ବିଜ୍ଞାପନକୁ ନେଇ ବିଏମସିର ଅଜବ ନୀତି । ନେତାଙ୍କୁ ଅନୁରୋଧ, ଜନତାଙ୍କୁ ଫାଇନ୍!

136

କନକ ବ୍ୟୁରୋ : ଟୁ-ଲେଟ୍ ବା ଘରଭଡ଼ା ପାଇଁ ଭୁବନେଶ୍ୱରର ବିଦ୍ୟୁତ ଖୁଂଟ ଓ କାନ୍ଥରେ ଏ-୪ ସାଇଜ୍ କାଗଜରେ ବିଜ୍ଞାପନ ଲଗାଇବାରୁ ମୋଟା ଅଂକର ଜରିମାନା କଷିଥିଲା ବିଏମସି । ତିନୋଟି ଏପରି ବିଜ୍ଞାପନ ପାଇଁ ଦେଢ଼ ଲକ୍ଷ ଟଙ୍କାର ଫାଇନ୍ ଆଦାୟ କରିବା ସହ ସଂପୃକ୍ତ ସଂସ୍ଥା ବିରୋଧରେ ଏତଲା ଦିଆଯାଇଥିଲା । ବିଏମସି କମିସନର ତାଗିଦ କରି କହିଥିଲେ, ସହରର ସୌନ୍ଦର୍ଯ୍ୟ ନଷ୍ଟ କରୁଥିବା ବ୍ୟକ୍ତି ଓ ସଂସ୍ଥା ବିରୋଧରେ ଦୃଢ଼ କାଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ସାଧାରଣ ଲୋକଙ୍କ ଉପରେ ବିଏମସି ଫାଇନ କଷୁଥିବା ବେଳେ ରାଜଧାନୀର କାନ୍ଥରେ ଭର୍ତି ହୋଇ ରହିଛି ଉଭୟ ଶାସକ ଓ ବିରୋଧୀ ଦଳ ନେତାଙ୍କ ପ୍ରଚାର ପୋଷ୍ଟର । ଏବେ ପ୍ରଶ୍ନ ଉଠୁଛି, ଜନତାଙ୍କ ଉପରେ ଦାଉ ସାଧୁଥିବା ବେଳେ ରାଜନୈତିକ ଦଳ ଓ ନେତାଙ୍କ ଉପରେ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବିଏମସି । ତେବେ ଭୁବନେଶ୍ୱର ମେୟର କହିଛନ୍ତି, କାର୍ଯ୍ୟକ୍ରମ ସରିବା ପରେ ରାଜନୈତିକ ଦଳ ସେମାନଙ୍କ ପୋଷ୍ଟର ଓ ବ୍ୟାନର ହଟାଇ ଦିଅନ୍ତୁ । ଏପରି କରିବାକୁ ସେମାନଙ୍କୁ ଅନୁରୋଧ କରାଯିବ ବୋଲି କହିଛନ୍ତି ମେୟର ।

ଭୁବନେଶ୍ୱର କାନ୍ଥ-ବାଡ଼ରେ ପୋଷ୍ଟର ଓ ପ୍ରଚାର ପତ୍ର ଲଗାଇବା ନେଇ ବିଏମ୍ସିର ଅଙ୍କୁଶ ପରେ ସୋସିଆଲ୍ ମିଡିଆ ‘ଏକ୍ସ’ରେ ପ୍ରତିକ୍ର୍ରିୟା ପ୍ରକାଶ ପାଇଛି । ସାଧାରଣ ଲୋକ ପ୍ରଶ୍ନ କରିଛନ୍ତି, ନେତାଙ୍କ ଉପରେ ଫାଇନ୍ ପକାଇପାରିବ ତ ବିଏମସି?