ଶରଦ ପାୱାରଙ୍କ ଇସ୍ତଫା ପଛରେ ରହିଛି ସଂଜୟ ରାଉତଙ୍କ ଭୂମିକା ! ବିଜେପି କହିଲା ସଂଜୟ ରାଉତ ‘ଆଧୁନିକ ଶକୁନି’

1,761

କନକ ବ୍ୟୁରୋ : ଏନସିପି ମୁଖ୍ୟ ଶରଦ ପାୱାର ଦଳର ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବା ନେଇ ଘୋଷଣା କରିବା ପରେ ଏବେ ମହାରାଷ୍ଟ୍ର ରାଜନୀତି ସରଗରମ ହେବାରେ ଲାଗିଛି । ଏନେଇ ବିଜେପି ତରଫରୁ ମଧ୍ୟ ଲଗାତର ଭାବେ ବୟାନ ଜାରି ରହିଛି । ବିଜେପି ତରଫରୁ ଶିବସେନା ନେତା ସଂଜୟ ରାଉତଙ୍କୁ ଶରଦ ପାୱାରଙ୍କ ପରିବାର ଭିତରେ ଲାଗିଥିବା କଳି ପାଇଁ ଦାୟୀ କରାଯାଉଛି । ଏହାସହ ବିଜେପି କହିଛି କି କେବଳ ଶରଦ ପାୱାରଙ୍କ ପରିବାର ନୁହେଁ ଏହାସହ ଠାକରେ ପରିବାର ବିଭାଜନ ପାଇଁ ମଧ୍ୟ ସଂଜୟ ରାଉତ ଦାୟୀ ।

ବିଜେପି ନେତା ନିତେଶ ରାଣେ କହିଛନ୍ତି କି, ଶରଦ ପାୱାର ଇସ୍ତଫା ଦେବା ନେଇ ଘୋଷଣା କରିବା ପରେ ସଂଜୟ ରାଉତ ଯେଭଳି ଟ୍ୱିଟ କରିଛନ୍ତି ତାହା ସଂଜୟ ରାଉତଙ୍କ ଶକୁନି ଭୂମିକାର ବଡ ପ୍ରମାଣ । ଏହାସହ ନିତେଶ ରାଣେ କହିଛନ୍ତି କି, ଏତବଡ ଘଟଣା ପରେ ସଂଜୟ ରାଉତ ଶରଦ ପାୱାରଙ୍କୁ ଭେଟିବାକୁ ନଯାଇ କେବଳ ବଡ ବଡ କଥା କହୁଛନ୍ତି । ନିତେଶ ରାଣେ ଏହା ବି କହିବାକୁ ପଛାଇ ନାହାଁନ୍ତି କି ସଂଜୟ ରାଉତ ‘ଆଧୁନିକ ଶକୁନି’ ।

ନିତେଶ ରାଣା କହିଛନ୍ତି କି, ଯେତେବେଳେ ମହାବିକାଶ ଅଘାଡି ମଧ୍ୟରେ ସବୁକିଛି ଠିକ୍ ଠାକ୍ ଚାଲୁଥିଲା ସେତେବେଳେ ବି ସଂଜୟ ରାଉତ ଅଜିତ୍ ପାୱାରଙ୍କ ବିରୋଧରେ ବୟାନ ଦେଉଥିଲେ । ରାଉତଙ୍କ ବୟାନ କାରଣରୁ ଏବେ ଏତେସବୁ ଘଟଣା ଦେଖିବାକୁ ମିଳିଲା ବୋଲି ସେ କହିଛନ୍ତି ।