ଗୋବିନ୍ଦ ଆତ୍ମହତ୍ୟା ଘଟଣାକୁ ନେଇ ସରକାରଙ୍କୁ ଘେରିଲା ବିଜେପି। ବିରୋଧୀଙ୍କ ଅଭିଯୋଗ ଆତ୍ମହତ୍ୟା କରିବାକୁ କରାଯାଇଛି ବାଧ୍ୟ, ଘଟଣାର ସିବିଆଇ ତଦନ୍ତ ପାଇଁ କଂଗ୍ରେସର ଦାବି ।

147

କନକ ବ୍ୟୁରୋ: ଜେଲ୍ ଭିତରେ କେମିତି ଓ କାହିଁକି ଆତ୍ମହତ୍ୟା କଲେ ଗୋବିନ୍ଦ ସାହୁ, ଏହାକୁ ନେଇ ବଢିବାରେ ଲାଗିଛି ରାଜନୀତି । ଘଟଣା ପାଇଁ ସିଧାସଳଖ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ବିରୋଧୀ । ବିଜେପି ପ୍ରେସମିଟ୍ କରି ଘଟଣା ପାଇଁ ଶାସକ ଦଳକୁ ଦାୟୀ କରିଛି । ଗୋବିନ୍ଦ ସାହୁ ଆତ୍ମହତ୍ୟାର ତଦନ୍ତ ହେବା ନିହାତି ଜରୁରୀ ବୋଲି କହିଛନ୍ତି ରାଜ୍ୟ ବିଜେପିର ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ । ଗୋବିନ୍ଦଙ୍କୁ ଆତ୍ମହତ୍ୟା କରିବା ପାଇଁ ବାଧ୍ୟ କରାଯାଇଛି । ତାଙ୍କ ଉପରେ ମାନସିକ ଚାପ ପକାଯାଇଛି । ଯେଉଁଥିପାଇଁ ଗୋବିନ୍ଦ ଆତ୍ମହତ୍ୟା କରିଥିବା କହିଛି ବିଜେପି ।

ସେପଟେ ଗୋବିନ୍ଦ ଆତ୍ମହତ୍ୟା କରିନାହାଁନ୍ତି । ତାଙ୍କୁ ହତ୍ୟା କରାଯାଇଛି ଏବଂ ଏହି ହତ୍ୟାକାଣ୍ଡକୁ ଆତ୍ମହତ୍ୟାର ରୂପ ଦିଆଯାଉଛି । ସେଥିପାଇଁ ଏହି ଘଟଣାର ସିବିଆଇ ତଦନ୍ତ ହେବା ଜରୁରୀ ବୋଲି କଂଗ୍ରେସ କହିଛି । ବିରୋଧୀଙ୍କ ଦାବିକୁ ନେଇ ଯୁକ୍ତି ବାଢିଛନ୍ତି ବିଜେଡି ବଧାୟକ ଅମର ଶତପଥୀ । କହିଛନ୍ତି, ମମିତା ମେହର ହତ୍ୟା ଘଟଣା ବିଚାରାଧୀନ ରହିଛି । ଗୋବିନ୍ଦ ସାହୁ ବି ଜେଲରେ ଥିଲେ । ଆଉ ତାଙ୍କ ଆତ୍ମହତ୍ୟା କଥାକୁ ନେଇ ରାଜନୀତି କରିବା ଉଚିତ୍ ନୁହେଁ ।