ଗଂଜେଇ ବେପାରୀଙ୍କ ଆଡ୍ଡାସ୍ଥଳୀ ରାଜଧାନୀ ଭୁବନେଶ୍ୱର ! ଟେର ପାଉନି ପୋଲିସ ।

70

କନକ ବ୍ୟୁରୋ : ଗଂଜେଇ ବେପାରୀଙ୍କ ଚରାଭୂଇଁ ପାଲଟିଛି ରାଜଧାନୀ । ଖୁଲମଖୋଲା ଚାଲୁଛି ବେପାର । ଚାଷ ହେଉଛି ରାଜ୍ୟର ଉପାନ୍ତ ଅଂଚଳରେ କିନ୍ତୁ ବେପାର ହେଉଛି ଖୋଦ ରାଜଧାନୀରେ ।ପୋଲିସ ବି କିଛି କରିପାରୁନାହିଁ । ପୋଲିସ ଅନେକ ବେପାରୀଙ୍କୁ ଗିରଫ କରୁଛି କିନ୍ତୁ କୌଣସି ପ୍ରଭାବ ପଡୁନାହିଁ । ଅସଲ ମାଫିଆ ରହିଯାଉଛନ୍ତି ଅଣ୍ଡରଗ୍ରାଉଣ୍ଡରେ। ପୁଲିସ କେବଳ ଜାତୀୟ ରାଜପଥରୁ ମାଲ ଜବତ କରୁଛି, ଅସଲ ଗୋଦାମରେ ପହଞ୍ଚି ପାରିନାହିଁ। ମାଫିଆମାନଙ୍କ ଗୋଦାମ ସୁରକ୍ଷିତ ରହୁଛି। ତେଣୁ ପୁଲିସର ଧରପଗଡ଼ କେବଳ ଲୋକଦେଖାଣିଆ ବୋଲି ଅଭିଯୋଗ ହୋଇଆସୁଛି।

ଗଞ୍ଜେଇ ବେପାରର ହବ ପାଲଟିଛି ରାଜଧାନୀ। ନାର୍କୋଟିକସ ବିଭାଗ ଓ ଅବକାରୀ ବିଭାଗଠାରୁ ଆରମ୍ଭ କରି ଥାନା ପୁଲିସ, କ୍ୟୁଏଟି, ସ୍ପେସାଲ୍ ସ୍କ୍ଵାଡପୁଲିସ ମିଳିତଭାବେ ଜଗି ଜଗି ଗୁଡ଼ାଏ ବେପାରୀଙ୍କୁ ବାନ୍ଧୁଛନ୍ତି। ମାତ୍ର ବେପାର ଥମିବା ନାଁ ଧରୁନାହିଁ। ପୁଲିସର ଗିରଫଦାରୀ ସହ ତାଳ ଦେଇ ମାଫିଆମାନେ ସେମାନଙ୍କ ବେପାର ଜାରି ରାଖିଛନ୍ତି। ଚୋରା ଚାଲାଣ ପ୍ରତିଦିନ ହେଉଛି। ବସରେ ଯେତିକି କାରରେ ସେତିକି। ପୁଲିସର ଗିରଫଦାରୀ ରାଜଧାନୀର ଚୋରା ଗଞ୍ଜେଇ ବେପାରରେ ରୋକ ଲଗାଇବା ସମ୍ଭବ ହୋଇନାହିଁ। କାରଣ ଯେଉଁମାନେ ଧରାପଡ଼ୁଛନ୍ତି, ସେମାନେ ଚାଲାଣକାରୀ।

ଗତ ୮ ମାସର ହିସାବକୁ ଦେଖିଲେ ରାଜଧାନୀରେ ହେଉଥିବା ଗଞ୍ଜେଇ ବେପାରର ଚିତ୍ର ଜଳଜଳ ହୋଇ ଦିଶିଯିବ। ରାଜଧାନୀ ଯେ ଗଞ୍ଜେଇ ବେପାରର ହବ ବୋଲି ସ୍ପଷ୍ଟ ପ୍ରମାଣ ମିଳିଯିବ। ଗତ ମେ ମାସରେ କମିସନରେଟ ପୁଲିସ ୪ଟି ମାମଲାରେ ଏକ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ ଜବତ କରିଥିବାବେଳେ ୫ଜଣଙ୍କୁ ଗିରଫ କରିଥିଲା ଓ ଗୋଟିଏ ଅଟୋ ଏବଂ ଦୁଇଟି ବାଇକ ଜବତ କରିଥିଲା। ଜଟଣୀ ଥାନା ପୁଲିସ ତଳଖେତା ଛକରୁ ଅଟୋରେ ୨୫ କିଲୋ ଗଞ୍ଜେଇ ଭର୍ତି ହୋଇଥିବା ଅବସ୍ଥାରେ ଧରିଥିଲା।

