କ୍ୟାପିଟାଲ ହସ୍ପିଟାଲରେ ରୋଗୀ ସେବା ବିପର୍ଯ୍ୟସ୍ତ ! ଦାବି ପୂରଣ ନହେଲେ ଆନ୍ଦୋଳନ ଜାରି ରଖିବାକୁ ଓଡ଼ିଶା ନର୍ସିଂ ସେବା ସଂଘର ଧମକ ।
କନକ ବ୍ୟୁରୋ : ନର୍ସମାନଙ୍କ ଆନ୍ଦୋଳନ ଯୋଗୁ ବିପର୍ଯ୍ୟସ୍ତ ହୋଇପଡିଛି ରାଜ୍ୟର ସ୍ୱାସ୍ଥ୍ୟସେବା । ପ୍ରଭାବିତ ହୋଇଛନ୍ତି ଅନେକ ରୋଗୀ । କେତେକ ବିଭାଗକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି । ଅପରପକ୍ଷରେ ଓଡ଼ିଶା ନର୍ସିଂ ସେବା ସଂଘର ସାଧାରଣ ସଂପାଦିକା ପ୍ରଭାତି ମହାନ୍ତି କହିଛନ୍ତି, ଗତକାଲି ସଂଘର କର୍ମକର୍ତାଙ୍କ ସହିତ ସ୍ୱାସ୍ଥ୍ୟ ସଚିବଙ୍କ ଆଲୋଚନା ହୋଇଥିଲା। ସଚିବ ଆସନ୍ତା ୬ମାସ ମଧ୍ୟରେ ଦାବି ପୂରଣ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲେ ହେଁ ସଂଘ ଏଥିରେ ସନ୍ତୁଷ୍ଟ ହୋଇ ନ ଥିଲା। ତେଣୁ ପୂର୍ବଭଳି ଆନ୍ଦୋଳନ ଜାରି ରଖିବାକୁ ନର୍ସମାନେ ଆନ୍ଦୋଳନ ଜାରି ରଖିଛନ୍ତି।
Kanak News is now on WhatsApp
Join and get latest news updates delivered to you via WhatsApp
ଏନଏଚଏମ ଅଧୀନରେ କାର୍ଯ୍ୟରତ ନର୍ସମାନେ ଆନ୍ଦୋଳନରେ ସାମିଲ ହୋଇଥିବାରୁ ଏହାର ପ୍ରଭାବ ରାଜ୍ୟର ବିଭିନ୍ନ ହସ୍ପିଟାଲ ସମେତ କ୍ୟାପିଟାଲ ହସ୍ପିଟାଲ ଉପରେ ମଧ୍ୟ ପଡ଼ିଛି। ଗତକାଲି ହସ୍ପିଟାଲରେ କୌଣସି ପ୍ରକାର ସେବା କାର୍ଯ୍ୟକୁ ଜାରି ରହିଥିବା ବେଳେ ଆଜି ୩ଟି ୟୁନିଟକୁ ବନ୍ଦ କରିଦିଆଯାଇଛି। ଅସ୍ତ୍ରୋପଚାର ଗୃହ, ଥାଲାସେମିଆ ୟୁନିଟ ଓ କ୍ୟାନସର ଓ୍ଵିଙ୍ଗକୁ ନର୍ସଙ୍କ ଅଭାବ ପାଇଁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି। ଯାହାଫଳରେ ରୋଗୀ ସେବା ଯଥେଷ୍ଟ ପ୍ରଭାବିତ ହୋଇଛି। ନର୍ସମାନେ ଅନିର୍ଦ୍ଦିଷ୍ଟ କାଳ ପାଇଁ ଧାରଣା ଦେଇଥିବାରୁ ଆସନ୍ତା ଦିନଗୁଡ଼ିକରେ ହସ୍ପିଟାଲରେ ଏହାର ପ୍ରଭାବ ଦେଖିବାକୁ ମିଳିବ।ସରକାର ଯଦି ସଂଘର ଦାବି ପୂରଣ ପାଇଁ ପଦକ୍ଷେପ ଗ୍ରହଣ ନ କରନ୍ତି ତେବେ ଜିଲ୍ଲାସ୍ତରରେ ଆନ୍ଦୋଳନ କରାଯିବ ବୋଲି ସେ କହିଛନ୍ତି।
ସୂଚନା ଅନୁଯାୟୀ, କ୍ୟାପିଟାଲ ହସ୍ପିଟାଲରେ ସମୁଦାୟ ୧୬୦ଜଣ ନର୍ସ କାର୍ଯ୍ୟ କରୁଥିବା ବେଳେ ସେଥିରୁ ୮୨ ଜଣ ହେଉଛନ୍ତି ଏନଏଚଏମ ଅଧୀନ ନର୍ସ। ତେବେ ୨ଦିନ ଧରି ନର୍ସମାନେ ଆନ୍ଦୋଳନ ଜାରି ରଖିଥିବାରୁ ହସ୍ପିଟାଲରେ ରୋଗୀସେବାରେ ଏହାର ପ୍ରଭାବ ଦେଖିବାକୁ ମିଳିଛି। ହସ୍ପିଟାଲର ଅସ୍ତ୍ରୋପଚାର ଗୃହ, ଏସଏନସିୟୁ, ଆଇସିୟୁ ଓ କାଜୁଆଲଟିରେ ଅଧିକ ସଂଖ୍ୟକ ଏନଏଚଏମ ଅଧୀନ ନର୍ସମାନେ କାର୍ଯ୍ୟ କରୁଛନ୍ତି। ଆଇସିୟୁରେ କାର୍ଯ୍ୟ କରୁଥିବା ନର୍ସଙ୍କୁ ଏସଏନସିୟୁକୁ ସ୍ଥାନାନ୍ତରିତ କରାଯାଇଥିବା ବେଳେ ଅସ୍ତ୍ରୋପଚାର ଗୃହକୁ ବନ୍ଦ କରି ଦିଆଯାଇଛି।
ଏହାସହ ଥାଲାସେମିଆ ୟୁନିଟ ଓ କ୍ୟାନସର ଓ୍ଵିଙ୍ଗକୁ ମଧ୍ୟ ଅସ୍ଥାୟୀଭାବେ ବନ୍ଦ ରଖାଯାଇଛି। ଏହି ୨ଟି ୟୁନିଟ ଡେ କେୟାର ବ୍ୟବସ୍ଥା ହୋଇଥିବାରୁ ନର୍ସଙ୍କ ଅଭାବ ଯୋଗୁଁ ଏହା ବାଧାପ୍ରାପ୍ତ ହୋଇଛି। ଅପରପକ୍ଷରେ ଅନ୍ୟ ବିଭାଗ ଗୁଡ଼ିକରେ ରୋଗୀଙ୍କୁ ଆଡମିଟ କରିବାକୁ ହସ୍ପିଟାଲ କର୍ତୃପକ୍ଷ କୁନ୍ଥ କୁନ୍ଥ ହେଉଛନ୍ତି। ଗୁରୁତର ଅବସ୍ଥାରେ ଚିକିତ୍ସା ପାଇଁ ଆସୁଥିବା ରୋଗୀଙ୍କୁ କେବଳ ଆଡମିଟ କରାଯାଉଛି। ଏହାସହ ଯେଉଁ ରୋଗୀ ସାମାନ୍ୟ ସୁସ୍ଥ ହେଉଥିବା ଲକ୍ଷ୍ୟ କରାଯାଉଛି ସେମାନଙ୍କୁ ତୁରନ୍ତ ଡିସଚାର୍ଜ କରିବାକୁ କୁହାଯାଉଥିବା ଜଣାପଡ଼ିଛି। ହସ୍ପିଟାଲରେ ତାଲିମ ନେଉଥିବା କିଛି ନର୍ସିଂ ଛାତ୍ରୀ ଓ ଏଏନଏମଙ୍କୁ ସେବାରେ ନିୟୋଜିତ କରାଯାଇଛି।
କ୍ୟାପିଟାଲ ହସ୍ପିଟାଲର ନିର୍ଦେଶକ ଡା.ସି.ଆର ଦାସ କହିଛନ୍ତି, ନର୍ସଙ୍କ ଆନ୍ଦୋଳନ ପାଇଁ ଅସ୍ତ୍ରୋପଚାର ଗୃହକୁ ଅସ୍ଥାୟୀଭାବେ ବନ୍ଦ ରଖାଯାଇଛି। ଏହାସହ ଥାଲାସେମିଆ ୟୁନିଟ ଓ କ୍ୟାନସର ଓ୍ଵିଙ୍ଗ ମଧ୍ୟ ବନ୍ଦ ରହିଛି। ରୋଗୀଙ୍କୁ ପୂର୍ବଭଳି ଆଡିମଟ କରାଯାଉଥିବା ଡା.ଦାସ ସୂଚନା ଦେଇଛନ୍ତି।