ବୋଝ କହି ଅସହାୟ ବୁଢୀ ମାଆକୁ ପର କରିଦେଲା ବଡ ପୁଅ…ବଇଁଶୀ ବଜାଇ ଭିକ୍ଷାବୃତ୍ତି କରି ମାଆଙ୍କୁ ପୋଷୁଛନ୍ତି ଦୃଷ୍ଟିହୀନ ପବିତ୍ର

991

କନକ ବ୍ୟୁରୋ: ବାପା ମାଆ ତାଙ୍କ ପିଲାମାନଙ୍କୁ ଢେର ସାରା ଭଲପାଇବା, ସ୍ନେହ, ଶ୍ରଦ୍ଧା ଦେଇ ବଡ କରିଥାନ୍ତି । ଆଉ ସେଇ ପିଲା ଏବେ ବଡ ହୋଇ ବାପା ମା’ଙ୍କୁ ଘରୁ ବାହାର କରିଦେବା ସହ ଅକଥନୀୟ ନିର୍ଯାତନା ଦେଉଛନ୍ତି । ପୂର୍ବ ଯୁଗରେ ଶ୍ରବଣ କୁମାରଙ୍କ କଥା ତ ଆପଣମାନେ ନିଶ୍ଚୟ ଶୁଣିଥିବେ । କିନ୍ତୁ ଆଜିକାଲି ଯୁଗରେ ବାପା ମାଙ୍କ ପ୍ରତି ଏପରି ଭଲପାଇବା ଖୁବ କମ ହିଁ ଦେଖିବାକୁ ମିଳିଥାଏ । ଠିକ ଶ୍ରବଣ କୁମାରଙ୍କ ଭଳି ଜନ୍ମଦାତାଙ୍କ ପ୍ରତି ଥିବା ଭଲପାଇବା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ସର୍ଗିପଲା ଗାଁରେ । ଦୃଷ୍ଟିହୀନ ହୋଇ ଥିଲେ ମଧ୍ୟ ଜନ୍ମଦାତାଙ୍କ ପାଇଁ ବୋଝ ନପାଲଟି ବରଂ ତାଙ୍କ ବୋଝ ନିଜ କାନ୍ଧକୁ ନେଇଛନ୍ତି ପବିତ୍ର ଧଙ୍ଗଡାମାଝୀ ।

କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ସର୍ଗିପଲା ଗାଁର ପବିତ୍ର ଧଙ୍ଗଡାମାଝୀ ଜନ୍ମରୁ ଦୃଷ୍ଟିହୀନ । ତଥାପି ଜୀବନ ଯୁଦ୍ଧରେ ହାର୍ ନମାନି ଭିକ୍ଷାବୃତ୍ତି କରି ରୋଗୀଣା ମାଆଙ୍କୁ ପୋଷିବା ସହ ନିଜ ପେଟ ଚାଖଣ୍ଡକ ପାଇଁ ବି ଦାନା ଯୋଗାଡ କରୁଛନ୍ତି । ଆଉ ଏଥିରେ ତାଙ୍କର ସାହାର ସାଜିଛି ତାଙ୍କ ବଇଁଶୀ ଖଣ୍ଡିକ । ତେବେ ବାପା ବଂଚିଥିବା ପର୍ଯ୍ୟନ୍ତ ପବିତ୍ରଙ୍କୁ ଭିକ୍ଷା ମାଗିବାକୁ ପଡୁନଥିଲା । ବାପାଙ୍କ ଦେହାନ୍ତ ପରେ ଅନ୍ୟ ଜଣେ ଭାଇ ନିଜ ପରିବାର ଧରି ଅଲଗା ରହୁଛନ୍ତି । ମାଆ ପୁଅ ଚଳିବା ପାଇଁ ତାଙ୍କ ସଂପର୍କୀୟ ମାମୁଁ ଘର ଗାଁକୁ ଚାଲି ଆସିଥିଲେ ।

ଆଉ ପେଟ ପୋଷିବା ପାଇଁ ଶେଷରେ ଭିକ୍ଷାବୃତ୍ତିକୁ ଆପଣେଇ ନେଇଥିଲେ ପବିତ୍ର । ମାଆ ତାଙ୍କୁ ବାଡି ଧରି ଗାଁକୁ ଗାଁ ବୁଲାନ୍ତି ଏବଂ ପବିତ୍ର ନିଜ ବଂଶୀ ବଜାଇ ଲୋକଙ୍କ ଧ୍ୟାନ ଆକର୍ଷଣ କରି ଭିକ୍ଷା ମାଗନ୍ତି । ବିନା ଗୁରୁରେ ବଂଶୀ ବଜାଇବା ଶିଖିଛନ୍ତି ପବିତ୍ର । ସୁମଧୁର ସ୍ୱରରେ ବଂଶୀ ବଜାଉଥିବାରୁ ଲୋକେ ତାଙ୍କୁ ଖୁସିରେ ଯାହା ଦିଅନ୍ତି ସେଥିରେ ପବିତ୍ର ଓ ତାଙ୍କ ମାଆ ଚଳନ୍ତି । ତେବେ ଭିକ୍ଷା ବୃତ୍ତି କରି ଚଳୁଥିଲେ ମଧ୍ୟ ପବିତ୍ର ଓ ତାଙ୍କ ମାଆଙ୍କୁ ରାସନ କାର୍ଡଟିଏ ମିଳିନାହିଁ । ଘର ନଥିବାରୁ ଭଙ୍ଗା ଦଦରା ଘରେ ରହୁଛନ୍ତି ମାଆ-ପୁଅ । ଯଦି ପ୍ରଶାସନ ପକ୍ଷରୁ ସହାୟତା ମିଳନ୍ତା ତେବେ ଏମାନଙ୍କ ଦୁଃଖ କିଛି ମାତ୍ରାରେ ଲାଘବ ହୋଇପାରନ୍ତା ବୋଲି ବୃଦ୍ଧିଜୀବୀଙ୍କ ମହଲରେ ମତ ପ୍ରକାଶ ପାଇଛି ।