଂପରାବାଦୀ ।

ସେପଟେ ବ୍ରହ୍ମପୁର ବଡ ବଜାର ଥାନାରେ ହେତୁୁବାଦୀ ଓ ପରମ୍ପରାବାଦୀ ଉଭୟଙ୍କ ପକ୍ଷରୁ ଅଲଗା ଅଲଗା ଏତଲା ଦିଆଯାଇଛି । ପାକତ୍ୟାଗ ବେଳେ ହେତୁବାଦୀଙ୍କ ପକ୍ଷରୁ ସାମୁହିକ ଭୋଜିକୁ ପରଂପରାବାଦୀ ବିରୋଧ କରିବା ପରେ ଆରମ୍ଭ ହୋଇଥିଲା ଖଣ୍ଡଯୁଦ୍ଧ । ଏହି ଘଟଣାରେ ଉଭୟ ପକ୍ଷ ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ଆଣି ଥାନାରେ ଏତଲା ଦେଇଛନ୍ତି ।

ସେହିପରି ଖଲ୍ଲିକୋଟ ଥାନାରେ ହେତୁବାଦୀ ଓ ପଠାଣିସାମନ୍ତ ପ୍ଲାନେଟେରିୟମ ଉପନିର୍ଦ୍ଦେଶକଙ୍କ ନାଁରେ ଜଣେ ଆଇନଜୀବୀ ଏତଲା ଦେଇଛନ୍ତି । ଗଣମାଧ୍ୟମରେ ସନାତନ ଧର୍ମ ବିରୋଧରେ କଟୁ ମନ୍ତବ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି ।

ଭୁବନେଶ୍ୱର ଲୋହିୟା ଏକାଡେମୀରେ ହେତୁବାଦୀଙ୍କ ଉପରେ ଆକ୍ରମଣ ଘଟଣାରେ କମିସନରେଟ ପୁଲିସ ୮ ଜଣଙ୍କୁ ଗିରଫ କରିଛି । ଏହି ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ବେଳେ ଏବେ ହେତୁବାଦୀଙ୍କ ବିରୋଧରେ ବିଭିନ୍ନ ଥାନାରେ ଏତଲା ସଂଖ୍ୟା ବଢିବାରେ ଲାଗିଛି ।