‘ଗୁଜରାଟର ଲୁଣ’ ବୟାନକୁ ନେଇ ତେଜିଲା ରାଜନୀତି । ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ କଂଗ୍ରେସ ନେତାଙ୍କ ଟୁଇଟ୍ ପରେ, ପାଲଟା ଜବାବ ରଖିଲା ବିଜେପି । 

269

କନକ ବ୍ୟୁରୋ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ‘ଲୁଣ’ ବୟାନକୁ ନେଇ ଏବେ ତେଜିଛି ରାଜନୀତି । କଂଗ୍ରେସ ନେତା ଉଦିତ ରାଜ ରାଷ୍ଟ୍ରପତିଙ୍କ ବୟାନକୁ ନେଇ ଟୁଇଟ୍ କରିବା ପରେ ବିଜେପି ଏହାର ପାଲଟା ଆକ୍ରମଣ କରିଛି । ସିଧାସଳଖ କଂଗ୍ରେସ ଉପରେ ବର୍ଷିବା ସହିତ ବିଜେପି ମୁଖପାତ୍ର ସମ୍ବିତ ପାତ୍ର ଏହି ଘଟଣାକୁ ଦୁର୍ଭାଗ୍ୟପୂର୍ଣ୍ଣ କହିଛନ୍ତି । ତେବେ ଉଦିତ୍ ରାଜ ଯେଉଁଭଳି ଶବ୍ଦର ବ୍ୟବହାର କରିଛନ୍ତି, ତାହା ତାଙ୍କର ଆଦିବାସୀ ବିରୋଧୀ ମନୋଭାବକୁ ଦର୍ଶାଉଛି ବୋଲି କହିଛନ୍ତି ବିଜେପି ମୁଖପାତ୍ର ସମ୍ବିତ ପାତ୍ର ।

ଅସଲ କଥା ହେଉଛି, କିଛି ଦିନ ତଳେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଗୁଜରାଟ ଗସ୍ତରେ ଯାଇଥିଲେ । ଏହି ଗସ୍ତ ସମୟରେ ରାଷ୍ଟ୍ରପତି ସାବରମତୀ ଆଶ୍ରମରେ ପହଞ୍ଚିବା ସହିତ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ପୁଷ୍ପାଞ୍ଜଳି ଦେଇଥିଲେ । ଖାଲି ସେତିକି ନୁହେଁ, ଏହାପରେ ସେ ଏକ କାର୍ଯ୍ୟକ୍ରମରେ ନିଜର ସମ୍ବୋଧନ ମଧ୍ୟ ରଖିଥିଲେ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଥିଲେ, ଦେଶର ୭୬ ପ୍ରତିଶତ ଲୁଣ ଗୁଜରାଟରୁ ଉତ୍ପାଦିତ ହେଉଛି । ସାରା ଦେଶବାସୀ ଗୁଜରାଟର ଲୁଣ ଖାଉଛନ୍ତି । ତେବେ ରାଷ୍ଟ୍ରପତିଙ୍କ ଏହି ବୟାନ ପରେ ଏବେ ଏହାକୁ ନେଇ ବିବାଦ ତେଜିଛି ।

କଂଗ୍ରେସ ନେତା ଉଦିତ୍ ରାଜ ଏ ସମ୍ପର୍କରେ ଏକ ଟୁଇଟ୍ କରିଥିଲେ । ଯେଉଁଥରେ ସେ ଲେଖିଥିଲେ, ଦ୍ରୌପଦୀ ମୁର୍ମୁଙ୍କ ଭଳି ରାଷ୍ଟ୍ରପତି କୌଣସି ବି ଦେଶକୁ ନ ମିଳୁ । ଚାମଚାଗିରି ମଧ୍ୟ ସୀମା ଥାଏ । ଦେଶର ୭୦ ପ୍ରତିଶତ ଲୋକ ଗୁଜରାଟର ଲୁଣ ଖାଉଛନ୍ତି ବୋଲି ରାଷ୍ଟ୍ରପତି କହୁଛନ୍ତି । ହେଲେ ସେ ନିଜେ ଲୁଣ ଖାଇ ଜୀବନ ଜିଇଲେ ଜାଣିପାରିବେ ବୋଲି ସେ ଟୁଇଟରେ ଲେଖିଥିଲେ ।

ତେବେ ଏହାପରେ ସେ ଆହୁରି ଏକ ଟୁଇଟ୍ ମଧ୍ୟ କରିଥିଲେ । ଯେଉଁଥିରେ ସେ ତାଙ୍କର ଏହି ବୟାନକୁ କଂଗ୍ରେସ ପାର୍ଟିର ବୟାନ ନୁହେଁ ବୋଲି ସଫେଇ ରଖିଥିଲେ । ହେଲେ ବିଜେପି କିନ୍ତୁ ଏହି ଟୁଇଟ୍ ପରେ କଂଗ୍ରେସ ଉପରେ ଜୋରଦାର ଟାର୍ଗେଟ କରିଛି । ସମ୍ବିତ ପାତ୍ର କହିଛନ୍ତି, କଂଗ୍ରେସ ନେତା ଉଦିତ୍ ରାଜ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ବିରୋଧରେ ବ୍ୟବହାର ହୋଇଛନ୍ତି । ତାଙ୍କ ଦ୍ୱାରା ବ୍ୟବହାର କରାଯାଇଥିବା ଶବ୍ଦ ଚିନ୍ତାଜନକ ଓ ଦୁର୍ଭାଗ୍ୟପୂର୍ଣ୍ଣ ଅଟେ । ତେବେ ଏହା ପ୍ରଥମ ଥର ନୁହେଁ, ଏହା ପୂର୍ବରୁ ମଧ୍ୟ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ଏପର କରିଥିଲେ । ଯାହାକି ବିରୋଧୀଙ୍କ ଆଦିବାସୀ ବିରୋଧୀ ମାନସିକତାକୁ ଦର୍ଶାଉଛି ବୋଲି ସମ୍ବିତ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନେଇ ବିବାଦୀୟ ମନ୍ତବ୍ୟ ରଖିଥିଲେ । ରାଷ୍ଟ୍ରପତିଙ୍କୁ ରାଷ୍ଟ୍ରପତ୍ନୀ କହି ସେ ବିବାଦରେ ଫସିଥିଲେ । ସ୍ଥିତି ଏମିତି ହୋଇଥିଲା ଯେ, ଅଧୀର ରଞ୍ଜନ ଚୌଧୁରୀ ଏହି ମନ୍ତବ୍ୟ ପାଇଁ କ୍ଷମା ମଧ୍ୟ ମାଗିଥିଲେ । ଆଉ ଏହାପରେ ଏବେ କଂଗ୍ରେସ ନେତା ଉଦିତ୍ ରାଜଙ୍କ ଲୁଣ ବୟାନ୍ ଚର୍ଚ୍ଚା ସୃଷ୍ଟି କରିଛି ।