କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ଶର୍ମିଷ୍ଠା ରାଉତଙ୍କ ସମେତ ୮ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ

185

କନକ ବ୍ୟୁରୋ : କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲା । ୱେବପୋର୍ଟାଲ ମାଲିକାନୀ ଶର୍ମିଷ୍ଠା ରାଉତଙ୍କ ସମେତ ୮ଜଣଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ କଲା କ୍ରାଇମବ୍ରାଞ୍ଚ । ଏବେ ବି ରହସ୍ୟଜନକ ହୋଇଛି ହତ୍ୟାକାଣ୍ଡର କାରଣ ।

ମାନସଙ୍କୁ ପିଟିପିଟି ହତ୍ୟା କରିଥିବା ଅଭିଯୋଗରେ କ୍ରାଇମବ୍ରାଞ୍ଚ ଘଟଣାର ମାଷ୍ଟରମାଇଣ୍ଡ ସମ୍ପୂର୍ଣ୍ଣା ୱେବ୍‌ ପୋର୍ଟାଲର ମାଲିକାଣୀ ଶର୍ମିଷ୍ଠା ରାଉତ, ଖାସ୍ ବନ୍ଧୁ ତଥା ସହଯୋଗୀ ସୂଚନା ଓ ଲୋକ ସମ୍ପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀ, କେୟାର ଟେକର୍ ଝୁନା ଭୋଇ, ସହଯୋଗୀ ରାଜ ଓରଫ ରଞ୍ଜନ କୁମାର ନାୟକ, ଭାଗ୍ୟବାନ ଓରଫ ଭାଗ୍ୟଧର ନାୟକ, ଶର୍ମିଷ୍ଠାର ଭାଇ ପରମେଶ୍ବର ରାଉତ, କୃଷ୍ଣଚନ୍ଦ୍ର ନାୟକ ଏବଂ ଜଣେ ନାବାଳକଙ୍କ ବିରୋଧରେ ଚାର୍ଜସିଟ୍ ଦାଖଲ ହୋଇଛି ।

ସୂଚନା ଅନୁଯାୟୀ, ଭୁବନେଶ୍ବରରେ ସମ୍ପୂର୍ଣ୍ଣା ୱେବ୍‌ ପୋର୍ଟାଲରେ କାମ କରୁଥିବା ନୟାଗଡ଼ ରଣପୁରର କ୍ୟାମେରାମ୍ୟାନ୍ ମାନସ ଅଶ୍ଳୀଳ ସିନେମା ସୁଟିଂ ବାବଦରେ ୧୦ ହଜାର ଟଙ୍କା ନ ପାଇବାରୁ ବିବାଦ ଆରମ୍ଭ ହୋଇ ଏଭଳି ହତ୍ୟାକାଣ୍ଡ ଘଟିଥିଲା । ମାନସ ଅଶ୍ଳୀଳ ଭିଡିଓ ନିଜ ପାଖରେ ରଖିବାରୁ ସେହି ରାଗରେ ଫେବ୍ରୁଆରି ୭ରେ ଶର୍ମିଷ୍ଠା ସମେତ ରଞ୍ଜନ, ଭାଗ୍ୟଧର, ଝୁନା, ବିବେକ ଏବଂ ଅନ୍ୟ ଜଣେ ନାବାଳକ ଚାନ୍ଦବାଲିରୁ ତାଙ୍କୁ ଅପହରଣ କରି ଭୁବନେଶ୍ବର ଦୟାଲ ଆଶ୍ରମରେ ହତ୍ୟା କରିଥିଲେ । ଚାନ୍ଦବାଲି ଥାନାରେ ମାନସଙ୍କ ବାପା ପଞ୍ଚାନନ ଏସଂପର୍କରେ ଏତଲା ଦେଇଥିଲେ । କିନ୍ତୁ ୪୦ ଦିନ ପରେ କ୍ରାଇମବ୍ରାଞ୍ଚ ଡିଏସପି କଳ୍ପନା ସାହୁଙ୍କ ନେତୃତ୍ବରେ ଭୁବନେଶ୍ବର, ନୟାଗଡ଼, ଯାଜପୁର ଓ ଭଦ୍ରକ ଭଳି ଚାରିଟି ଜିଲ୍ଲାରେ ତଦନ୍ତ କରିଥିଲା ।

କ୍ରାଇମବ୍ରାଞ୍ଚ ଏହି ମାମଲାରେ ମୋଟ ୮ ଜଣଙ୍କୁ ଗିରଫ କରିଥିବା ବେଳେ ଚାନ୍ଦବାଲି ଜେଏମଏଫସିଙ୍କ କୋର୍ଟରେ ଚାର୍ଜସିଟ୍ ଦାଖଲ କରିଛି । ଏହି ଚାର୍ଜସିଟରେ କ୍ରାଇମବ୍ରାଞ୍ଚ ପ୍ରମାଣ ସ୍ବରୂପ ୱେବ୍‌ ପୋର୍ଟାଲର କେୟାର ଟେକର୍ ଝୁନା ଭୋଇ ଘରୁ ମିଳିଥିବା ମାନସଙ୍କ ଏକ କ୍ୟାମେରା ଜବତ କରିଥିବା ଦର୍ଶାଇଛି । ମାନସଙ୍କୁ ସୁନ୍ଦରପଦାର ଦୟାଲ ଆଶ୍ରମରେ ରଖି ମାଡ଼ ମରାଯାଇଥିବାରୁ ସେଠାକାର ଅନ୍ତେବାସୀଙ୍କୁ ସାକ୍ଷୀ ଭାବେ ବୟାନ ରେକର୍ଡ କରାଯାଇଥିବା ଦର୍ଶାଯାଇଛି । ଭଦ୍ରକ ଉପକାରାଗାରରେ ଶର୍ମିଷ୍ଠା, ଝୁନା, ରଞ୍ଜନ, ଭାଗ୍ୟଧର, ବିବେକଙ୍କ ଟିଆଇ ପରେଡରେ ଭୁବନେଶ୍ବରର କିଛି ସାକ୍ଷୀ ମାଜିଷ୍ଟ୍ରେଟଙ୍କ ସାମନାରେ ଚିହ୍ନଟ କରିଥିବା ଦର୍ଶାଇଛି କ୍ରାଇମବ୍ରାଞ୍ଚ।