ମା’ ଶାରଳାଙ୍କ ହୁଣ୍ଡିରୁ ଚୋରି । ୭ଲକ୍ଷ ଟଙ୍କା ଲୁଟିନେଲେ ଲୁଟେରା

148

କନକ ବ୍ୟୁରୋ : ଝଙ୍କଡର ପ୍ରତ୍ୟକ୍ଷ ଦେବୀ ମା’ ଶାରଳା । କୁହାଯାଏ ଶ୍ରଦ୍ଧାଳୁଙ୍କୁ ସୁରକ୍ଷା ଦେଇଥାନ୍ତି ମା । କିନ୍ତୁ ସକାଳୁ ସକାଳୁ ମାଙ୍କ ମନ୍ଦିରର ହୁଣ୍ଡି ଖୋଲାଥିବା ଦେଖି ତାଜୁବ ହୋଇ ଯାଇଥିଲେ ସେବାୟତ । ପାଖକୁ ଆସି ଦେଖିବା ବେଳକୁ ତଳେ ପଡିଛି ଭଂଗା ତାଲା । ପାଖରେ ରହିଛି ଏକ ଇଲେକ୍ଟ୍ରିକ୍ କଟର ଓ ରେଂଚି । ଯେଉଁ କଟରରେ ଲୁଟେରା ତାଲା କାଟିଥିବା ଅନୁମାନ କରାଯାଉଛି  ।

ମାଙ୍କ ହୁଣ୍ଡିରୁ ଚୋରି ହେବା ଖବର ସାମନାକୁ ଆସିବା ପରେ, ତଦନ୍ତ ଆରମ୍ଭ କରିଛି ପୋଲିସ୍ । ଯାଂଚରେ ସ୍ନିପର ଡଗର ସହାୟତା ନିଆଯାଇଛି । ପୋଲିସ୍ କୁୁକୁର ମନ୍ଦିର ପରିସର ସମେତ ଆଖପାଖ ଅଂଚଳରେ ତନ ତନ କରି ଯାଂଚ କରିଛି । ଏଥିସହ ମିଳିଥିବା ସିସିଟିଭି ଫୁଟେଜକୁ ଆଧାର କରି ତଦନ୍ତ ଚଳାଇଛି ଜଗତସିଂହପୁର ପୋଲିସ । ଆଉ ସନ୍ଦେହରେ ୩ଜଣଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି । ସେମାନଙ୍କ ନିକଟରୁ କିଛି ଟଙ୍କା ମଧ୍ୟ ଜବତ ହୋଇଛି ।

ହୁଣ୍ଡିରୁ କେତେ ଟଙ୍କା ଚୋରି ହୋଇଛି ତାହା ସ୍ପଷ୍ଟ ଭାବରେ ଜଣାପଡିନି । କିନ୍ତୁ ବର୍ଷକରେ ଥରେ ପଣା ସଂକ୍ରାନ୍ତିରେ ମାଙ୍କ ହୁଣ୍ଡି ଖୋଲାଯାଉଥିବାରୁ ପାଂଚରୁ ୭ ଲକ୍ଷ ଟଙ୍କା ଲୁଟ୍ ହୋଇଥବା ଅନୁମାନ କରାଯାଉଛି ।

ସେବାୟତଙ୍କ କହିବା ଅନୁସାରେ ବୁଧବାର ବିଳମ୍ବିତ ରାତିରେ କେହି ଦୁବୃର୍ତ ଏଭଳି କାଣ୍ଡ ଘଟାଛନ୍ତି । ହେଲେ କିଛି ଟଙ୍କା ଚୋରି କରି ନେବା ପରେ ଆଉ କିଛି ଟଙ୍କା ଛାଡି ଦେଇଥିବା ସାମନାକୁ ଆସିଛି । ମା’ ଶାରଳାଙ୍କ ହୁଣ୍ଡିରୁ ଏଭଳି ଚୋରି ହେବା ଖବର ସମସ୍ତଙ୍କୁ ଚକିତ କରିଛି ।