ଅଧ୍ୟାପକଙ୍କ ବିରୋଧରେ ସାଂଘାତିକ ଅଭିଯୋଗ: ଶ୍ରୀ ଜୟଦେବ କଲେଜରେ ଯୌନ ନିର୍ଯାତନା!

206

କନକ ବ୍ୟୁରୋ: ଜୟଦେବ କଲେଜ ଅଧ୍ୟାପକ ପ୍ରମୋଦ ରଞ୍ଜନ ଦାସଙ୍କ ବିରୋଧରେ ଆସିଛି ଯୌନ ନିର୍ଯାତନା ଅଭିଯୋଗ । ତେଣୁ ଯଥାଶୀଘ୍ର ଘଟଣାର ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ କଲେଜ କର୍ତୁପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । କର୍ମକ୍ଷେତ୍ରରେ ମହିଳାଙ୍କୁ ଯୌନ ନିର୍ଯ୍ୟାତନା ଆଇନ ୨୦୧୩ ଅନୁଯାୟୀ ଅଧିକ ତଦନ୍ତ କରିବା ଆବଶ୍ୟକତା ଥିବା ଅନୁଭବ କରିଛି ଉଚ୍ଚଶିକ୍ଷା ବିଭାଗ ।

ମାସ ମାସ ଧରି ଛାତ୍ରୀଙ୍କୁ ଦିଆଯାଉଥିଲା ଶାରୀରିକ ଓ ମାନସିକ ନିର୍ଯାତନା । ଗୁରୁ-ଶିଷ୍ୟ ସଂପର୍କକୁ କଳଙ୍କିତ କରୁଥିବା ଏହି ଘଟଣା ଘଟିଛି ରାଜଧାନୀ ଛାତି ଉପରେ । ଭୁବନେଶ୍ୱର ଶ୍ରୀଜୟଦେବ କଲେଜର ଇକୋନୋମିକ୍ସ ବିଭାଗର ଛାତ୍ରୀଙ୍କୁ କଲେଜର ଫିଜିକ୍ସ ବିଭାଗର ଅଧ୍ୟାପକ ଦୀର୍ଘଦିନ ଧରି ଯୌନ ଶୋଷଣ କରୁଥିଲେ । ଏନସିସି ଦାୟିତ୍ୱରେ ଥିବା ଫିଜିକ୍ସ ଅଧ୍ୟାପକ ପ୍ରମୋଦ ରଞ୍ଜନ ଦାସ, ଛାତ୍ରୀଙ୍କୁ ଯୌନ ଶୋଷଣ କରିଚାଲିଥିଲେ । ଅତିଷ୍ଠ ହୋଇ ଛାତ୍ରୀଜଣକ କଲେଜ କର୍ତୁପକ୍ଷଙ୍କୁ ଅଭିଯୋଗ କରିଥଲେ ।

ଛାତ୍ରୀଙ୍କ ଅଭିଯୋଗ ପରେ ଏକ ଅନ୍ତରୀଣ କମିଟି ଗଠନ କରି ଅଭିଯୋଗକାରୀ ଛାତ୍ରୀ ଏବଂ ଅଭିଯୁକ୍ତ ଅଧ୍ୟାପକଙ୍କୁ ଡାକି ପଚରା ଉଚରା କରଥିଲେ କଲେଜ କର୍ତୁପକ୍ଷ । ଏନେଇ ଏକ ରିପୋର୍ଟ, କମିଟିର ମୁଖ୍ୟ ଥିବା ଉପଜିଲ୍ଲାପାଳଙ୍କୁ ଦେଇଥିଲା କଲେଜ । ଘଟଣାର ଗୁରୁତ୍ୱକୁ ଦେଖି ଉଚ୍ଚଶିକ୍ଷା ବିଭାଗ ପ୍ରମୁଖ ସଚିବ ଅଭିଯୁକ୍ତ ଅଧ୍ୟାପକଙ୍କୁ ବଦଳି କରିଦେଇଥିଲେ । ତେବେ ଏହାରି ଭିତରେ ଅଭିଯୋଗକାରୀ ଅବା କଲେଜ କର୍ତୁପକ୍ଷ ଏପର୍ଯ୍ୟନ୍ତ ଥାନାରେ ଲିଖିତ ଅଭିଯୋଗ କରିନାହାନ୍ତି । ଆଉ ପ୍ରଶ୍ନ ଉଠୁଛି-

– ଘଟଣାକୁ ଚାପି ଦେବାକୁ ବସିଥିଲେ କି କଲେଜ କର୍ତ୍ତୁପକ୍ଷ?
– ଛାତ୍ରୀ କିମ୍ବା ତାଙ୍କ ସଂପର୍କୀୟଙ୍କ ଉପରେ କିଛି ଚାପ ରହିଛି କି?
– ଅଭିଯୋଗ ନେଇ ଥାନାରେ କାହିଁକି ଏଫଆଇଆର ହୋଇନାହିଁ?
– ଉଚ୍ଚଶିକ୍ଷା ବିଭାଗ ପୁନଃ ତଦନ୍ତ ନିର୍ଦ୍ଦେଶ ଦେଲା କାହିଁକି?