ଉଦାହରଣ ସୃଷ୍ଟି କଲେ ଦିବ୍ୟାଙ୍ଗ ପ୍ରେମୀ ଯୁଗଳ : କଟକର ଦୃଷ୍ଟିହୀନ ଝିଅ ଅନୀତାକୁ ଜୀବନ ସାଥୀ କଲେ ଜଗତସିଂହପୁରର ଦିଲିପ ସାହୁ

36

କନକ ବ୍ୟୁରୋ :  ଦିଲିପ ଆଉ ଅନୀତା । କେହି କାହାକୁ ସିନା ଦେଖି ପାରୁନାହାନ୍ତି । ହେଲେ ବୁଝି ପାରିଛନ୍ତି ପରସ୍ପରର ମନର ଭାଷା । ଉଭୟଙ୍କ ମଧ୍ୟରେ ଥିବା ପ୍ରେମ ଶେଷରେ ନେଇଛି ବିବାହର ରୂପ । ଅନୀତାଙ୍କ ମଥାରେ ସିନ୍ଦୁର ଦେଇ ତାଙ୍କ ପ୍ରେମକୁ ସ୍ୱୀକୃତି ଦେଇଛନ୍ତି ଦିଲିପ । ଆଉ ପରସ୍ପରର ହାତ ଧରି ଜନ୍ମ ଜନ୍ମ ପାଇଁ ପବିତ୍ର ବନ୍ଧନରେ ବାନ୍ଧି ହୋଇ ଯାଇଛନ୍ତି ଏହି ଦିବ୍ୟାଙ୍ଗ ପ୍ରେମୀଯୁଗଳ । ଏମିତି ଏକ ଆଦର୍ଶ ବିବାହର ସାକ୍ଷୀ ସାଜିଥିଲା ଜଗତସିଂହପୁର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାଜପୁର ଗାଁ । ପରସ୍ପରକୁ ବିବାହ କରି ବେଶ୍ ଖୁସି ଥିବା କହିଥିଲେ ନବଦମ୍ପତି ।

ଜନ୍ମରୁ ଦୃଷ୍ଟିହୀନ ହେଲେ ବି ଜଗତସିଂହପୁର ଏସଭିଏମ କଲେଜରୁ ବି.ଏ. ପାସ କରିଛନ୍ତି ଶ୍ରୀଧର ସାହୁଙ୍କ ପୁଅ ଦିଲିପ । ଗୀତ ଗାଇବାକୁ ଭଲ ପାଉଥିବା ଦିଲିପଙ୍କ, ଏକ ଭଜନ ଗ୍ରୁପରେ ଦେଖା ହୁଏ ଗାୟିକା ଅନୀତାଙ୍କ ସହ । କଟକ ଖପୁରିଆ ଅଂଚଳର ଅନୀତା, ଜନ୍ମରୁ ଦୃଷ୍ଟିହୀନ ହେଲେ ବି ଉଚ୍ଚଶିକ୍ଷିତା । ଦିନେ ବାଲେଶ୍ୱରରୁ ଭଜନ କାର୍ଯ୍ୟକ୍ରମ ସାରି ଫେରିବା ବେଳେ ଜଣେ ଦୁର୍ବୃତ୍ତ ଦିଲିପଙ୍କ ମୋବାଇଲ ଛଡାଇ ନେଇ ରେଳ ଲାଇନକୁ ଠେଲିଦିଏ । ଗୋଟିଏ ହାତ ଓ ଗୋଡ ହରାଇ ହ୍ୱିଲ ଚେୟାରକୁ ଆଦରି ନିଅନ୍ତି ଦିଲିପ । ହେଲେ ଏମିତି ବିପଦ ବେଳେ ଦିଲିପଙ୍କ ସେବା କରିବା ସହ ସାହସ ଯୋଗାନ୍ତି ଅନୀତା । ଆଉ ପରସ୍ପରକୁ ଜୀବନ ସାଥୀ କରିବାକୁ ନିଷ୍ପତି ନେଇଥିବା ବେଳେ ବିରୋଧ କରନ୍ତି ପରିବାର । ଫଳରେ ୨୦୧୫ରେ କୋର୍ଟରେ ବିବାହ କରିଥିଲେ ଦିଲିପ ଆଉ ଅନୀତା ।

ତେବେ ଶେଷରେ ଉଭୟଙ୍କ ପ୍ରେମ ଓ ନିଷ୍ପତ୍ତିି ଆଗରେ ହାର ମାନିଥିଲା ସମାଜର ବାଧା ବନ୍ଧନ । କିଛି ବନ୍ଧୁଙ୍କ ସହଯୋଗ ପରେ ଦିଲିପ ଆଉ ଅନୀତାଙ୍କ ବିବାହକୁ ମିଳିଛି ଉଭୟଙ୍କ ପରିବାରର ସ୍ୱୀକୃତି । ବିବାହ ଶେଷରେ ପଂକ୍ତି ଭୋଜନରେ ଆପ୍ୟାୟିତ ହୋଇଥିଲେ ଗ୍ରାମବାସୀ ଓ ବନ୍ଧୁବାନ୍ଧବ । ଆଉ ନବଦମ୍ପତିଙ୍କୁ ଦେଇଥିଲେ ସୁଖରେ ସଂସାର କରିବାର ଆଶିର୍ବାଦ ଓ ଶୁଭେଚ୍ଛା ।