ସେହିଭଳି ଖଣ୍ଡଗିରି ଥାନା ପୁଲିସ ଓ କ୍ୟୁଏଟିର ମିଳିତ ଅପରେସନରେ ପାତ୍ରପଡ଼ା ଏବଂ ଜୟଦେବବାଟିକା ଅଞ୍ଚଳରୁ ୨ ଜଣଙ୍କୁ ପୃଥକ ପୃଥକଭାବେ ଗିରଫ କରାଯାଇ ପ୍ରାୟ ୬୦ କେଜିରୁ ଅଧିକ ଗଞ୍ଜେଇ ଜବତ କରାଯାଇଥିଲା। ତେବେ ସେହି ମାସରେ ଧରାପଡ଼ିଥିଲା ଏକ ଧଳା ହସ୍ତୀ। ଏକ ଏନଜିଓର ପରିଚାଳନା ନିର୍ଦେଶକ ତାଙ୍କ ପ୍ରେସଲେଖା ବୋଲେରୋରେ ୨୦ କେଜି ଗଞ୍ଜେଇ ଚାଲାଣ କରୁଥିବାବେଳେ ଖଣ୍ଡଗିରି ଥାନା ପୁଲିସ ହାତରେ ଧରାପଡ଼ିଥିଲେ। ସେହିଭଳି ଜୁନ୍ ମାସରେ ୩ଟି ବଡ଼ ବଡ଼ ଚୋରା ଚାଲାଣ ଧରାପଡ଼ିଥିଲା। ପ୍ରାୟ ଦେଢ଼ କ୍ୱିଣ୍ଟାଲ ମାଲ ସହ ୨ଟି କାର ଜବତ ହୋଇଥିଲା ଓ ୪ ଜଣ ଗିରଫ ହୋଇଥିଲେ।

ତମାଣ୍ଡୋ ଥାନ ପୁଲିସ ଏକ କାରରୁ ୮୦ କେଜି ଗଞ୍ଜେଇ ଜବତ କରିବା ସହ ଜଣଙ୍କୁ ଗିରଫ କରିଥିଲା। ଅଗଷ୍ଟ ମାସରେ ମାତ୍ର ପୁଲିସ ଗୋଟିଏ କେସ୍ ଧରିବାରେ ସଫଳ ହୋଇଥିଲା। ଖଣ୍ଡଗିରି ଥାନା ପୁଲିସ ଓ କ୍ୟୁଏଟିର ମିଳିତ ଅପରେସନରେ ଗଣ୍ଡମୁଣ୍ଡା ଛକରୁ ୨ଟି କାରରେ ଭର୍ତି ହୋଇଥିବା ଅଧ କ୍ୱିଣ୍ଟାଲ ମାଲ ଜବତ କରାଯାଇଥିଲା। ଏଥିରେ ୩ଜଣ କୁଖ୍ୟାତ ଗଞ୍ଜେଇ ବେପାରୀଙ୍କୁ ଜେଲ ପଠାଯାଇଥିଲା।

ସେପ୍ଟେମ୍ବର ମାସରେ ପୁଣି ପୁଲିସକୁ ମିଳିଥିଲା ୪ଟି ସଫଳତା। ନାର୍କୋଟିକସ ବିଭାଗ ବରମୁଣ୍ଡା ବସଷ୍ଟାଣ୍ଡରୁ ୩ଜଣଙ୍କୁ ଗିରଫ କରି ସେମାନଙ୍କଠାରୁ ୨୫ କେଜି ମାଲ ଜବତ କରିଥିଲା। ଖଣ୍ଡଗିରି ଥାନା ପୁଲିସ ମଧ୍ୟ ୩ଟି ମାମଲାରେ ୩ଜଣଙ୍କୁ ଗିରଫ କରିବା ସହ ପ୍ରାୟ ୭୫ କେଜି ମାଲଜବତ କରିଥିଲା। ଅକ୍ଟୋବର ମାସରେ ପୁଲିସ ହାତ ଖାଲି ରହିଥିଲା। ସେହିଭଳି ନଭେମ୍ବର ମାସରେ ତମାଣ୍ଡୋ ଥାନା ପୁଲିସ ହାତରେ ଲାଗିଥିଲା ଏକ ଭଲ ମାମଲା। ଜଣେ ଯୁବ ଇଂଜିନିୟର ତାଙ୍କ ନିଜ କାରରେ ଏକ କ୍ୱିଣ୍ଟାଲ ମାଲ ଧରି ଭୁବନେଶ୍ୱର ଆସୁଥିବାବେଳେ କଳିଙ୍ଗନଗରରେ ପୁଲିସ ହାତରେ ଧରାପଡ଼ିଥିଲେ। ଚଳିତ ଡିସେମ୍ବର ୧୨ ତାରିଖରେ ଅବକାରୀ ବିଭାଗ ଶୈଳଶ୍ରୀ ବିହାର ହରେକୃଷ୍ଣନଗର ବସ୍ତିରୁ ଜଣଙ୍କୁ ଗିରଫ କରିବା ସହ ତା’ଠାରୁ ୩୦ କେଜି ମାଲ ଜବତ କରିଥିଲା।

