୫୦ କୋଟି ଟଙ୍କା କାହାର ? ଅର୍ପିତା କହିଲେ ତାଙ୍କ ଅଜାଣତରେ ଟଙ୍କା ରଖାଯାଇଛି।

126

କନକ ବ୍ୟୁରୋ: ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଇଡି ଜବତ କରିଥିବା ନଗଦ ୫୦ କୋଟି ଟଙ୍କା କାହାର ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଏ ଟଙ୍କା ପାର୍ଥ ଚାଟାର୍ଜୀଙ୍କର ନାଁ ଆଉ କାହାର ତାକୁ ନେଇ ଇଡି ଖୋଳତାଡ ଜାରି ରଖିଛି । ଏହାରି ଭିତରେ ଅନ୍ୟତମ ଗିରଫ ଅଭିଯୁକ୍ତ ଅର୍ପିତା ମୁଖାର୍ଜୀ କହିଛନ୍ତି ତାଙ୍କ ଘରୁ ଇଡି ଯେଉଁ ଟଙ୍କା ଜବତ କରିଛନ୍ତି ସେ ବାବଦରେ ତାଙ୍କୁ କିଛି ଜଣାନଥିଲା । ତାହା ତାଙ୍କ ଅଜାଣତରେ ରହିଛି ବୋଲି ସଫେଇ ଦେଇଛନ୍ତି ଅର୍ପିତା । ନିକଟରେ ପାର୍ଥ ଚାଟାର୍ଜୀ ମଧ୍ୟ ସମାନ ବୟାନ ଦେଇ କହିଥିଲେ ଜବତ ହୋଇଥିବା ଟଙ୍କା ସହ ତାଙ୍କର କୌଣସି ସମ୍ପର୍କ ନାହିଁ ।

ଏହି ଦୁର୍ନୀତି ସାମ୍ନାକୁ ଆସିବା ପରେ ଏବେ ପଶ୍ଚିମବଙ୍ଗର ଶାସକ ଦଳ ଟିଏମସି ବଡ ଅଡୁଆରେ ପଡିଛି । ଏତେ ଟଙ୍କାର ଦୁର୍ନୀତିରେ କେବଳ କଣ ଜଣେ ମନ୍ତ୍ରୀ ଥିଲେ । ନା ପାର୍ଥ ଧରାପଡିବା ପରେ ଅନ୍ୟପ୍ରମାଣକୁ ଲୁଚାଇବାକୁ ହେଉଛି ଜୋରଦାର ପ୍ରୟାସ । ଇଡି କହୁଛି ତଦନ୍ତରେ ସହଯୋଗ ମିଳୁନି । ଅର୍ଥାତ କରପସନର କିଙ୍ଗ୍ ପିନ ମୁହଁ ଖୋଲୁନାହାନ୍ତି । ଅନ୍ୟପଟେ ଆଜି ସଂସଦ ଭବନରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀ ଭେଟିଛନ୍ତି । କିଛି ସମୟ ଉଭୟ ଆଲୋଚନା କରିଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଅନେକ ଚର୍ଚ୍ଚା ହେଉଛି ।

ଜୁଲାଇ ୨୩ ତାରିଖ ଗିରଫ ହୋଇଥିବା ଉଭୟ ପାର୍ଥ ଚାଟାର୍ଜୀ ଏବଂ ଅର୍ପିତା ମୁଖାର୍ଜୀଙ୍କ ୧୦ ଦିନିଆ ରିମାଣ୍ଡ ବୁଧବାର ଶେଷ ହେଉଛି । ତେଣୁ ଉଭୟଙ୍କୁ ବୁଧବାର ପିଏମଏଲଏ କୋର୍ଟରେ ହାଜର କରିବ ଇଡି । ଏହା ପୂର୍ବରୁ ଆଜି ତାଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଛି ଇଡି ।