ରାଜ୍ୟରେ ଭୟାବହ ହେଉଛି କ୍ୟାନସର: ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ, ଦିନରେ ମରୁଛନ୍ତି ୩୦ଜଣ

161

କନକ ବ୍ୟୁରୋ: କ୍ୟାନସର କେତେ ମାରାତ୍ମକ ହୋଇପାରେ ଆଉ ଏହାର ଭୟାବହତା କେତେ ଯାହା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ରିପୋର୍ଟ କହୁଛି । ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ଦେଇଥିବା ଉତର ଅନୁସାରେ, ଗତ ୩ ବର୍ଷରେ ୯୨ ହଜାର ୬୯୯ କ୍ୟାନସର ରୋଗୀ ଚିହ୍ନଟ ହୋଇଛନ୍ତି । ଆଉ ଏହି ୩ ବର୍ଷ ମଧ୍ୟରେ ୩୧ ହଜାର ୬୯୨ ଜଣ କ୍ୟାନସର ରୋଗୀଙ୍କ ମୃତ୍ୟୁ ହୋଇଛି । ୨୦୨୧-୨୨ରେ ୩୩ ହଜାର ୭୫୭ ଜଣ କ୍ୟାନସର ରୋଗୀ ଚିହ୍ନଟ ହୋଇଥିବା ବେଳେ ୧୧ ହଜାର ୨୭୭ ଜଣ ପ୍ରାଣ ହରାଇଛନ୍ତି । ୨୦୨୧-୨୨ ମସିହାର ତଥ୍ୟ କହୁଛି, ୩୩ ହଜାର ୭୫୭ ରୋଗୀ ଚିହ୍ନଟ ହୋଇଥିବାବେଳେ ଏହି ବର୍ଷରେ ୧୧ ହଜାର ୨୭୭ ଜଣଙ୍କ ଜୀବନ ଯାଇଛି । ଯାହା କ୍ୟାନସରର ଭୟାବହତାକୁ ଦର୍ଶାଉଛି ।

ସତେନତାନାର ଅଭାବ, ଅତ୍ୟଧିକ ନିଶାସେବନ , ଜୀବନଶୈଳୀ ମୁଖ୍ୟତଃ କ୍ୟାନସରର କାରଣ ବୋଲି କହିଛନ୍ତି ବିଶେଷଜ୍ଞ ।
ରାଜ୍ୟରେ ଏତେ ସଂଖ୍ୟାରେ କ୍ୟାନସର ରୋଗୀ ବଢୁଥିବା ବେଳେ ଚିକିତ୍ସା ଭିତିଭୂମି ନାହିଁ । କିଛି ହାତଗଣତି ସରକାରୀ ଓ ଘରୋଇ ହସପିଟାଲରେ ଚିକିତ୍ସା ଉପଲବ୍ଧ ଦେଉଛି । ଆଉ କିଛି କ୍ୟାନସର ରୋଗୀ ରାଜ୍ୟ ବାହାରେ ଚିକିତ୍ସିତ ହେଉଛନ୍ତି । ଯଦି ରାଜ୍ୟରେ ଉନ୍ନତ ଓ ଅତ୍ୟାଧୁନିକ ଚିକିତ୍ସା ମିଳନ୍ତା ତାହାହେଲେ ଅନେକ ଜୀବନ ବଂଚିଯାଇପାରନ୍ତା । ଏସବୁ ଭିତରେ ୨୦୧୮ ମେ ୬ ତାରିଖରେ କ୍ୟାନସର ହସପିଟାଲ୍ ପାଇଁ ଟାଟା ସହ ଚୁକ୍ତି କରିଥିଲେ ରାଜ୍ୟ ସରକାର । କିନ୍ତ ପ୍ରକଳ୍ପରୁ ଓହରି ଯାଇଥିଲା ଟାଟା । ଯାହା ସମସ୍ତଙ୍କୁ ନିରାଶ କରିଥିଲା । ଏବେ ପୁଣିଥରେ ଟାଟା କେନ୍ଦ୍ର ସରକାରଙ୍କ ସହଯୋଗରେ ତିଆରି କରିବ କ୍ୟାନ୍ସର୍ ହସ୍ପିଟାଲ୍ । ତେବେ ଏହାର କାମ କେବେ ସରିବ ତାହା ବଡ ପ୍ରଶ୍ନ ।

ରାଜ୍ୟରେ ଯେଉଁ ମାତ୍ରାରେ କ୍ୟାନସର ରୋଗୀ ବଢୁଛନ୍ତି, ସେ ଅନୁପାତରେ ଚିକିତ୍ସା ସେବା ମିଳିବା ଜରୁରୀ ହୋଇପଡିଛି । ସେପଟେ ୨୦୨୪ ସୁଦ୍ଧା ରାଜ୍ୟରେ କ୍ୟାନସର ହସପିଟାଲ ପ୍ରତିଷ୍ଠା ହେବ ବୋଲି କେନ୍ଦ୍ର ସରକାର ଆଶା ଦେଖାଇଛନ୍ତି ।