ରାଜଧାନୀରେ ୪୨୧ରେ ପହଂଚିଲା ଡେଙ୍ଗୁ ରୋଗୀଙ୍କ ସଂଖ୍ୟା : ଶୈଳଶ୍ରୀ ବିହାର ଓ ନିଳାଦ୍ରୀ ବିହାର ଅଂଚଳରେ ଜୋରଦାର ହେଲା ବିଏମସିର ସଫେଇ ଅଭିଯାନ

96

କନକ ବ୍ୟୁରୋ : ରାଜଧାନୀରେ ଗୋଟିଏ ଦିନରେ ୩୦ ଜଣଙ୍କ ଠାରେ ଡେଙ୍ଗୁ ଚିହ୍ନଟ ହେବା ପରେ  ୪୨୧ରେ ପହଂଚିଛି ଡେଙ୍ଗୁ ରୋଗୀଙ୍କ ସଂଖ୍ୟା । ଶୈଳେଶ୍ରୀ ବିହାର ଓ ନିଳାଦ୍ରି ବିହାରରେ ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ସେପଟେ କ୍ୟାପିଟାଲ ହସ୍ପିଟାଲରେ ବର୍ତ୍ତମାନ ଡ଼େଙ୍ଗୁ ୱାର୍ଡ଼ରେ ୩୦ଜଣ ଡ଼େଙ୍ଗୁ ରୋଗୀଙ୍କର ଚିକିତ୍ସା ଚାଲିଛି । ଡ଼ାକ୍ତରଖାନାରେ ପ୍ରତିଦିନ ୮ରୁ ୧୦ଜଣ ଡ଼େଙ୍ଗୁ ରୋଗୀ ଆଡ଼ମିଟ ହେଉଛନ୍ତି । ସବୁ ରୋଗୀଙ୍କୁ ଆଡ଼ମିଟ ହେବାକୁ ପଡ଼ୁନାହିଁ ବୋଲି କହିଛନ୍ତି କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ।

ଯେଉଁ ରୋଗୀମାନଙ୍କର ବ୍ଲଡ଼ ପ୍ଲେଟଲେଟ ୪୦ହଜାର ତଳକୁ ରହୁଛି ସେମାନଙ୍କୁ ସଙ୍ଗେ ସଙ୍ଗେ ଆଡ଼ମିଟ କରାଯାଉଛି । ଖୁବ୍ ଶିଘ୍ର ଏହା କମିଯିବ ବୋଲି ଆଶା କରାଯାଉଛି । ଯେଉଁ ଅଂଚଳରେ ଡ୍ରେନେଜ ସିଷ୍ଟମ ଠିକ୍ ନାହିଁ କିମ୍ବା ଲୋକେ ସଚେତନ ନାହାନ୍ତି ସେ ଅଂଚଳରେ ଡ଼େଙ୍ଗୁ ବ୍ୟାପୁଛି । ତେବେ ଡେଙ୍ଗୁ ସ୍ଥିତି ଉଦବେଗଜନକ ଥିବା ନେଇ ଖବର ପ୍ରସାରଣ ପରେ ତତପର ହୋଇଛି ବିଏମସି । ଅଧିକ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଥିବା ଅଂଚଳରେ ବିଏମସି ପକ୍ଷରୁ ସ୍ୱୟଂ ସହାୟକ ଗୋଷ୍ଠୀ ଘର ଘର ବୁଲି ସଚେତନ କରାଉଛନ୍ତି । ସେହିପରି ନାଳ ନର୍ଦ୍ଦମା ସଫେଇ ଅଳିଆ ଆବର୍ଜନା ସଫେଇ ଜୋରଦାର କରାଯାଇଛି ।