ଏହି ହିସାବରୁ ସହଜରେ ଅନୁମେୟ ରାଜଧାନୀକୁ ବିପୁଳ ପରିମାଣ ମାଲ ଆସୁଛି। ତେବେ ପୁଲିସ ନଜରରୁ ଖସି ଯାଉଥିବା ମାମଲା ହେଉଛି ୯୦ ଶତକଡ଼ା। ୧୬ ନମ୍ବର ଜାତୀୟ ରାଜପଥରେ ଫୁଲବାଣୀରୁ ରାଜଧାନୀକୁ ଏମିତି ବହୁ ଗାଡ଼ି ରାତିରେ ଆସୁଛି। ସେସବୁର ହିସାବ ପୁଲିସ ପାଖରେ ନାହିଁ। ବଡ଼ କଥା ହେଉଛି, ଗିରଫ ହେଉଥିବା ବ୍ୟକ୍ତିମାନେ କେବଳ ଚାଲାଣ କରନ୍ତି। ମାଲ୍ ପଠାଉଥିବା ଓ ବିକୁଥିବା ରାକେଟ କେବେ ଧରାପଡ଼ିନାହାନ୍ତି। ସେମାନେ ସବୁବେଳେ ଅଣ୍ଡରଗ୍ରାଉଣ୍ଡରେ ରହିବାରେ ସକ୍ଷମ ହୋଇଛନ୍ତି। ବଡ଼ ବଡ଼ ଅଧିକାରୀ ଓ ରାଜନୈତିକ ପୃଷ୍ଠପୋଷକତାରେ ଏଭଳି ମାଫିଆମାନେ ନିଜକୁ ସୁରକ୍ଷିତ ରଖିପାରୁଛନ୍ତି ବୋଲି ଅଭିଯୋଗ ହୁଏ। ପୁଲିସ ସେମାନଙ୍କ ପାଖ ମାଡ଼ିବା ସମ୍ଭବ ହୁଏ ନାହିଁ।

ଜଣେ ବରିଷ୍ଠ ଅବକାରୀ ଅଧିକାରୀଙ୍କ ସୂଚନାନୁସାରେ ରାଜଧାନୀରେ ଦୈନିକ ୩୦ କେଜିରୁ ଅଧିକ ଗଞ୍ଜେଇ ଧୂଆଁକୁ ଲୋକେ ଗିଳି ପକାଉଛନ୍ତି। ବସ୍ତିରେ ଯେତିକି, ବସ୍ତି ବାହାରେ ବି ସେତିକି। ରାଜଧାନୀର ବହୁ ପ୍ରମୁଖ ଅଞ୍ଚଳର ପାନ ଦୋକାନରେ ଏମିତିକି ଭେରାଇଟ ଷ୍ଟୋରମାନଙ୍କରେ ବି ଗଞ୍ଜେଇ ସିଗାରେଟ ବିକ୍ରି ହେଉଛି। ପ୍ରାୟ ରାଜଧାନୀର ସବୁ ହାଟମାନଙ୍କରେ ଏହି ବେପାର ଖୁବଜମୁଛି। ଇଂଜିନିୟରିଂ ଛାତ୍ରଙ୍କଠାରୁ ଆରମ୍ଭ କରି ବହୁ ଉଚ୍ଚ ଶିକ୍ଷିତ ଯୁବକ ଏଭଳି ସିଗାରେଟ ନିଶାରେ ପଡ଼ୁଛନ୍ତି।