ନିଖୋଜ ସିଆରପିଏଫ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ଆତ୍ମହତ୍ୟା ନା ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ଅଛି, ତଦନ୍ତ କରୁଛି ପୋଲିସ

128

କନକ ବ୍ୟୁରୋ : ନିଖୋଜ ସିଆରପିଏଫ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତକ ହେଉଛନ୍ତି ଜଗତସିଂହପୁର ଜିଲ୍ଲା ଏରସମା ଥାନା ଅନ୍ତର୍ଗତ ସୋମପୁର ଗାଁର ସୂର୍ଯ୍ୟକାନ୍ତ କୁଆଁର । ଯାଜପୁର ଜିଲ୍ଲା ବଡଚଣା ଅଞ୍ଚଳର ଧାନମଣ୍ଡଳ ପାଖ ପାହାଡରୁ ଯବାନ ସୂର୍ଯ୍ୟକାନ୍ତଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ ।

ସୂଚନା ଅନୁସାରେ ଗତ ୧୭ ତାରିଖରୁ ସେ ନିଖୋଜ ହୋଇଯାଇଥିଲେ । ଏନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଖୋଜାଖୋଜି ଆରମ୍ଭ କରିଥିଲା । ଦୁଇ ଦିନ ପରେ ଯାଜପୁର ବଡଚଣା ନିକ ଧାନମଣ୍ଡ ଗାଁ ପାଖ ପାହାଡ ସିଆରପିଏଫ ଯବାନ ସୂର୍ଯ୍ୟକାନ୍ତ କୁଆଁରଙ୍କ ବାଇକ ମିଳିଥିଲା । ଏହାପରେ ଡ୍ରୋନ କ୍ୟାମେରା ସାହାଯ୍ୟରେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିବା ସତ୍ୱେ ଯବାନଙ୍କ କୌଣସି ପତ୍ତା ମିଳିନଥିଲା ।

ଗୁରୁବାର ଯାଜପୁର ଏସପିଙ୍କ ନିର୍ଦ୍ଦେଶରେ ପୁଲିସର ୩ଟି ଟିମ୍, ବନ ବିଭାଗ କର୍ମଚାରୀ ପାହାଡ ଉପରକୁ ଚଢି ଖୋଜାଖୋଜି କରିବା ପରେ ଜଙ୍ଗଲରୁ ଯବାନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ତେବେ କେଉଁ କାରଣରୁ ଯବାନ ଜଣକ ଜଙ୍ଗଲକୁ ଆସି ଆତ୍ମହତ୍ୟା କଲେ ନା ମୃତ୍ୟୁ ପଛରେ ଅନ୍ୟ କିଛି କାରଣ ଅଛି, ତାକୁ ନେଇ ପୋଲିସ ଘଟଣାର ଅଧିକ ତଦନ୍ତ ଚଲାଇଛି ।

ବର୍ଷକ ତଳେ ତାଙ୍କର ବିବାହ​ ହୋଇଥିଲା । ବିବାହ ପରେ ଦମ୍ପତି ଜଗତସିଂହପୁର ସହରରେ ଭଡ଼ାଘରେ ରହୁଥିଲେ। ନିକଟରେ ସେ ୨୦ ଦିନ ପାଇଁ ଛୁଟିରେ ଆସିଥିଲେ । ତାଙ୍କ ବୁଢ଼ୀମାଆଙ୍କର ଦେହାନ୍ତ ହେବାରୁ ସେ ଏକୁଟିଆ ଗାଁକୁ ଯାଇଥିଲେ । ପରେ ସେଠାରୁ ଜଗତସିଂହପୁରକୁ ଫେରୁଥିଲେ । ଗତ ୧୬ ତାରିଖରୁ ସେ ହଠାତ ନିଖୋଜ ହୋଇଯାଇଥିଲେ । ପତ୍ନୀଙ୍କ କହିବା ଅନୁଯାୟୀ ସେଦିନ ସେ ମୋବାଇଲରେ କଥା ହୋଇଥିଲେ । ମୁଁ ଖୁବ୍‌ଶୀଘ୍ର ପହଞ୍ଚୁଛି ବୋଲି କହିଥିଲେ ସୂର୍ଯ୍ୟକାନ୍ତ । ହେଲେ ସେ ଆଉ ଫେରି ନଥିଲେ। ପରେ ମୋବାଇଲ ଫୋନ୍‌ ବନ୍ଦ ହୋଇଯାଇଥିଲା ।