ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମାହୂତି ଉଦ୍ୟମ : କିରୋସିନି ଢାଳି ଆତ୍ମହତ୍ୟା ଉଦ୍ୟମ ବେଳେ ମା’, ପୁଅକୁ ଧରିଲା ପୋଲିସ

373

କନକ ବ୍ୟୁରୋ : ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ମା’ପୁଅଙ୍କ ଆତ୍ମହତ୍ୟା ଉଦ୍ୟମ  । ଗତକାଲି କ୍ୟାପିଟାଲ ହାଇସ୍କୁଲ ସମ୍ମୁଖରେ ହୋଇଥିବା ହାଇଡ୍ରାମା ପରେ ଆଜି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ବାସଭବନ ଆଗରେ ଆତ୍ମାହୁତି ଉଦ୍ୟମ କରିଛନ୍ତି ଭୁବନେଶ୍ୱର ୟୁନିଟ-୯ ଅଂଚଳର ଛାତ୍ର ଓ ତାଙ୍କ ମା’  । ଖବର ପାଇ କ୍ୟାପିଟାଲ ଥାନା ପୋଲିସ୍ ଘଟଣାସ୍ଥଳରେ ପହଂଚି ଉଭୟ ମା’ ଓ ପୁଅଙ୍କୁ ବୁଝାସୁଝା କରି ସେଠାରୁ ହଟାଇଥିଲେ  । ଦଶମ ଅଫଲାଇନ ପରୀକ୍ଷା ଫର୍ମ ପୂରଣରୁ ବାଦ୍ ପଡ଼ିବା ନେଇ ଛାତ୍ର ଇମ୍ରାନ ଖାନ ଓ ତାଙ୍କ ମା’ ପ୍ରତିବାଦ କରୁଛନ୍ତି ।

ଇମ୍ରାନଙ୍କ ଅଭିଯୋଗ ଅନୁଯାୟୀ, ସେ ଫର୍ମ ପକାଇବା ପାଇଁ ସ୍କୁଲ ପ୍ରଧାନଶିକ୍ଷକଙ୍କୁ ସାକ୍ଷାତ କରିଥିଲେ । ସେତେବେ‌ଳେ ସ୍କୁଲ କର୍ତ୍ତୃପକ୍ଷ ତାଙ୍କ ପାଇଁ ଫର୍ମପୂରଣ କରିଦେବେ ବୋଲି କହିଥିଲେ। ଫର୍ମ ପକାଇବାର ଶେଷ ତାରିଖ ଜୁଲାଇ ୧୦ରେ ଥିଲା । ମାତ୍ର ଆଜି ଇମ୍ରାନ୍‌ ସ୍କୁଲକୁ ଆଡମିଟ୍ କାର୍ଡ ନେବା ପାଇଁ ଆସିଥିବା ବେଳେ ତାଙ୍କ ଫର୍ମପୂରଣ ହୋଇନଥିବା ଜାଣିବାକୁ ପାଇଥିଲେ । ଏ ସଂପର୍କରେ ସେ ପରିବାର ଲୋକଙ୍କୁ ଜଣାଇବା ପରେ ଅପରାହ୍‌ଣରେ ଇମ୍ରାନ ଓ ତାଙ୍କ ମା’ ସ୍କୁଲ ଫାଟକ ସମ୍ମୁଖରେ ପହଞ୍ଚି ଆତ୍ମହତ୍ୟା ଉଦ୍ୟମ କରିଥିଲେ ।

ଏ ସଂପର୍କରେ ଦାୟିତ୍ବରେ ଥିବା ପ୍ରଧାନ ଶିକ୍ଷକ ଅମର କୁମାର ବେହେରା କହିଛନ୍ତି ଯେ ଛାତ୍ରଙ୍କର ବାପା ସ୍କୁଲରୁ ଫର୍ମପୂରଣ ବାବଦରେ ସମ୍ପୂର୍ଣ୍ଣ ତଥ୍ୟ ବୁଝି କରି ଯାଇଥିଲେ। ସେ ଆସିଲେ ଫର୍ମ ପୂରଣ କରିବେ ବୋଲି କହିଥିଲେ। ମାତ୍ର ପରେ ଆଉ ଆସିଲେନି । ଆମେ ୪ଜଣ ପିଲାଙ୍କର ଫର୍ମ ପୂରଣ କରିଛୁ। ଇମ୍ରାନ୍‌ର କରିବାରେ କୌଣସି ଅସୁବିଧା ନଥିଲା। ତାଙ୍କୁ ସମସ୍ତ ପ୍ରକାରର ସହଯୋଗ ମଧ୍ୟ କରାଯାଇଛି । ମାତ୍ର ତାଙ୍କ ଅବହେଳା ଯୋଗୁଁ ସେ ଫର୍ମ ପକାଇବାରୁ ବଞ୍ଚିତ ହୋଇଛନ୍ତି ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି ।